ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସହଯୋଗୀ ଗିରଫ

Advertisment

ଦୁଇ ଦେଶୀ ବନ୍ଧୁକ ଓ ୩ ମୋବାଇଲ ଜବତ

ଦୁଇ ଦେଶୀ ବନ୍ଧୁକ ଓ ୩ ମୋବାଇଲ ଜବତ

ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା:  ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସହଯୋଗୀ ଗିରଫ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ଜଣେ ସହଯୋଗୀକୁ ଗିରଫ କରିଛି। ଏହି ମାମଲାରେ ପୁଲିସ ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିବା ବେଳେ ମୋଟ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଓ ତାଙ୍କ ସହଯୋଗୀ ଥବିର ହରିଜନଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଏବଂ ୩ଟି ସ୍ମାର୍ଟ ମୋବାଇଲ ଜବତ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟକୃଷ୍ଣ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜବତ ହୋଇଥିବା ଦୁଇ ଦେଶୀ ବନ୍ଧୁକ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତ ଅନ୍ତର୍ଗତ ଦୁଃଖୁଗୁଡା ଗ୍ରାମର ଗୌର ହରିଜନ ଏବଂ ନନ୍ଦାହାଣ୍ଡି ବ୍ଲକ ମିର୍ଗାନୀଗୁଡ଼ା ଗ୍ରାମର ରାଜଦେବ ହରିଜନଙ୍କ ଠାରୁ ଆଣିଥିବା ଉଭୟ ଅଭିଯୁକ୍ତ ସ୍ଵୀକାର କରିଥିବା ଶ୍ରୀ ବେହେରା କହିଛନ୍ତି। ଏହି ବନ୍ଧୁକ କାରବାରର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି। ବନ୍ଧୁକ କାରବାରରେ ସଂପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ବୋଲି ସେ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ତେନ୍ତୁଳିଖୁଣ୍ଟି ବ୍ଲକରେ ଉନ୍ନୟନ କାର୍ଯ୍ୟ ବିଲ୍‌କୁ କେନ୍ଦ୍ରକରି ଗତମାସ ୨୪ ତାରିଖ ମଧ୍ୟାହ୍ନରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ଭକ୍ତଙ୍କୁ ସ୍ଥାନୀୟ ବିଡିଓ ଦୁର୍ଯ୍ୟୋଧନ ଭୋଇ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ଭକ୍ତଙ୍କୁ କୋରାପୁଟ ଏସଏଲଏନ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ଆକ୍ରମଣକୁ ବିଜେପି ଓ କଂଗ୍ରେସ ତୀବ୍ର ନିନ୍ଦା କରିବା ସହିତ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏନେଇ ଯନ୍ତ୍ରୀ ଶ୍ରୀ ଭକ୍ତ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ କେଶ ନଂ-୮୨/୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମର ଗୋଲକ ନାୟକଙ୍କ ସମେତ ଅନ୍ୟମାନେ ମିଳିତ ଭାବେ କନିଷ୍ଠ ଯନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବନ୍ଧୁକ ପଛପଟ ବଟରେ ମୁଣ୍ଡକୁ ପ୍ରହାର କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ଥିଲେ। ଆକ୍ରମଣର ୫ ଦିନ ପରେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଫେରାର ଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ନବରଙ୍ଗପୁର ଏସ୍‌ପି ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ତେନ୍ତୁଳିଖୁଣ୍ଟି ପୁଲିସ ଏବଂ ପାପଡ଼ାହାଣ୍ଡି ଏସଡିପିଓଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ‌ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ତେନ୍ତୁଳିଖୁଣ୍ଟି ଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ବଇଲାଡିଲା ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ଗୋଲକ ଓ ସହଯୋଗୀ ଥବିରକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏଏସ୍‌ପି ଶ୍ରୀ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଏବଂ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe