ଉମରକୋଟଠାରେ ଶତାଧିକ ଚାଷୀଙ୍କ ରାସ୍ତାରୋକ; ସାଧାରଣ ଲୋକେ ହନ୍ତସନ୍ତ

ଦୀର୍ଘ ଦିନ ଧରି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ ସାର ମିଳୁ ନଥିବାରୁ ଆଜି ଚାଷୀମାନେ ଶେଷରେ ଆନ୍ଦୋଳନ ପନ୍ଥାକୁ ଅବଲମ୍ବନ କରିଛନ୍ତି। ଆଜି ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଚାଷୀମାନେ ଉମରକୋଟ ପୁରୁଣା ବସ ଷ୍ଟାଣ୍ଡଠାରେ ରାସ୍ତାରୋକ କରିଦେଇଛନ୍ତି।

Untitled

ଉମରକୋଟ: ଦୀର୍ଘ ଦିନ ଧରି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ ସାର ମିଳୁ ନଥିବାରୁ ଆଜି ଚାଷୀମାନେ ଶେଷରେ ଆନ୍ଦୋଳନ ପନ୍ଥାକୁ ଅବଲମ୍ବନ କରିଛନ୍ତି। ଆଜି ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଚାଷୀମାନେ ଉମରକୋଟ ପୁରୁଣା ବସ ଷ୍ଟାଣ୍ଡଠାରେ ରାସ୍ତାରୋକ କରିଦେଇଛନ୍ତି। ଫଳରେ ସହରବାସୀଙ୍କୁ ସକାଳୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀଙ୍କ ଅଭିଯୋଗ ହେଲା ବର୍ତ୍ତମାନ ଧାନ ଓ ମକା ଫସଲରେ ତୁରନ୍ତ ସାର ନ ଦେଲେ ଫସଲ ନଷ୍ଟ ହେବା ସହ ଅମଳ କମିଯିବ।
ଦୀର୍ଘ ଦିନ ହେଲା ଉମରକୋଟରେ ୟୁରିଆ ସାରର ଘୋର ଅଭାବ ଦେଖାଯାଇଛି। କିଛି ଚାଷୀ କଳା ବେପାରୀଙ୍କଠାରୁ ଉଚ୍ଚ ଦରରେ ସାର କିଣି ଶୋଷଣର ଶିକାର ହେଇଥିବା ବେଳେ ଅନ୍ୟ ଚାଷୀମାନେ ସରକାରଙ୍କ ସାରକୁ ଅନେଇ ବସିଛନ୍ତି।

ତେବେ ଦୀର୍ଘ ଦିନ ଧରି ୟୁରିଆ ସାର ପାଇଁ ଅପେକ୍ଷା କଲା ପରେ ୨୧ ତାରିଖ ଦିନ ୩ଟି ଟ୍ରକରେ ୧୭୦୦ ବ୍ୟାଗ୍‌ ସାର ଆସି ପହଞ୍ଚିଥିଲା। ସେଥିମଧ୍ୟରୁ ଉମରକୋଟ ଲେଂପକୁ ୬୦୦ ବ୍ୟାଗ୍‌ ସାର ଦେଇଥିଲା କୃଷି ବିଭାଗ। ତେବେ ଶନିବାର ଦିନ ଉମରକୋଟ ଲେଂପ୍ ପକ୍ଷରୁ ସାର ବଣ୍ଟନ ଆରମ୍ଭ ହେବା ବେଳକୁ ହଜାର ହଜାର ସଂଖ୍ୟାରେ ଚାଷୀ ଲେଂପ ପରିସରରେ ପ୍ରବେଶ କରି ଦେଇଥିଲେ। ଫଳରେ ବଣ୍ଟନ କାର୍ଯ୍ୟକୁ ବନ୍ଦ କରିବାକୁ ପଡ଼ିଥିଲା। ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ଲେଂପ କର୍ତ୍ତୃପକ୍ଷ କିଛି ଚାଷୀଙ୍କୁ ପୁଣି ସାର ଆସିଲେ ଦିଆଯିବ ବୋଲି କହିଥିଲେ। ଖାଲି ସେତିକି ନୁହେଁ; ଟୋକେନ ବଣ୍ଟନ କରି ସୋମବାର ଦିନ ସାର ଦିଆଯିବ ବୋଲି କହିଥିଲେ।

ତେବେ ଆଜି ପୁଣି ଯେତେ ବେଳେ ଶତାଧିକ ଚାଷୀମାନେ ଲେଂପକୁ ସ।ର ପାଇଁ ଯାଇଛନ୍ତି, ସାର ପର୍ଯ୍ୟାପ୍ତ ପରିମାଣରେ ନ ଆସିବା ପର୍ଯ୍ୟନ୍ତ ବଣ୍ଟନ ହେଇପାରିବ ନାହିଁ ଲେଂପ କର୍ତ୍ତୃପକ୍ଷ ଜଣାଇବା ପରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ପୁରୁଷ ଓ ମହିଳା ଚାଷୀମାନେ ସାର ଅଭାବରୁ ନଷ୍ଟ ହେଇ ଥିବା ଧାନ ଗଛ ଧରି ରାସ୍ତା ଅବରୋଧ କରିଛନ୍ତି। ସାର ନ ମିଳିବ। ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି କହିଛନ୍ତି ଚାଷୀମାନେ।

ଚାଷୀମାନଙ୍କ ଆନ୍ଦେଳନକୁ ସମର୍ଥନ କରି ଜିଲ୍ଲା କୃଷକ କଂଗ୍ରେସର ସଭାପତି ସନରାଜ ଗଣ୍ଡ, ପିସିସି ସଭ୍ୟ ଖେମରାଜ ବାଘ, କାଉନସିଲର ମୁନା ପାଢ଼ୀ, ବାବୁଲା ପଟ୍ଟନାୟକ, ହାରାବତୀ ଗଣ୍ଡ, ସୁରେନ୍ଦ୍ର ନାୟକ, ବିଜେଡ଼ି ଦଳ ପକ୍ଷରୁ ଉମରକୋଟ ପୌରଦକ୍ଷା ରାଧା ଭତ୍ରା, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ପୂର୍ବତନ ରାଇଘର ବ୍ଲକ ଅଧ୍ୟକ୍ଷା ନବୀନ ନାୟକ, ଦେବିସିଂ ମାଝୀ, କାଉନସିଲର ମୋନଜ କୁମାର ନାୟକ , ନଗର ସଭାପତି କୈଳାସ ନାୟକ ଚାଷୀଙ୍କ ସହ ଧାରଣାସ୍ଥଳରେ ବସିଛନ୍ତି।

ଚାଷୀଙ୍କ ସହ ଆଲୋଚନ। ପାଇଁ ପହଞ୍ଚିଥବା ଜିଲ୍ଲା ଯୋଜନା କୃଷି ଅଧିକାରୀ ସିଦ୍ଧାର୍ଥ ପରିଡ଼ାଙ୍କୁ ଚାଷୀମାନେ ତାଙ୍କ ସହ ଜୋର ଜବରଦସ୍ତ ବସାଇ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ନୀଳାମ୍ବର ମାଖି, ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ବ୍ଲକ କୃଷି ଅଧିକ।ରି ସଂତୋଷ କୁମାର ନାୟକ ପୋଲିସ ଆଇଆଇସି ରମାକାନ୍ତ ସାଏ, ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର, ଶିଭିଜି ପଣ୍ଡା ଓ ଷୌମେନ୍ଦ୍ର ସେଠଙ୍କ ସମେତ ପୁଲିସ ଫର୍ସ ଉପସ୍ଥିତ ରହିଛନ୍ତି। ଖବର ଲେଖା ହେବା ବେଳକୁ ପ୍ରଶାସନ ଚାଷୀଙ୍କ ସମସ୍ୟା ବାହାର କରିବାରେ ବିଫଳ ହେଇଛି। ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁ ଶହ ଶହ 
ସଂଖ୍ୟାରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଫଳରେ ନବରଙ୍ଗପୁର, ରାଇଘର, ଚନ୍ଦ।ହାଣ୍ଡି ଓ ପୋଡଶୀ ଛତିଶଗଡ଼କୁ ଗାଡି ଚଳାଚଳ ବନ୍ଦ ରହିଛି ଓ ସକାଳୁ ଉମରକୋଟ ସହରବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁ ୧୩୦୦ ବ୍ୟାଗ ୟୁରିଆ ସାର ଯୋଗାଡ କରିବାରେ ପ୍ରଶାସନ ସଫଳ ହେବା ପରେ ଚାଷୀଙ୍କୁ ବଣ୍ଟନ କରାଯାଇଥିଲା ଓ ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ।

ତେବେ ଆଗାମୀ ଦିନରେ ଚାଷୀଙ୍କୁ ଯେପରି ସାର ପାଇଁ ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼େ; ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ଥାୟୀ ସମାଧାନର ବାଟ ବାହାର କରିବେ ବୋଲି ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଶେଷରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe