ଝରିଗାଁ (ରମଶେ ପଟ୍ଟନାୟକ): ଦୀପାବଳି ପାଖେଇ ଆସୁଛି। ଏଥି ପାଇଁ ବାଣ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଭଲ ରୋଜଗାର କରିବାକୁ ଆଶା ରଖିଥିବା ବେଳେ ମାଟିଦୀପ ପ୍ରସ୍ତୁତ କରୁଥିବା କୁମ୍ଭାରମାନେ ଚିନ୍ତିତ ଅଛନ୍ତି। ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡ଼ିଛି। 

Advertisment

ଅଧିକ ପଢ଼ନ୍ତୁ: Crackers Like Sweet: ଦୀପାବଳି ପାଇଁ ମିଳୁଛି ବାଣ ଡିଜାଇନର ମିଠା

ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକର କିଛି କୁମ୍ଭାର ସଂପ୍ରଦାୟର ପରିବାର କହିଛନ୍ତି। ପୂର୍ବରୁ ବେଲଗାଁ ଗ୍ରାମର ପ୍ରାୟ ୬୦ଟି କୁମ୍ଭାର ସଂପ୍ରଦାୟର ପରିବାର ମାଟି ସାମଗ୍ରୀ ତିଆରି  କରିବା ପରେ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ।କିନ୍ତୁ ଯୁଗ ପରିବର୍ତ୍ତନ ସହିତ ଷ୍ଟିଲ, ପ୍ଲାଷ୍ଟିକ, ଫାଇବର ଭଳି ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରୁ ମାଟି ସାମଗ୍ରୀ ପ୍ରତି ଆଉ ଲୋକ ମନ ବଳାଇଲେଣି।ଏଥିଯୋଗୁଁ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। ଏହାକୁ ଦୃଷ୍ଟିରେ ରଖି ବେଲଗାଁର ପ୍ରାୟ ୪୦ ପରିବାର ନିଜ କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କରି ପରିବାର ଚଳାଉଛନ୍ତି।

ବର୍ତ୍ତମାନ ମାତ୍ର କିଛି ପରିବାର ମାଟି ସାମଗ୍ରୀ ତିଆରି କରୁଛନ୍ତି। କିନ୍ତୁ ପୂର୍ବଭଳି ମାଟି ତିଆରି ସାମଗ୍ରୀ ବିକ୍ରି ହେଉନଥିବାରୁ ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା ଏମାନେ ଦୁଃଖର ସହ ପ୍ରକାଶ କରିଛନ୍ତି।ଆଗକୁ ଦୀପାବଳି ଥିବାରୁ ଏହି ସମସ୍ତ ପରିବାର ବର୍ତ୍ତମାନ ଦୀପ ତିଆରିରେ ଲାଗି ପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ: ସବୁଜ ଦୀପାବଳି

ପଡୋଶୀ ଛତିଶଗଡ଼ର ବ୍ୟବସାୟୀମାନେ ବେଲଗାଁ ପହଞ୍ଚି ଦୀପ ନେଉଥିବା ଜଣାପଡିଛି। ପୂର୍ବ ଭଳି ଦୀପାବଳିରେ ଅଧିକାଂଶ ଲୋକ ମାଟି ଦୀପ ନଜଳାଇ କ୍ୟାଣ୍ଡେଲ ଓ ବିଦ୍ୟୁତ ଦୀପ ଜଳାଉଥିବାରୁ ଅଧିକ ଦୀପ ବିକ୍ରି ହେଉନଥିବା ଏହି କୁମ୍ଭାର ସଂପ୍ରୟାଦର ପରିବାର ସଦସ୍ୟମାନେ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ନଚେତ ଲୋପ ପାଇ ଯିବା ଆଶଙ୍କା ଦେଖା ଦେଇଛି। ସେହିଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳରେ ଦୀପାବଳି ପାଇଁ ମାଟି ଦୀପ ଜଳାଇବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।