ମହିଳାଙ୍କ ଅନୁରୋଧ: ଦେଶୀ ମଦ ଦୋକାନ ଉଚ୍ଛେଦ କରି ଆମକୁ ବଞ୍ଚାନ୍ତୁ

ଆଉ କେତେ ଜଣ ମଲେ, କେତେ ପରିବାର ଉଜୁଡ଼ିଲେ, କେତେ ଗ‌ଣ୍ଡଗୋଳ ତଥା ଅପରାଧ ସଂଘଟିତ ହେଲେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର କାମତା ପଂଚାୟତର କୁସୁମି ଗାଁରୁ ଦେଶୀ ମଦ ଦୋକାନ ଉଚ୍ଛେଦ କରିବେ...

NGP

ନବରଙ୍ଗପୁର: ଆଉ କେତେ ଜଣ ମଲେ, କେତେ ପରିବାର ଉଜୁଡ଼ିଲେ, କେତେ ଗ‌ଣ୍ଡଗୋଳ ତଥା ଅପରାଧ ସଂଘଟିତ ହେଲେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର କାମତା ପଂଚାୟତର କୁସୁମି ଗାଁରୁ ଦେଶୀ ମଦ ଦୋକାନ ଉଚ୍ଛେଦ କରିବେ ବୋଲି ଏହି ଗାଁର ପୁଷ୍ପାଂଜଳୀ ନାୟକ, ନିରାମଣି ଭତରା, ରତନୀ ଚଳାଣ, ନାଗୀ ମାଝୀ, ଦଇମତି ଭତରା, ଯମୁନା ଚାଳାଣ, ଯୋଗିପା ମାଝୀ, ଖିର ବାଣୁଆ, ଟଭା ଚଳାଣ, ତେବକୀ ମାଝୀ, ଚନ୍ଦ୍ରାବତୀ ମାଝୀ, ନନ୍ଦୀ ମାଝୀ, ଶତାଧିକ ମହିଳା ପ୍ରଶ୍ନ କରିଛନ୍ତି। ଆମ ଅଂଚଳକୁ ବଂଚାନ୍ତୁ ଆଜ୍ଞା ବୋଲି ଏମାନେ ଅନୁରୋଧ କରିଛନ୍ତି।

ବାରମ୍ବାର ଦେଶୀ ମଦଦୋକାନ ଗୁଡ଼ିକୁ ଉଚ୍ଛେଦ କରିବାକୁ ଜିଲ୍ଲାପ୍ରଶାସନ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ପୁଲିସକୁ ଜଣାଇବା ପ‌ରେ ମଧ୍ୟ କାହିଁକି ପଦକ୍ଷେପ ନିଆଯାଉନି ବୋଲି ଏହି ମହିଳା ମାନେ ପ୍ରଶ୍ନ କରିଛନ୍ତି। ଏହି ଦୋକାନ ଯୋଗୁଁ ଅତୀତରେ ବହୁବାର ଛୋଟ ବଡ଼ ଘଟଣା, ଦୁର୍ଘଟଣା ଘଟିବା ସହ ବହୁ ଲୋକେ ବିଷାକ୍ତ ଦେଶୀ ମଦ ପିଇ ଆରପାରିକୁ ଚାଳିଯାଇଛନ୍ତି।

ତେବେ ସାହିର ମହିଳାମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେଲେ ଏଥି ପାଇଁ କେବଳ ଜିଲ୍ଲାପ୍ରଶାସନ ହିଁ ଦାୟୀ ରହିବ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାର ନକଲ ପୁଲିସ ଏସ୍‌ପି, ଅବକାରୀ ଅଧୀକ୍ଷକ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ, ଥାନା ଅଧିକାରୀଙ୍କୁ ନକଲ ଦେଇଛନ୍ତି। ଏମାନଙ୍କ ସହ ସମିତିସଭ୍ୟ ବି ଆସିଥିଲେ। କାମତା ପଂଚାୟତର ବିଭିନ୍ନ ଗାଁରେ କୁଚିଆମାନେ ବିଷାକ୍ତ ଦେଶୀ ମଦ ବହୁଳ ଭାବରେ ବିକ୍ରି କରୁଛନ୍ତି।  

ଏହାଦ୍ବାରା ପରିବାର ମଧ୍ୟରେ ଅଶାନ୍ତି ଦେଖାଯିବା ସହ ଗାଁରେ ଗଣ୍ଡଗୋଳ ହେଉଛି। ଏହି ବିଶାକ୍ତ ମଦ ପିଇ ଅନେକ ବ୍ୟକ୍ତି ମୃତ୍ୟବରଣ କରିବା ଫଳରେ ବହୁ ପରିବାର ନିଜ ଆତ୍ମୀୟଙ୍କୁ ହରାଇଛନ୍ତି। ଆନେକ ପରିବାରର ଆର୍ଥିକସ୍ଥିତି ଭୁଶୁଡ଼ିବା ସହ ପରିବାର ଗୁଡିକ ନାହିଁ ନଥିବା ଅସୁବିଧାରେ ବଂଚୁଛନ୍ତି। ଘରର ଚାଉଳ ଠାରୁ ଆରମ୍ଭ କରି ଜାଳେଣୀ କାଠ ବି ବିକ୍ରି କରି ମଦ ପିଉଥିବା ଏମାନେ ଅଭିଯୋଗ କରିଛନ୍ତି। ନିଶାଶକ୍ତ ଅବସ୍ଥାରେ ମହିଳା ଓ ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର କରୁଛନ୍ତି। ମହିଳାମାନେ କାମ କରି ଆଣୁଥିବା ମଜୁରୀ ଟଙ୍କାକୁ ବି ଛଡ଼ାଇ ନେଇ ମଦ୍ୟପମାନେ ମଦ ପିଇ ସବୁ ଟଙ୍କା ସାରି ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଗଣ୍ଡଗୋଳ, ମାରପିଟ୍ ବି ଘରେ  ଓ ଗାଁରେ ଜାରି ରହିଥିବା ମହିଳାମାନେ କହିଛନ୍ତି। ପଂଚାୟତର ବିଭିନ୍ନ ଗାଁ ସମେତ କୁସୁମିଗାଁରେ ସଂପୂର୍ଣ୍ଣ ରୁପେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। 

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe