ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ଜଣେ ଉଚ୍ଚଶିକ୍ଷିତ ମହିଳା ଏବେ ବାଲ୍ୟବିବାହ ରୋକିବା ସହ ସମାଜ ସୁଧାରିବାକୁ ଅଣ୍ଟାଭିଡିଛନ୍ତି। ସେ ହେଉଛନ୍ତି ପାପାଡାହାଣ୍ଡି ବ୍ଲକନିବାସୀ ତଥା ଶୋଭା ଅନୁଷ୍ଠାନର ନବରଙ୍ଗପୁର ଜିଲ୍ଲା ସଂଯୋଜିକା ଉମା ସତନାମୀ। ବାଲ୍ୟବିବାହ କରି ତାଙ୍କ ମାଆଙ୍କ ସହ ଉପୁଜିଥିବା ସମସ୍ୟା ପିଲା ବେଳେ ଦେଖି ଆସିବା ପରେ ତାଙ୍କୁ ଜିଲ୍ଲାରେ ଚାଳିଥିବା କୁପ୍ରଥାକୁ ବନ୍ଦ କରିବା ସହ ଲୋକଙ୍କ ସେବା କରିବା ଆଡ଼କୁ ପ୍ରେରଣା ଦେଇଥିବା କହିଛନ୍ତି ଉମା।
ଜିଲ୍ଲାରେ ବ୍ୟାପକ ବାଲ୍ୟବିବାହ କରିବା ଏବଂ ମାତୃମୃତ୍ୟୁହାରକୁ ନେଇ ତାଙ୍କ ମନରେ ସବୁ ବେଳେ ଭିନ୍ନ ଏକ ଆନ୍ଦୋଳିତ ହେଉଥିଲା। ନିଜ ଜିଲ୍ଲାପାଇଁ କିଛି କରିବାକୁ ସେ ଦିନ ରାତି ଶୋଇ ପାରୁନଥିଲେ। ନବରଙ୍ଗପୁରରେ ସ୍ନାତକ ଓ ଭୁବନେଶ୍ବରରେ ଏମଏସଡ୍ଲୁ ପଡିଥିବା ଉମା ବଡ଼ବଡ଼ ସହରରେ କାମ କରିବା ବଦଳରେ ନିଜ ଜିଲ୍ଲାର ଲୋକଙ୍କ ସେବାରେ ଲାଗିବାକୁ ମନସ୍ଥ କରିଥିଲେ। ଏବେ ସେ ସ୍ବେଚ୍ଛାସେବୀ ଭାବେ ସେ ଜିଲ୍ଲାର କୋଣ ଅନୁକୋଣକୁ ବୁଲି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଏବଂ ଶିଶୁ ଯୌନ ଶୋଷଣ ରୋକିବା ଓ ସଚେତନତା ସୃଷ୍ଟି କରୁଛନ୍ତି।
ଗତ ୩ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ମିଶି ୬୦୦ରୁ ଊର୍ଦ୍ଧ୍ବ ବାଲ୍ୟବିବାହ ରୋକିବାରେ ସଫଳତା ପାଇଛନ୍ତି। ୧୫୦ରୁ ଊର୍ଦ୍ଧ୍ବ ଶିଶୁ ଶ୍ରମିକ ଏବଂ ଅପହରଣ କରାଯାଇଥିବା ଶିଶୁଙ୍କୁ ଉଦ୍ଧାର ଦିଗରେ କାମ କରିଛନ୍ତି ଉମା। ଏହା ସହ ୭୦ରୁ ଊର୍ଦ୍ଧ୍ବ ଯୌନ ଶୋଷଣରେ ଶିକାର ଶିଶୁଙ୍କ ପରିବାରକୁ ସହଯୋଗ କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଖାରଜ ହେଇଥିବ ଗୋଟିଏ ପକ୍ସେ ମାମଲାକୁ ରାଜ୍ୟ ଆଇନସେବା ପ୍ରାଧୀକରଣରେ ପୁନଃ ଦରଖାସ୍ତ ଦେଇ ତାଙ୍କର ଅନୁକମ୍ପା ରାଶି ୬ଲକ୍ଷ ମିଳିବା ଦିଗରେ ପ୍ରୟାସ କରିଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମରେ ବିଭିନ୍ନ ସରକାରୀ ଯୋଜନା, ଆଇନ ସମ୍ପର୍କରେ କଣ୍ଢେଇ ନାଚ ଓ ଅନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। କିଶୋରୀ, ସରପଞ୍ଚ, ୱାର୍ଡ ମେମ୍ବର, ସାମାଜିକ ମୁଖ୍ୟ, ପୂଜକ, ଚର୍ଚ୍ଚର ପାଳକ, ଗଣ୍ଡା, ଚାଳନ, ଅଙ୍ଗନବାଡି, ଆଶା ଦିଦିଙ୍କୁ ବାଲ୍ୟ ବିବାହ ସହ ଅନ୍ୟ ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି। ନିଜ ଆଖି ଆଗରେ ବାଲ୍ୟବିବାହ କରି ନାବାଳିକା ମାନେ ପ୍ରସବ ସମୟରେ ମରି ଯାଉଛନ୍ତି। ଏହାକୁ ରୋକିବାକୁ ପଡ଼ିବ। ସେ ଦିଗରେ ମୁଁ କାମ କରୁଛି। ରକ୍ତ ଅଭାବରୁ କେହି ମରିବାକୁ ହେବ ନାହିଁ। ଏହି ସଚେତନତା ବି ମୁଁ ସୃଷ୍ଟି କରୁଛି।
ଆହୁରି ପଢ଼ନ୍ତୁ: Bangladesh Temple: ବାଂଲାଦେଶରେ ମନ୍ଦିର ଉପରେ ବୋମା ବିସ୍ଫୋରଣ
ରକ୍ତଦାନ ଶିବିର ହେଉକି ଡାକ୍ତରଖାନାରେ ଜରୁରୀ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରି ବି ଦିଆଯାଉଛି ବୋଲି କହିଛନ୍ତି ଉମା। ଶୋଭା ଓ ଆମଓଡିଶା ପକ୍ଷରୁ ଆୟୋଜିତ ଶିବିରରେ ବି ସେ ନିଜ ଅଂଚଳର ମହିଳା ଓ ଯୁବକଙ୍କୁ ଆଣି ନିଜେ ଓ ଅନ୍ୟ ମାନେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉମା କହିଛନ୍ତି, ଆପଣମାନେ କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହଁନ୍ତି; ଆପଣମାନଙ୍କ ଶକ୍ତି, ସାହସ, ସଚେତନ ଏବଂ ଜାଗ୍ରତ ହେଲେ ନୂଆ ଓଡିଶା ଗଠନ କରିପାରିବା। ଶିକ୍ଷିତ ହୁଅନ୍ତୁ ଓ ଆତ୍ମନିର୍ଭରଶୀଳ ହୁଅନ୍ତୁ,ନିଜକୁ କେବେବି ଦୁର୍ବଳ ଭାବନ୍ତୁ ନାହିଁ,ସାମାଜିକ କୁସଂସ୍କାରକୁ ବନ୍ଦ କରନ୍ତୁ,ଯୌତୁକ, ବାଲ୍ୟବିବାହ, ଏବଂ ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ଲଢ଼ନ୍ତୁ। ଆପଣଙ୍କର ଛୋଟ ପଦକ୍ଷେପ ହିଁ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଉମା।
Follow Us