ବର୍ଷାରେ ଧୋଇଗଲା କହେଁଇମୁଣ୍ଡା ଡାଇଭର୍ସନ ରାସ୍ତା, ଇନ୍ଦ୍ରାବତୀ-ତେନ୍ତୁଳିଖୁଣ୍ଟି ଯୋଗାଯୋଗ ବିଛିନ୍ନ

ବର୍ଷାରେ ଧୋଇଗଲା କହେଁଇମୁଣ୍ଡା ଡାଇଭର୍ସନ ରାସ୍ତା, ଇନ୍ଦ୍ରାବତୀ-ତେନ୍ତୁଳିଖୁଣ୍ଟି ଯୋଗାଯୋଗ ବିଛିନ୍ନ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କହେଁଇ ମୁଣ୍ଡା ଡାଇଭର୍ସନ ରାସ୍ତା ଗତକାଲିର ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ତେନ୍ତୁଳିଖୁଣ୍ଟିରୁ ଇନ୍ଦ୍ରାବତୀକୁ  ଯୋଗାଯୋଗ ବିଛିନ୍ନ ହୋଇଛି।

ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି -ଇନ୍ଦ୍ରାବତୀ ରାସ୍ତାର କହେଁଇ ମୁଣ୍ଡା ନାଳ ଉପରେ ୨୦୨୩ ମସିହା ଡିସେମ୍ବର ମାସରୁ ୪ କୋଟି ବ୍ୟୟରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଯାନବାହାନ ତଥା ସାଧାରଣଙ୍କ ଯାତାୟତ ପାଇଁ ପାର୍ଶ୍ୱରେ ଡାଇଭର୍ସନ ରାସ୍ତା ନିର୍ମାଣ ହୋଇଥିବା ବେଳେ ଗତକାଲିର ଲଗାଣ ବର୍ଷାରେ ଧୋଇ ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି। ଏହି ରାସ୍ତାରେ ଦୈନିକ ଶହ ଶହ ଗାଡ଼ିମଟର ଚଳାଚଳ କରୁଥିବା ବେଳେ ଡାଇଭର୍ସନ ରାସ୍ତା ଧୋଇଦେବା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି। ଇନ୍ଦ୍ରାବତୀରୁ ତେନ୍ତୁଳିଖୁଣ୍ଟି ଦେଇ ନବରଙ୍ଗପୁର ଯାଉଥିବା ଅନେକ ଯାତ୍ରୀବାହୀ ବସ୍ ପଣସପଦର ରାସ୍ତା ଦେଇ ଯିବାକୁ ପଡୁଛି। ଇନ୍ଦ୍ରାବତୀ ରୁ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ,ହସ୍ପିଟାଲ ଭଲି ସରକାରୀ ଅନୁଷ୍ଠାନ ରେ କାର୍ଯ୍ୟ କରୁଥିବା କର୍ମଚାରୀ ତଥା ଜନସାଧାରଣ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଥିବା ପୋଲ ଠାରୁ କମ ଉଚ୍ଚରେ କେବଳ ପାଞ୍ଚୋଟିରୁ ସାତୋଟି ହ୍ୟୁମ ପାଇପ ପକେଇ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା। ଏଣୁ ବର୍ଷାରେ ଡାଇଭର୍ସନ ରାସ୍ତା ଧୋଇଯିବା ସହ ଯୋଗାଯୋଗ ବିଛିନ୍ନ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଯୋଗୁଁ ପୂର୍ବରୁ ସମ୍ପୃକ୍ତ ବିଭାଗ ର ଦୃଷ୍ଟି ଆକର୍ଷଣ କରାଯାଥିଲା। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ଆଜି ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଗୌଡ଼ ଦେଓପାଲି,ବାରଙ୍ଗ ପଦର ଲମତା ଗୁଡା ପଂଚାୟତର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରି ତେନ୍ତୁଳିଖୁଣ୍ଟି ନବରଙ୍ଗପୁରକୁ ଯାଇଥାନ୍ତି। ହେଲେ ରାସ୍ତା ଧୋଇ ହୋଇ ଯୋଗାଯୋଗ ବିଛିନ୍ନ ହେବାରୁ ଜନସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ପାଇ ରାସ୍ତା ଓ ଗୃହ ନିର୍ମାଣ ଯନ୍ତ୍ରୀ ମନୋରଞ୍ଜନ ସାହୁ କହେଁଇ ମୁଣ୍ଡା ପୋଲ କାର୍ଯ୍ୟ ସ୍ଥଳରେ ପହଞ୍ଚି ଡାଇଭର୍ସନ ରାସ୍ତା ମରାମତି କରିବା ବ୍ୟବସ୍ଥା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe