ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର ନରସିଂହଗୁଡା ଛକରେ ଆଜି ଅପରାହ୍ନରେ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ନବରଙ୍ଗପୁର ଥାନା ସିନ୍ଧିଗୁଡା ପଂଚାୟତ ଅନ୍ତର୍ଗତ କୁମଝୋର ଗ୍ରାମର ଭଗବାନ ଧାକଡ଼(୩୨)ବୋଲି ପୁଲିସ ସୂଚନା ଦେଇଛି। ବାଇକ୍ର ପଛରେ ବସିଥିବା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମର ବାସୁଦେବ ଗୌଡ଼(୨୮) ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେନ୍ତୁଳିଖୁଣ୍ଟି ଏଏସଆଇ ଭରତ ମାଝୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ଏବଂ ବାଇକ୍କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
ଏହି ଖବର ପଢ଼ନ୍ତୁ: ଗଛରେ ପିଟିହେଲା କାର: ଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ପୁଲିସ ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ନବରଙ୍ଗପୁର ସହରରୁ ୭ ଜଣ ଏକ ଅଟୋ ଯୋଗେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟା ଗ୍ରାମକୁ ଫେରୁଥିଲେ। କୁମଝୋର ଗ୍ରାମର ଭଗବାନ ଧାକଡ଼ ଏବଂ ମାଳିଗୁଡା ଗ୍ରାମର ବାସୁଦେବ ଗୌଡ଼ କୌଣସି କାମପାଇଁ ଏକ ବାଇକ ଯୋଗେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳ ଗୁମ୍ମା ଗ୍ରାମକୁ ଯାଇ ନିଜ ଗ୍ରାମ ଅଭିମୁଖେ ଫେରୁଥଲେ।
ଏହି ଖବର ପଢ଼ନ୍ତୁ: ବିମାନବନ୍ଦରରେ ବୋମା ମିଳିଲେ ପ୍ରଥମେ ଏଥିରେ ରଖାଯାଏ
ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର ନରସିଂହଗୁଡ଼ା ନିକଟରେ ଉଭୟ ଅଟୋ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଚାଳକ ଭଗବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପଛରେ ବସିଥିବା ବାସୁଦେବ ଗୁରୁତର ଆହତ ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ସଡ଼କ ଦୁର୍ଘଟଣାରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ
ସେହିପରି ଅଟୋରେ ବସିଥିବା ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେନ୍ତୁଳିଖୁଣ୍ଟି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ଏହି ଖବର ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୪.୮ଡିଗ୍ରି ରେକର୍ଡ଼