ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ବର୍ତିଲା ପରିବାର

Advertisment
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ବର୍ତିଲା ପରିବାର

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡକରାଗୁଡା ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଗୋଟିଏ ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ତେବେ ଅଳ୍ପକେ ଗୋଟିଏ ପରିବାରର ୫ଜଣ ସଦସ୍ୟ ବର୍ତି ଯାଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କେଉଁ କାରଣରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।
ସୂଚନା ଅନୁଯାୟୀ, ଡକରାଗୁଡା ଗାଁର ଧନସିଂ ଭତ୍ରା ୫ଦିନ ତଳେ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଥିଲେ। ପୂର୍ବରୁ ଗ୍ୟାସ ଚୁଲା ସଂପର୍କରେ ଜାଣି ନଥିବା ବେଳେ ଆଜି ସକାଳେ ରୋଷେଇ ସମୟରେ ଗ୍ୟାସ୍ ଲିକ୍ ହୋଇଥିଲା। ଧନସିଂଙ୍କ ପତ୍ନୀ ସୁବର୍ଣ୍ଣା ଚୁଲାରେ ଅଗ୍ନି ସଂଯୋଗ କରିବା ବେଳେ ଲିକ୍ ହୋଇଥିବା ଗ୍ୟାସ୍ ହୁତ୍ ହୁତ୍ ହୋଇ ଜଳିବା ଆରମ୍ଭ କରିଥିଲା। କିଛି ସମୟ ମଧ୍ୟରେ ନିଆଁ ପୂରା ଘରକୁ ବ୍ୟାପୀ ଯାଇଥିଲା। ଶୋଇଥିବା ଝିଅ ବିକିଲି ଭତ୍ରା, ପୁଅ ବଳରାମ ଏବଂ ଖଗପତିଙ୍କୁ ଧରି ଦଂପତି ଘର ବାହାରକୁ ଚାଲି ଆସିଥିଲେ।

ଏହି ଖବର ପାଇଁ ପାପଡହାଣ୍ଡିରୁ ଦମକଳ ଗାଡି ଆସି ନିଆଁକୁ ଲିଭାଇବା ସମୟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଛାଡ଼ ଉଡ଼ିଯିବା ସହ ଘରେ ଥିବା ସବୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ମୂଲ ଲାଗି ସଂଚୟ କରି ରଖିଥିବା ନଗଦ ୧୫ ହଜାର ଟଙ୍କା, କିଛି ସୁନା ଅଳଙ୍କାର ବି ପୋଡ଼ି ଯାଇଛି। ପିନ୍ଧା ଲୁଗାକୁ ଛାଡ଼ିଦେଲେ ଆଉ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ପ୍ରଶାସନ ତରଫରୁ ପଲିଥିନ ଖ‌େଣ୍ଡ ମିଳି ନଥିବା ଅଭିଯୋଗ ହୋଇଛି। ଯାହାଫଳରେ ପିଲାଙ୍କୁ ନେଇ ଖୋଲା ଆକାଶ ତଳେ ବିପନ୍ନ ପରିବାର ପଡ଼ି ରହିଛନ୍ତି। ସୁବର୍ଣ୍ଣା କହିଛନ୍ତି ଯେ ପୂର୍ବରୁ ଜାଳେଣୀ କାଠ ବ୍ୟବହାର କରି ସୁରକ୍ଷିତ ଥିଲୁ। ଏବେ ସରକାର ଗ୍ୟାସ ସଂଯୋଗ ପ୍ରଦାନ କରିଥିଲେ ମଧ୍ୟ ସବୁ କିଛି ନିଆଁରେ ଛାରଖାର ହୋଇଗଲା। ପରିବାର ଅତି ଗରିବ ଏବଂ ମୂଲ ଲାଗି ଚଳୁଛନ୍ତି। ତେଣୁ ତୁରନ୍ତ ଆବାସ ‌ଯୋଜନାରେ ଘର ଯୋଗାଇ ଦେବା ସହ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe