ଚନ୍ଦାହାଣ୍ଡି ପୁଲିସକୁ ୨ମାସ ପରେ ବି ମିଳୁନି ୪ ଅପରାଧର ସୁରାକ

ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ଅଗଷ୍ଠ ମାସରେ ଘଟିଯାଇଛି ୪ଟି ବଡ଼ ଅପରାଧ। ବ୍ୟାଙ୍କ ଚୋରି, ଚୋରି, ନିଶା କାରବାର ଓ  ହତ୍ୟା ଭଳି ଅପରାଧ। ପୁଲିସ ଏଯାଏଁ ଗୋଟିଏ ବି ମାମଲାର ସୁରାକ ପାଇନି କି କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନି।

Chandahandi PS

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ଅଗଷ୍ଠ ମାସରେ ଘଟିଯାଇଛି ୪ଟି ବଡ଼ ଅପରାଧ। ବ୍ୟାଙ୍କ ଚୋରି, ଚୋରି, ନିଶା କାରବାର ଓ  ହତ୍ୟା ଭଳି ଅପରାଧ। ପୁଲିସ ଏଯାଏଁ ଗୋଟିଏ ବି ମାମଲାର ସୁରାକ ପାଇନି କି କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନି। ଗତ ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଅଂଚଳବାସୀ ନ୍ୟାୟ ପାଇଁ  ଚନ୍ଦାହାଣ୍ଡି ଥାନା ଘେରାଉ କରିବା ସହ ନବରଙ୍ଗପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଉପରେ ଯେଭଳି ଆସ୍ଥା ଓ ବିଶ୍ବାସ ଜନସାଧାରଣ ରଖିବା କଥା ରଖି ପାରିନାହାନ୍ତି।

ଗତ ଅଗଷ୍ଟ ୧୯ ତାରିଖରେ ଚନ୍ଦାହାଣ୍ଡି-ମାଲଗାଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଶକ୍ତି ଗ୍ୟାରେଜର ସିନ୍ଧି କାଟି ଦୋକାନରୁ ଚୋରି କରିବା ସହ ଦୋକାନ ପୋଡ଼ିବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ। ଅଗଷ୍ଟ ୨୧ ତାରିଖରେ ଜୁନାପାଣି ଗ୍ରାମର ଭୁଜବଳ କୁରକୁରିଆ(୨୫)ଙ୍କ ମୃତଦେହ କୁକୁରଜର ନଦୀ ପାର୍ଶ୍ୱରେ ପଡ଼ିଥିବା ଘଟଣାରେ ପରିବାରବର୍ଗ ହତ୍ୟା ଅଭିଯୋଗ କରି ଏତଲା ଦେଇଥିଲେ।

ଜିଲ୍ଲା ପରିଷଦ ସଭ୍ୟା ବର୍ଷା ରାଣୀ ପଟେଲଙ୍କ ନେତୃତ୍ୱ ଜୁନାପାଣି ଗ୍ରାମବାସୀ ଥାନା ଘେରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଅଗଷ୍ଟ ୨୪ ତାରିଖରେ ଫୁଣ୍ଡେଲପଡା ଗ୍ରାମର ମକର ନାୟକ ନିଜ ଶ୍ୱଶୁର ଘର ତେଲାତାଣ୍ଡୀ ଗ୍ରାମକୁ ବୁଲିବାକୁ ଆସିଥିଲେ।  ରାତି ୧୦ଟା ସମୟରେ ମକର ନାୟକ ଶ୍ୱଶୁର ଘରୁ ଖାଇ ସାରି ବୁଲିବାକୁ ବାହାରି  ଆଉ ଘରକୁ  ଫେରି ନଥିଲେ। ସକାଳୁ ତାଙ୍କର ମୃତ ଦେହ ତେଲାତାଣ୍ଡି ଗ୍ରାମ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଲୋକେ ଦେଖିଥିଲେ। ପରିବାରବର୍ଗ ହତ୍ୟା ଅଭିଯୋଗ କରିବା ସହ ରାସ୍ତା ଅବରୋଧ କରିଥିଲେ। ପୁଲିସ ସନ୍ଧାନି କୁକୁର ଓ ସାଇନଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲେ। ସେପ୍ଟେମ୍ବର ୧୬ ତାରିଖରେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିବା ଅଂଚଳବାସୀ ଅଭିଯୋଗ କରି ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ। ସାତ ଦିନ ମଧ୍ୟରେ ଅଭିଯୁକ୍ତ ଧରିବେ ବୋଲି ପୁଲିସ ଲିଖିତ  ଭାବେ ପ୍ରତିଶ୍ରୃତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ। ପୁଣି ଗ୍ରାମବାସୀ ମାନେ ଗତ ୭ତାରିଖ ଦିନ ନବରଙ୍ଗପୁର ଆସି ଏସପି ମଡକର ସନ୍ଦୀପ ସମ୍ପତଙ୍କୁ ଭେଟି ଅଭିଯୋଗ କରିଥିଲେ।

ଗତ ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗ୍ୟାସ କଟର ନେଇଁ ଚନ୍ଦାହାଣ୍ଡି ଷ୍ଟେଟ ବ୍ୟାଙ୍କର ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପସି ଚୋରି ଉଦ୍ୟମ କରିଥିଲେ। ଯାହା ବ୍ୟାଙ୍କ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ସହ ପୁଲିସ ଫୁଟେଜ ସଂଗ୍ରହ କରିଥିଲା। କିନ୍ତୁ ଘଟଣାକୁ ୪୨ଦିନ ପରେ ବି ପୁଲିସ ଏପର୍ଯ୍ୟନ୍ତ ଘଟଣାର ପର୍ଦାଫାଶ କରି ପାରିନାହିଁ। ଏହି ସ୍ଥିତିରେ ଚନ୍ଦାହାଣ୍ଡି ପୁଲିସର କାର୍ଯ୍ୟଦକ୍ଷତା, ଅପରାଧ ନିୟନ୍ତ୍ରଣ ଓ ଲୋକଙ୍କୁ ନ୍ୟାୟ ଦେବାରେ ପୁଲିସ ଏକ ପ୍ରକାର ବିଫଳ ହୋଇଛି ବୋଲି  ଜିଲ୍ଲା ପରିଷଦ ସଭ୍ୟା ବର୍ଷା ରାଣୀ ପଟେଲ, ଜୁନାପାଣି ଓ ଫୁଣ୍ଡେଲପଡା ଗ୍ରାମବାସୀ ମାନେ କହିଛନ୍ତି। ୪ଟି ଯାକ ମାମଲାର ସୁରାକ ମିଳିପାରିନି, ୨ଟି ହତ୍ୟା ମାମଲାର ଭିସୋରା ପରୀକ୍ଷା ରିପୋର୍ଟ ଆସିଲେ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଚନ୍ଦାହାଣ୍ଡି ଥାନା ଅଧିକାରୀ ଯୁଗୋଳ କିଶୋର ସା।

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe