ନକ୍ସଲ ପ୍ରବଣ ଅଂଚଳର ଲୁକ୍କାୟିତ ପ୍ରତିଭା; ଆଥଲେଟିକ୍‌ରେ ଗୌରବାନ୍ବିତ କରିବେ ନାଗେଶ

Advertisment
ନକ୍ସଲ ପ୍ରବଣ ଅଂଚଳର ଲୁକ୍କାୟିତ ପ୍ରତିଭା; ଆଥଲେଟିକ୍‌ରେ ଗୌରବାନ୍ବିତ କରିବେ ନାଗେଶ

ମାଲକାନଗିରି: ନାଗେଶ ସୁନାମ। ବୟସ ମାତ୍ର ୧୪ ବର୍ଷ। ମାଲକାନଗିରି ଜିଲ୍ଲାର ଜିଲ୍ଲା କ୍ରୀଡା ଛାତ୍ରାବାସରେ ରହି ପାଠ ପଢୁଛନ୍ତି। ଘର କାଲିମେଳା ବ୍ଲକର ଦୁର୍ଗମ ଲୁଗେଲ ପଞ୍ଚାୟତର ଫାଲକାନକୁଣ୍ଡା ଗ୍ରାମରେ। ବାପା ଜଗା ସୁନାମ ଜଣେ ନାମ ମାତ୍ରକ ଚାଷୀ। ପିଲାଟି ଦିନରୁ ନାଗେଶ ପାଠ ଏବଂ ଖେଳ ପ୍ରତି ରହିଥିବା ଆଗ୍ରହ ଦେଖି ତାକୁ ମାଲକାନଗିରି କ୍ରୀଡା ଛାତ୍ରାବାସରେ ପାଠ ପଢିବା ସହ ଖେଳରେ ମଧ୍ୟ ଉନ୍ନତି ଆଣିବା ପାଇଁ ଛଡାଯାଇଥିଲା।

ନାଗେଶ ସଟ୍‌ପୁଟ୍‌ ଏବଂ ଡିସ୍‌କସ୍‌ ପ୍ରତି ଆକୃଷ୍ଟ ହୋଇଥିଲେ। କ୍ରୀଡା ଛାତ୍ରାବାସର ଅଧିକାରୀ ତାଂକର ଏହି ଅନ୍ତର୍ନିହିତ ଗୁଣକୁ ଜାଣିପାରିଥିଲେ। ନାଗେଶକୁ କ୍ରୀଡା ଅଧିକାରୀ ଡିସ୍‌କସ୍‌ ଏବଂ ସଟ୍‌ପୁଟ୍‌ କିପରି ଫିଙ୍ଗା ଯାଏ, ସେଥିରେ ତାଲିମ ପ୍ରଦାନ କରିଥିଲେ। ଦିନରାତି ଏକ କରି ନାଗେଶ ଅଭ୍ୟାସ ଜାରି ରଖିଥିଲେ। ସ୍କୁଲ ସ୍ତରରେ ଆରମ୍ଭ ହେଲା ତାର ଅଭିଯାନ। ପ୍ରତ୍ୟେକ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କଲେ। ନାଗେଶ ଆଉ ପଛକୁ ଫେରିଲେ ନାହିଁ। ସ୍କୁଲ ପରେ ସେ ଜିଲ୍ଲାସ୍ତରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିପାରିଲେ। ଏହାପରେ ଅଭ୍ୟାସକୁ ଆହୁରି ଜୋରଦାର କଲେ। ନାଗେଶର ଖେଳ ପ୍ରତି ରହିଥିବା ଆଗ୍ରହକୁ ଜିଲ୍ଲା କ୍ରୀଡା ଅଧିକାରୀକାରି ମାନେ ଜାଣିବା ପରେ ତାକୁ ଆହୁରି ତାଲିମ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଲେ। ଯାହାଫଳରେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ।

ଗତ ଦୁଇବର୍ଷ ତଳେ ବାଲେଶ୍ବରରେ ହୋଇଥିବା ରାଜ୍ୟସ୍ତରୀୟ ଆଥ୍‌ଲେଟିକ୍‌ ପ୍ରତିଯୋଗିତାରେ ନାଗେଶ ଖୁବ ସୁନ୍ଦର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିପାରିଥିଲେ। ଯାହା ଜିଲ୍ଲା ପାଇଁ ଗୌରବ ଆଣିଦେଇଥିଲା। ନାଗେଶ ଏବେ ନବମ ଶ୍ରେଣୀରେ ପଢନ୍ତି। ପିଲାଟି ଦିନରୁ ଖେଳ ପ୍ରତି ରହିଥିବା ଆଗ୍ରହ ତାକୁ ଧିରେ ଧିରେ ଆଗକୁ ବଢିବାରେ ସହଯୋଗ କରୁଛି।

publive-image Sambad

କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ରହିଥିବା ବେଳେ ପାଠରେ ତ ଡୋରି ଲାଗିଲା କିନ୍ତୁ ସେ ଏବେ ମଧ୍ୟ ସଟ୍‌ପୁଟ୍‌ ଏବଂ ଡିସ୍‌କସ୍‌ ଫିଙ୍ଗା ନିଜ ଗ୍ରାମରେ ଅଭ୍ୟାସ ଜାରି ରଖିଥିବା କହନ୍ତି। ସେ ଭବିଷ୍ୟତରେ ଜଣେ ଦକ୍ଷ ଖେଳାଳି ହେବା ସହ ଅଲିମ୍ପିକ୍ସରେ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ବ କରିବାରୁ ଆଶା ପ୍ରକଟ କରନ୍ତି।

ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଆଗକୁ ଯଦି ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ତାଙ୍କୁ ଉଚ୍ଚସ୍ତରୀୟ ତାଲିମ ପ୍ରଦାନ କରାଯାଏ ତେବେ ସେ ନିଶ୍ଚିତ ଭାବେ ଜଣେ ଭଲ ଖେଳାଳି ହୋଇପାରିବେ ବୋଲି କହନ୍ତି। ବାପାଙ୍କ ଆର୍ଥିକ ଅବସ୍ଥା ଠିକ ନଥିବା ବେଳେ ପାଠ ପଢିବା ସହ ଖେଳରେ ସେ କିପରି ଆଗକୁ ବଢିବ ସେ ନେଇ ଚିନ୍ତା ପ୍ରକଟ କରିଛି। ବଣର ମଲ୍ଲୀ ଯେପରି ବଣରେ ହିଁ ଫୁଟି ମଉଳି ଯାଏ, ସେପରି ନାଗେଶ ହୋଇ ନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ନାଗେଶକୁ ସରକାର ସହଯୋଗ କରନ୍ତୁ ବୋଲି ଦାବି ହେବା ସହ ଦୁର୍ଗମ ଅଂଚଳରେ ଲୁଚି ରହିଥିବା ଲୁକ୍କାୟତ ପ୍ରତିଭାକୁ ଆଗକୁ ଅଣାଯାଉ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe