ମେଡିକାଲ କଲେଜ ଦାବି ଜୋର ଧରିଲା

ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବାକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଦାବି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ngp-dhh rey medical college

ନବରଙ୍ଗପୁର: ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବାକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଦାବି ଜୋର ଧରିଛି। ଜିଲ୍ଲା ଆଇନଜୀବୀ ସଂଘ, ଜିଲ୍ଲା ନାଗରିକ କମିଟି, ବରିଷ୍ଟ ନାଗରିକ କମିଟି, ଦକ୍ଷିଣ ଓଡ଼ିଶା ବିକାଶପରିଷଦ, ନବରଙ୍ଗପୁର କଲେଜର ପୂରାତନ ଛାତ୍ର ସଂଘ ଆଲୁମିନାଇ କମିଟି, ଅବସରପ୍ରାପ୍ତ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀ, କେଏମ୍ ଚନ୍ଦ୍ରମ୍ ଆଦି ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହି ଦାବିକୁ ନେଇ ଅନୁରୋଧପତ୍ର ବିଭିନ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆଲୁମିନାଇ କମିଟିର ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ତ୍ରିପାଠୀ ପ୍ରଥମେ ଏହି ଦାବିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପୂରାତନ ଛାତ୍ର ଛାତ୍ରୀମାନେ ଇ-ମେଇଲ ମାଧ୍ୟମରେ ସେମାନଙ୍କ ଦାବି ଦୋହରାଇଛନ୍ତି। ଦାବିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଆବଶ୍ୟକୀୟ ସମସ୍ତ ପ୍ରକାର ଯୋଗ୍ୟତା ରହିଥ‌ିବା ଯୁକ୍ତି ବଢା ଯାଇଛିI

ନବରଙ୍ଗପୁର ସହରକୁ ସମସ୍ତ ପଞ୍ଚାୟତ ସମେତ ରାଜ୍ୟର ପ୍ରମୁଖ ସହରକୁ ଗମନାଗମନ ପାଇଁ ସଡକ ରାସ୍ତାର ସୁବିଧା ରହିଛି। ମାତ୍ର ୪୦ କି ମି ଦୂରରେ ଉମୁରି ଠାରେ ଜୟପୁର ରେଳ ଷ୍ଟେସନ ଏବଂ ଜୟପୁର ବିମାନବନ୍ଦର ରହିଛିI ୭୦ କିଲୋମିଟର ମଧ୍ୟରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସର୍ବ ପୂରାତନ ନବରଙ୍ଗପୁର କଲେଜ ସମେତ ଡିଗ୍ରୀ କଲେଜ, ପଲିଟେକନିକ କଲେଜ, ମଡେଲ ଡିଗ୍ରୀ କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି I

ରୋଗୀମାନଙ୍କ ଏବଂ କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ରହଣୀ ବ୍ୟବସ୍ଥା ସମେତ ବୋର୍ଡିଂ, ସପିଂମଲ୍ ଓ ବଜାରର ସୁବିଧା ନବରଙ୍ଗପୁରରେ ରହିଛି। ସେହିପରି ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଆରମ୍ଭ ପାଇଁ ଅନୁସଙ୍ଗିକ ଭିତ୍ତିଭୂମି, ଅତ୍ୟାଧୁନିକ ଯନ୍ତ୍ରପାତି ଯେଭଳି ସିଟିସ୍କାନ, ଇସିଜି ସହ ଡାଏଲସିସ୍ ସେବା ଆଦି ଉପଲବ୍ଦ ରହିଛି।

ଏହି ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମୀ ଥ‌ିବା ଅଞ୍ଚଳରେ ମେଡିକାଲ କଲେଜ ସ୍ଥାପନ କରାଗଲେ ଏହି ଅଞ୍ଚଳର ସ୍ଵାସ୍ଥ୍ୟ ସେବାର ଆବଶ୍ୟକ‌ତା ପୂରଣ ହେବା ସହ ଏହି ଅଞ୍ଚଳର ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଏହା ଗୁରୁତ୍ଵପୂର୍ଣ ଯୋଗଦାନ ଦେବ ବୋଲି ଜିଲ୍ଲାଆଇନଜୀବୀ ସଂଘର ସଭାପତି ସିରାଜୁଦ୍ଧିନ୍ ଅହମ୍ମଦ, ଆଲୁମିନି କମିଟିର ଗୌରଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ନାଗରିକ କମିଟିର ଜଗନ୍ନାଥ ମହାପାତ୍ର, ରାମପ୍ରସାଦ ପାତ୍ର, ବରି‌ଷ୍ଠ ନାଗରିକ ସଂଘର କୁମୁଦନାୟକ ପ୍ରମୁଖ କହିଛନ୍ତି।

ଜିଲ୍ଲା ସଦରମହକୁମା ସହ ଜିଲ୍ଲାର କୋଣ ଅନୁକୋଣ ସମସ୍ତ ୧୦ଟି ବ୍ଲକର ୧୮୯ଟି ପଂଚାୟତର ସମସ୍ତ ଅଂଚଳ ସହ ଯୋଗାଯୋଗ ପାଇଁ ରାସ୍ତା ବି ରହିଛି। ଏବେ ଏଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ତା ସହ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଣାଯାଇଛି। ମେଡିକା‌ଲ କଲେଜ ନବରଙ୍ଗପୁରରେ ଖୋଲାଗଲେ ଏସବୁ ଯନ୍ତ୍ରାଂଶର ବ୍ୟବହାର ସାଙ୍ଗକୁ ରୋଗୀ ମାନେ ବି ‌ଭଲ ସେବା ପାଇପାରିବେ। ବାହାରୁ ଆସୁଥିବା ପ୍ରଫେସର, ସୁପରସ୍ପେଷିଆଲିଷ୍ଟ ମାନଙ୍କୁ ଯିବା ଆସିବା କରିବା ପାଇଁ ବି ନବରଙ୍ଗପୁର ସହର ଉପଯୁକ୍ତ ସ୍ଥାନ ବୋଲି ଏମାନେ ଦାବି କରିଛନ୍ତି।

Health 

ରିପୋର୍ଟ: ସୁରେଶ ନାଇଡୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe