ଗାଁକୁ ଗଲାନି ଆମ୍ବୁଲାନ୍ସ, ରାସ୍ତା ପାର୍ଶ୍ବରେ ସନ୍ତାନ ଜନ୍ମ ଦେଲେ ମହିଳା

ଗାଁକୁ ଗଲାନି ଆମ୍ବୁଲାନ୍ସ, ରାସ୍ତା ପାର୍ଶ୍ବରେ ସନ୍ତାନ ଜନ୍ମ ଦେଲେ ମହିଳା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଦେଖିବାକୁ ମିଳିଲା ଜନନୀ ଯନ୍ତ୍ରଣା। ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଛି ଜନନୀ ଯନ୍ତ୍ରଣା। କେଉଁଠାରେ ଆସନ୍ନ ପ୍ରସବା ମା ରାସ୍ତା ନ ଥିବାରୁ ଡୋଲାରେ ବୁହା ହୋଇ ପ୍ରସବ ପାଇଁ ଆସୁଛନ୍ତି ତ କେଉଁଠି ପାଦରେ ଚାଲିଚାଲି ଆସି ପ୍ରସବ ବେଦନା ସହ୍ୟ କରି ନ ପାରି ରାସ୍ତା କଡ଼ ରେ ପ୍ରସବ କରୁଛନ୍ତି। ସରକାରଙ୍କ ମା କୁ ସମ୍ମାନ ଓ ମହିଳା ସଶକ୍ତିକରଣ ଯୋଜନାକୁ ଏଭଳି କିଛି କରୁଣ ଚିତ୍ର ଉପହାସ କରୁଛି। ବାରମ୍ବାର ଏଭଳି ଦୃଶ୍ୟ ଲୋକଲୋଚନକୁ ଆସିଥିଲେ ହେଁ ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ଚେଇ ଶୋଇଥିବ ଯିଏ ତାକୁ ଉଠାଇବ କିଏ ନ୍ୟାୟରେ ନିଦାବିଷ୍ଣୁ ସାଜିଛନ୍ତି। ଆଜି ସକାଳେ ଏଭଳି ଏକ ଛାତିଥରା ଓ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ବ୍ଲକ୍ ପାଟଖଲିଆ ପଞ୍ଚାୟତର ଗୋରଝରିଆ ଗ୍ରାମରେ।
ସୂଚନାଯୋଗ୍ୟ ଆଜି ପାଟଖଲିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଉପାନ୍ତ ଗୋରଝରିଆ ଗ୍ରାମର ଯୁଗେଶ୍ବର ଗୌଡ଼ଙ୍କ ପତ୍ନୀ ରମୁଲା ଗୌଡ଼ଙ୍କୁ ପ୍ରସବ ବେଦନା ହେବାରୁ ଚନ୍ଦାହାଣ୍ଡି ଆମ୍ବୁଲାନ୍ସ ଡକାଇ ଥିଲେ। ତେବେ ଗୋରଝରିଆ ରାସ୍ତା କାଦୁଅ ପଚପଚ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ଯାଇନଥିଲା । ପରିବାର ବର୍ଗ ଶେଷରେ ମହିଳାଙ୍କୁ କିଛି ରାସ୍ତା ମଟର ସାଇକେଲରେ ଆଣିବା ପରେ କାଦୁଅରେ ମଟର ସାଇକେଲ ନ ଚାଲିବାରୁ ପାଦରେ ଚଲେଇ ଚଲେଇ କାଦୁଅ ରାସ୍ତା ପାର୍ କରିଥିବା ବେଳେ ମହିଳାଜଣଙ୍କ ପ୍ରସବ ଯନ୍ତ୍ରଣା ରେ ଛଟପଟ ହୋଇ ରାସ୍ତା ପାର୍ଶ୍ବରେ ସନ୍ତାନକୁ ଜନ୍ମ ଦେଇଥିଲେ।

ଉକ୍ତ ଖବର ପାଇ ପାଟଖଲିଆ ସମିତି ସଭ୍ୟା ନିରୁପମା ଧୁରୁଆ ତୁରନ୍ତ ନିଜ ବୋଲେରୋ ଗାଡି ପଠେଇ ମା ଓ ଶିଶୁକୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ପ୍ରକାଶ କରିଛନ୍ତି। ଏହି ଘଟଣା ପାଟଖଲିଆ ପଞ୍ଚାୟତ ପାଇଁ ନୂଆ ନୁହେଁ । ଏଥିପୂର୍ବରୁ ମଧ୍ୟ ଏହି ଘଟଣା ଘଟିଥିଲେ ହେ ପ୍ରଶାସନ କିମ୍ବା ସ୍ଥାନୀୟ ବିଧାୟକ, ସାଂସଦ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରୁନଥିବା ପାଟଖଲିଆ ସମିତିସଭ୍ୟା ନିରୁପମା ଧୁରୁଆ ଅଭିଯୋଗ କରିଛନ୍ତି। ଏଭଳି ଲଜ୍ଜାକର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ୨୨ବର୍ଷ ଗୋଟିଏ ସରକାର ଶାସନ କ୍ଷମତାରେ ରହିବା ଦ୍ଵାରା ଗର୍ବ ଅହଙ୍କାର ଏତେ ବଢି ଯାଇଛି। ଗ୍ରାମାଞ୍ଚଳରେ ଯାତାୟାତ କରିବା ନିମନ୍ତେ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ କରିବାର ଆନ୍ତରିକତା ନାହିଁ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ୨୨ ବର୍ଷର ବିକାଶ ନଗ୍ନ ଚିତ୍ର ଭଳି ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe