ନବରଙ୍ଗପୁର (ସୁରେଶ ନାଇଡୁ): ରାଜନୈତିକ ଇଛାଶକ୍ତି ଅଭାବ ହେଉ କି ପ୍ରଶାସନିକ ସ୍ଥାଣୁତା ହେଉ ଦେଶ ସ୍ବାଧୀନତାର ୭୮ବର୍ଷ ପରେ ବି ନବରଙ୍ଗପୁର ଜିଲ୍ଲାବାସୀ ରେଳଲାଇନ୍ ଦେଖିପାରିନାହାନ୍ତି। ଏହା ଦେଖିବାକୁ ଆଉ କେତେ ବର୍ଷ ଲାଗିବ ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ। ବହୁଚର୍ଚ୍ଚିତ ରେଳପ୍ରକଳ୍ପ ଜୟପୁର-ନବରଙ୍ଗପୁର ରେଳପଥକୁ ପ୍ରସଙ୍ଗ କରି ୨ଟି ସରକାର ୨ଟି ନିର୍ବାଚନର ବୈତରଣୀ ପାର କରିଛନ୍ତି। ଏହା ବାଦେ ବି ୧୦ବର୍ଷ ପରେ ଜମି ସର୍ଭେରେ ସୀମିତ, ଇଞ୍ଚେ ଜମି ଅଧିଗ୍ରହଣ ହୋଇପାରିନାହିଁ। ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିବା ୭୫୦ କୋଟି ଏବେ ୧୫୦୦କୋଟିରେ ପହଚିଂଛି।

Advertisment

ପ୍ରକଳ୍ପ ପାଇଁ  ୩୮କିଲୋ ମିଟରର ସର୍ଭେ ସରିଛି। ଏଥିରେ ନବରଙ୍ଗପୁର ଜିଲ୍ଲାରେ  ୭.୧କିଲୋମିଟର ବ୍ରଡଗେଜ୍ ଲାଇନ୍ ହେବ। ସର୍ଭେରେ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ତହସିଲର ଡାଇଭଟ୍ଟା, ନୂଆଗୁଡା ସିନ୍ଦିଗୁଡା, ଗାଦବାଗୁଡା ଓକେଶରୀଗୁଡା  ଓ ନବରଙ୍ଗପୁର ତହସିଲର ନବରଙ୍ଗପୁର ମୌଜା ସହ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁର ମୌଜାରୁ ୭୮୦.୧୭୧ଏକର ଜମି ଏହି ପ୍ରକଳ୍ପ ପାଇଁ ବେସରକାରୀ ଲୋକଙ୍କର ଚାଷଜମି ଓଘର ପ୍ଲଟ ଆଦି ଯାଉଥିବା ସର୍ଭେରେ ଜଣାପଡିଛି।ଜିଲ୍ଲାର ନନ୍ଦାହାଣ୍ଡି ତହସିଲର ଡାଇଭଟା ମୌଜାରୁ ୧୪.୬୬୬ଏକର, ନୂଆଗୁଡାରୁ ୪୦.୧୯୦ଏକର, ସିନ୍ଧିଗୁଡାର ୧୭.୮୭୬ଏକର, ଗାଧବାଗୁଡାର ୩୫.୮୧୫ଏକର, କେଶରୀଗୁଡାର ୩୦.୧୧୫ଏକର  ଓ ନବରଙ୍ଗପୁର ମୌଜାରୁ ୬.୯୮୧ ଏକର ଏଭଳି ୧୪୫,୬୪୩ଏକର ରେଳଲାଇନ୍ ପାଇଁ ଜମି ଯିବ। ୬ଟି ଯାକ ମୌଜାରେ ବହୁ ଚାଷ ଜମି ମଧ୍ୟରୁ ରେଳ ଯାଉଛି। ଏଥି ପାଇଁ ଜମିହରାଙ୍କୁ ଉଭୟ ତହସିଲରେ ୩୦୦କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ୨୦୧୬ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସରକାର ଥିବା ସମୟରେ ଜୟପୁର-ନବରଙ୍ଗପୁର, ଜୟପୁର - ମାଲକାନଗିରୀ ରେଳପଥ ପାଇଁ ଏମୟୁ  କରି ବିଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ରସରକାର। ତତ୍କାଳୀନ ବିଜେଡି ନେତୃତ୍ବାଧୀନ ସରକାର ନିଜେ ଜମି କିଣି କେନ୍ଦ୍ରକୁ ମାଗଣା ଜମି ସାଙ୍ଗକୁ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲେ।

ଆହୁରି ପଢ଼ନ୍ତୁ: Encounter: ୩ ନକ୍ସଲ ନିହତ; ଜଣେ ଯବାନ ସହିଦ, ଜଣେ ଆହତ

୨୦୧୬ରୁ ୨୦୨୪ଯାଏଁ ରାଜ୍ୟରେ ବିଜେଡି ସରକାର  ଶାସନରେ ରହିଥିଲା। ଏହି ୮ବର୍ଷ ମଧ୍ୟରେ ରାଜ୍ୟସରକାର ଜମି କିଣି ‌କାହିଁକି ଦେଇପାରିଲା ନାହିଁ ‌ତାହାକୁ‌ ନେଇ ବିଜେପି ନେତାଙ୍କ ସହ ସାଧାରଣ ଜନତାଙ୍କ ପ୍ରଶ୍ନ।  ଏହି ସରକାର ଅମଳରେ ବାରମ୍ବାର  ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ବଦଳିଥିଲେ। ତହସିଲଦାର ମାନଙ୍କୁ ଜମି ଅଧିଗ୍ରହଣ ପାଇଁ  ସ୍ବତନ୍ତ୍ର-ଭୂଅର୍ଜନ ଅଧିକାରୀ ଭାବେ ଦାୟିତ୍ବ ଦେଇଛନ୍ତି। ତହସିଦଲଦାର ମାନେ ଦାୟିତ୍ବ ନେବା ପରେ ନବରଙ୍ଗପୁର ତହସିଲର ନବରଙ୍ଗପୁର ମୌଜାରେ ପବ୍ଲିକ ନୋଟିସ ସହ ବ୍ୟକ୍ତିଗତ ନୋଟିସ୍ ଦିଆସରିଛି। ନନ୍ଦାହାଣ୍ଡି ତହସିଲରେ ପବ୍ଲିକ ନୋଟିସ୍ ହୋଇସାରିଛି।

ଆହୁରି ପଢ଼ନ୍ତୁ: ଭାରତୀୟ ମଜଦୁର ସଂଘର ୨୧ତମ ତ୍ରିବାର୍ଷିକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ଦିବସ ରହିଥିଲା। ଏବେ ବ୍ୟକ୍ତିଗତ ନୋଟିସ୍ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଆଯିବ ବୋଲି କହିଛନ୍ତି ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ।‌ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଏବେ ବାରମ୍ବାର ଜିଲ୍ଲାପ୍ରଶାସନକୁ ଏହି ପ୍ରକଳ୍ପକୁ ତ୍ବାରାନ୍ବୀତ କରିବାକୁ ଭିଡିଓ କନଫେରନସିଂରେ ତାଗିଦ୍ କରାଯାଉଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନନ୍ଦାହାଣ୍ଡି ଓନବରଙ୍ଗପୁର ତହସିଲଦାର, ରେଳବାଇର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଡାକି ସମୀକ୍ଷା କରିବା ସହ ତୁରନ୍ତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ନୋଟିସ ହିତାଧିକାରୀ ମାନେ ପାଇବା ପରେ ସେମାନେ ସେମାନଙ୍କ କ୍ଷତିପୂରଣକୁ‌ ନେଇ ରାଜି ହେଲେ ଜମି ଅଧିଗ୍ରହଣ ଆଗେଇବା ସହ ପ୍ରକଳ୍ପ ବି ଆଗେଇବ।  ଏହି ପ୍ରକଳ୍ପ ଆଗେଇଲେ ନବରଙ୍ଗପୁର-ଜୁନାଗଡ ପ୍ରକଳ୍ପ ବି ଆଗେଇ ପାରିବ ।