ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ଘଟଣା:ମୋବାଇଲରୁ ହତ୍ୟାକାଣ୍ଡର ପର୍ଦାଫାଶ, ୨ଅଭିଯୁକ୍ତ ଗିରଫ

Advertisment
ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ଘଟଣା:ମୋବାଇଲରୁ ହତ୍ୟାକାଣ୍ଡର ପର୍ଦାଫାଶ, ୨ଅଭିଯୁକ୍ତ ଗିରଫ

ଉମରକୋଟ: ନବରରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବେହେଡା ସଂରକ୍ଷିତ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ଘଟଣାରେ ନବରଙ୍ଗପୁର ଜିଲ୍ଲା ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କୁ ଗାମୁଛା ଦ୍ବାରା ତଣ୍ଟି ଚିପି ହତ୍ୟା କରିବା ପରେ ଅଭିଯୁକ୍ତ ଦ୍ବୟ ପେଟ୍ରୋଲ ପକାଇ ପୋଡି ଦେଇଥିଲେ। ଏନେଇ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା ଉମରକୋଟରେ ଏକ ସାମ୍ବାଦିକ ସମ୍ମିଳନୀ‌ର ଆୟୋଜନ କରି ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ଗତ ୧୦ତାରିଖରେ ବେହେଡା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ ସନ୍ଧାନୀ କୁକୁର ଓ ଫରେନ୍‌ସିକ ଟିମ୍ ଦ୍ବାରା ତଦନ୍ତ କରିଥିଲେ ହେଁ ସୁଫଳ ମିଳିନଥିଲା। ଅନ୍ୟପଟେ ମୃତ ମହିଳାଙ୍କ ମୋବାଇଲ ପାଇଥିବା ଜଣେ ଗାଈ ଚରାଳି ଅନ୍ୟ ଜଣଙ୍କୁ ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଉମରକୋଟ ପୁଲିସ ଏହି ମୋବାଇଲ ଜରିଆ‌ରେ ହତ୍ୟକାରୀ ନିକଟରେ ପହଞ୍ଚିଥିଲା। ନବରଙ୍ଗପୁର ଏସପି ନେତୃତ୍ବରେ ଗଠିତ ଏକ ଟିମ୍‌ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଛତିଶଗଡ ଦେଓଭୋଗ ଥାନା ଅଞ୍ଚଳର ଲୋଟାପଡ ଗ୍ରାମର ବୁଦୁରାମ ହରିଜନ ଓ ମୃତ ମହିଳାଙ୍କ ଦିଅର ବାସୁ ବାଘେଲଙ୍କୁ ପୁଲିସ ଗିରଫ କରିଥିଲା। ମହିଳାଙ୍କୁ ଉଭୟ ହତ୍ୟା କରିଥିବା ନେଇ କହିବା ସହ ସଂପୂର୍ଣ୍ଣ ଘଟଣା କହିଥିଲେ। ମୃତ ମହିଳା ଜଣକ ଛତିଶଗଡ ମେଇପନୁର ଥାନା ଅନ୍ତର୍ଗତ ଜିଙ୍ଗଡା ଗ୍ରାମର ବିମଳାବାଇ ବାଘେଲ ବୋଲି ଜଣାପଡିଛି। ବିମଳା ୧୮ବର୍ଷ ତଳେ ଛତିଶଗଡ ଦେଓଭୋଗ ଥାନା ଅନ୍ତର୍ଗତ ଲୋଟାପାରା ଗ୍ରାମର ଗଜେନ୍ଦ୍ର ବାଘେଲଙ୍କୁ ବିବାହ କରିଥିଲେ। ପ୍ରାୟ ୧୦ବର୍ଷ ତଳେ ଗଜେନ୍ଦ୍ରଙ୍କ ମୃତ୍ୟୁ ହେବା ପରେ ବିମଳା ରାୟପୁରର ଏକ ହୋଟେଲରେ କାମ କରୁଥିଲେ। ଇତି ମଧ୍ୟରେ ଦିଅର ବାସୁ ଓ ବିମଳାଙ୍କ ମଧ୍ୟରେ ସଂପର୍କ ଗଢି ଉଠିଥିଲା। ଏହାପରେ ବିବାହ କରିବାକୁ ବିମଳା ବାରମ୍ବାର ବାସୁକୁ ବାଧ୍ୟ କରୁଥିଲେ। ତେଣୁ ବିମଳାଙ୍କୁ ରାସ୍ତାରୁ ହଟାଇବା ପାଇଁ ବାସୁ ନିଜ ସାଙ୍ଗ ବୁଦୁରାମ ହରିଜନଙ୍କ ସହାୟତା ନେଇଥିଲେ। ଏବଂ ଯୋଜନା ମୁତାବକ ବିମଳାଙ୍କୁ ଉମରକୋଟ ଡାକି ଅାଣି ଗତ ଅକ୍ଟୋବର ୬ତାରିଖରେ ବେହେଡା ଜଙ୍ଗଲକୁ ନେଇଥିଲେ। ପରେ ବାସୁ ଏକ ଗାମୁଛା ଦ୍ବାରା ବେକକୁ ଚିପି ବିମଳାଙ୍କୁ ହତ୍ୟା କରିଥିଲେ। ଏଥିରେ ସହଯୋଗ କରିଥିଲେ ବୁଦୁରାମ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତ ଦ୍ବୟ ପୁଲିସ ନିକଟରେ ସ୍ବକାର କରିଥିବା ଏସପି ଶ୍ରୀ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe