ନବରଙ୍ଗପୁର (ସୁରେଶ ନାଇଡୁ): ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଓଡ଼ିଶା ଜୀବିକା ମିସନ ଯେଭଳି ନବରଙ୍ଗପୁର ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଦଳକୁ ଆର୍ଥିକସ୍ତରରେ ସଶକ୍ତ କରିବା କଥା କରି ପାରିନି। ଏହାର ପ୍ରମୁଖ କାରଣ ହେଉଛି କର୍ମଚାରୀ ସଙ୍କଟ। ଏଭଳିକି ଜିଲ୍ଲାର ୯ଟି ବ୍ଲକରେ କର୍ମଚାରୀ ରହିଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ କେହି ନଥିବା ଏହି ଯୋଜନାର ସଫଳ ରୁପାୟନ ଉପରେ ପ୍ରଶ୍ନ ସୃଷ୍ଟି କରୁଛି।  

Advertisment

ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଂଚାୟତରେ ଗ୍ରାମପଂଚାୟତସ୍ତରୀୟ ମହାସଂଘ (ଜିପିଏଲଏଫ), ୧୮୭୭ଟି କ୍ଲଷ୍ଟରସ୍ତରୀୟ ମହାସଂଘ(ସିଏଲଏଫ), ୧୪,୨୨୪ଟି ଏସଏଚଜି ରହିଛି। ଜିଲ୍ଲାର ୧୦ଟି ବ୍ଲକରୁ ନବରଙ୍ଗପୁର, ଡାବୁଗାଁ, ରାଇଘର ଓ ପାପଡାହାଣ୍ଡିରେ ବ୍ଲକ ପ୍ରକଳ୍ପ ପ୍ରବନ୍ଧକ(ବିପିଏମ୍) ରହିଥିବା ବେଳେ ବଳକା ୬ଟି ବ୍ଲକରେ ବିପିଏମ୍ ପଦବୀ ଖାଲି ପଡିଛି। ବ୍ଲକସ୍ତରୀୟ ସଂ‌ଯୋଜକ(ବିଏଲସି) ରାଇଘର, ନବରଙ୍ଗପୁର, ପାପାଡାହାଣ୍ଡି, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡିରେ ରହିଛନ୍ତି। ଜିଲ୍ଲାର ୧୮୯ଟି ପଂଚାୟତରେ ୧୫୬ଜଣ ଏମବିକେ, ୪୭ଜଣ ବ୍ୟାଙ୍କମିତ୍ର, ୧୩୭୬ଜଣ ସିଆରପି-ସିଏମ, ୧୪୩ଜଣ କୃଷିମିତ୍ର, ୯୬ଜଣ ପ୍ରାଣୀ ମିତ୍ର ରହିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ବିପିଏମ୍ କିମ୍ବା ବିଏଲସି ପଦବି ପ୍ରକଳ୍ପ ଆରମ୍ଭ ହେବା ପର ଠାରୁ ଖାଲି ପଡିଛି। ଫଳରେ ଏହି ବ୍ଲକରେ ଜୀବିକା ମିସନର କିଛି କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ହୋଇନି।

କର୍ମଚାରୀ ଅଭାବ

୨୦୨୨-୨୩ରୁ ମାସିକ ପ୍ରକଳ୍ପ ରିପୋର୍ଟ ଗୁଡ଼ିକ ସଠିକ ଭାବେ ଅନ୍‌ଲାଇନ୍‌ରେ କର୍ମଚାରୀ ଅଭାବରୁ ଦାଖଲ ହୋଇପାରିନି। ଜିଲ୍ଲାରେ ୧୦୫୮୩ 'ଲକ୍ଷପତି ଦିଦି' କରାଯିବା ଲକ୍ଷ୍ୟ ରହିଥିଲେ ହେଁ ଏ ଯାଏଁ ୯୯୨୬ଜଣଙ୍କୁ କରାଯାଇଛି। ତଦାରଖ କରିବାକୁ ବ୍ଲକସ୍ତରରେ ମୁରବୀ ନଥିବାରୁ ପଂଚାୟତସ୍ତରରେ ଦୁର୍ନିତୀ ହୋଉଥିବା ଜଣା ପଡ଼ିଛି। ୨୦୧୯ମସିହାରୁ ଝରିଗାଁ ବ୍ଲକର୬ଟି ପଂଚାୟତରେ ଜିଏଲପି ଜରିଆରେ ହୋଇଥିବା ପ୍ରକଳ୍ପ ଗୁଡିକରେ ବ୍ୟାପକ ଦୁର୍ନୀତି ହୋଇଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯାଂଚ ବେଳେ ଜାଣି ପାରିଥିଲେ। ଉମରକୋଟ ବ୍ଲକର ସୁନାବେଡ଼ା ପଂଚାୟତରେ ବି ଅନୁରୁପ ହୋଇଥିବା ଜିଲ୍ଲାସ୍ତରରେ ଥିବା ଡିପିଏମ୍ କାର୍ଯ୍ୟାଳୟ‌ ଜାଣିପାରିଛି। ଏଭଳିକି ଏହି ସମସ୍ୟାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ଝରିଗାଁ ବିଧାୟକ ନରସିଂହ ଭତରା ଅବଗତ କରିଥିଲେ। 

ଆହୁରି ପଢ଼ନ୍ତୁ: Venezuela Invasion : ଜାତିସଂଘ ଡାକିଲା ଜରୁରୀ ବୈଠକ

କାର୍ଯ୍ୟାନୁଷ୍ଠାନର ଅଭାବ

ଏନେଇ ସେ ଓଏଲଏମ୍ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧିକା ସସ୍ମିତା ସାମନ୍ତରାୟଙ୍କୁ ସବୁ ପଚାରି ବୁଝିଥିଲେ। ସେ ବି କର୍ମଚାରୀ ଅଭାବ ଓ ହୋଇଥିବା ଦୁର୍ନୀତି ସମ୍ପର୍କରେ ଅବଗତ କରିଥିଲେ। ଏହା ବାଦେ ଟିମ୍ ଆସି ତଦନ୍ତ କରି ଫେରିଥିଲେ। ତେବେ ଦୁର୍ନୀତିଖୋରଙ୍କ ଉପରେ ‌କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଖାଲି ପଡିଥିବା ପଦବି ପୂରଣ ପାଇଁ ରାଜ୍ୟ ଜୀବିକା ମିସନ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ବାଦେ ବି ନୂଆ କର୍ମଚାରୀ ମିଳି ନଥିବା କହିଛନ୍ତି ପ୍ରବନ୍ଧିକା। ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଯୋଜନାର ସଫଳ ରୁପାୟନ ପାଇଁ  ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧିକା ସସ୍ମିତା ସାମନ୍ତରାୟ। କର୍ମଚାରୀ ଅଭାବ ଥିଲେହେଁ ଜିଲ୍ଲାର ନବରଙ୍ଗପୁର, ଉମରକୋଟ ଓ ରାଇଘର ଅଂଚଳର ବହୁ ଏସଏଚଜି ଗୃପ ଆର୍ଥିକସ୍ତରରେ ସଶକ୍ତ ହୋଇପାରିଛନ୍ତି ବୋଲି କହିଛନ୍ତି ପ୍ରବନ୍ଧିକା।

ଆହୁରି ପଢ଼ନ୍ତୁ: Friend died in Accident: ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ