ନବରଙ୍ଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକୀର ଜିଲ୍ଲାସ୍ତରୀୟ ଉତ୍ସବ ଅବସରରେ ଚାଉଁରିଆଗୁଡା ସତସଙ୍ଗ ବିହାର ନିକଟରୁ ସର୍କିଟ ହାଉସ ପଡ଼ିଆ ପର୍ଯ୍ୟନ୍ତ ପଥ ସଞ୍ଚାଳନ ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ (ଜିଲ୍ଲାପରିଷଦ) କାର୍ଯ୍ୟାଳୟ ସମ୍ମୁଖ ଦେଇ ଯିବା ସମୟରେ କାର୍ଯ୍ୟାଳୟ କାନ୍ଥରେ ଥିବା ମହୁଫେଣାରୁ ମହୁମାଛି ଏକାସହ ଅଚାନକ ପଳାଇ ଆସିଥିଲେ। ଏମାନେ ଆସିବା ଦ୍ବାରା ପଥ ସଞ୍ଚାଳନରେ ଥିବା ଶତଧିକ ସ୍ବୟଂସେବକଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ତେବେ ୨୦ଜଣଙ୍କୁ ବେଶି କାମୁଡିଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ୧୫ଜଣଙ୍କୁ ଛଡାଯାଇଥିବା ବେଳେ ୫ଜଣ ଚିକିତ୍ସାଧୀନ ରହିଛନ୍ତି। ସେମାନେ ହେଲେ ସୁଧାଂଶୁ ବିଷୋୟୀ, କେ.ସନ୍ତୋଷ କୁମାର ରାଓ , ରଘୁନାଥ ରାଓ, ତୁଷାରକାନ୍ତି ଠାକୁର ଓ ତପନ କୁମାର। ତେବେ ଏପରି ପଥ ସଞ୍ଚାଳନ ସମୟରେ କିଏ ଓ କେଉଁ ଉଦେଶ୍ୟରେ ମହୁମାଛିଙ୍କୁ ଘଉଡାଇଥିଲା ତାହାକୁ ନେଇ ଚର୍ଚ୍ଚା।
ଆହୁରି ପଢ଼ନ୍ତୁ: Tractor Seized: ବେଆଇନ ବାଲି ଚାଲାଣ, ୪ ଟ୍ରାକ୍ଟର ଜବତ
ଜିଲ୍ଲାର ୧୦ଟି ଯାକ ବ୍ଲକ, ଉମରକୋଟ ଓ ନବରଙ୍ଗପୁର ପୌରାଂଚଳରୁ ୧୨୭୫ ଜଣ ସ୍ଵୟଂସେବକ ପୂର୍ଣ୍ଣଗଣ ବେଶରେ ଯୋଗଦେଇଥିଲେ। ସହରର ବିଭିନ୍ନ ସ୍ଥାନରେ ମା’ ଭଉଣୀ ତଥା ଶୁଭେଚ୍ଛୁମାନେ ଭାରତମାତା କୀ ଜୟ ନାରାଦେଇ ସ୍ଵାଗତ ଜଣାଇଥିଲେ। ସର୍କିଟ ହାଉସ ପଡ଼ିଆ ଠାରେ ଜିଲ୍ଲା ସଂଘଚାଳକ ଯୁଧିଷ୍ଠିର ରାଜଗଣ୍ଡଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଆହୁରି ପଢ଼ନ୍ତୁ: BIHAR ELECTIONS : ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ, ତେଜ ପ୍ରତାପଙ୍କ ବିରୋଧରେ ଏଫଆଇଆର
ମୁଖ୍ୟଅତିଥି ରୂପେ ଭାରତୀୟ ସେନାର ଅବସରପ୍ରାପ୍ତ କମାଣ୍ଡର ଡ଼ି. ସୁବ୍ରମଣ୍ୟମ ଓ ମୁଖ୍ୟବକ୍ତା ଭାବରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଶାରୀରିକ ଶିକ୍ଷଣ ସଂଯୋଜକ ହରେକୃଷ୍ଣ ମାଝୀ ଯୋଗ ଦେଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ୧୦୦ ବର୍ଷର ଯାତ୍ରାରେ ସଂଘ ପ୍ରତି ହୋଇଥିବା ଉପହାସ, ବିରୋଧ ଓ ସମର୍ଥନର ଗାଥାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିବାସହ ସ୍ଵୟଂସେବକଙ୍କ ନିରବଛିନ୍ନ ସାଧନା ଫଳରେ ଆଜି ଆମର କାର୍ଯ୍ୟର ସଫଳତା ବିଷୟରେ ସ୍ଵୟଂସେବକମାନଙ୍କୁ ପ୍ରେରିତ କରିଥିଲେ।
ଆଗାମୀ ଦିନରେ ଗୃହ ସଂପର୍କ ଅଭିଯାନ ମାଧ୍ୟମରେ ସାମାଜିକ ସମରସତା, ସ୍ୱ- କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣର ସୁରକ୍ଷା ଓ ନାଗରିକ କର୍ତ୍ତବ୍ୟ ଭଳି ପଞ୍ଚ ପରିବର୍ତ୍ତନର ଆହ୍ଵାନ ଦେଇଥିଲେ। ସ୍ଵୟଂସେବକମାନଙ୍କ ଦ୍ଵାରା ଗଣସମତା, ନିୟୁଦ୍ଧ, ଆସନ ଓ ବ୍ୟାୟାମ ଯୋଗ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନଙ୍କ ପରିଚୟ ଜିଲ୍ଲା କାର୍ଯ୍ୟବାହ ଏସ୍.ଦେବେନ୍ଦ୍ର ଦୋରା କରାଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ମାତା ଭଗିନୀ ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ଏହି ପଥ ସଞ୍ଚାଳନରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି କୁଂଜ ବିହାରୀ ଦାଶ, କାହ୍ନୁ ଦାଶ, ଅଚ୍ୟୁତାନନ୍ଦ ବିଷୋଇ, ଅନନ୍ତ ପଣ୍ଡାଙ୍କ ସମେତ ବହୁ ରାଜନୈତିକ ନେତୃବୃନ୍ଧ ସ୍ବୟଂ ସେବକ ଭାବେ ଏଥିରେ ଭାଗ ନେଇଥିଲେ। ଡିଏଚଏଚକୁ ଯାଇ ବିଧାୟକ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।
Nabarangpur