ଜାତୀୟ କନିଷ୍ଠ ବାଳିକା ହକି: ସହଜ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ

ଜାତୀୟ କନିଷ୍ଠ ବାଳିକା ହକି: ସହଜ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ

ରାଉରକେଲା: ସଂପୂର୍ଣ୍ଣ ଏକତରଫା ବିଜୟରୁ ଓଡ଼ିଶା ବାଳିକା ଦଳ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତାର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଦବ୍‌ଦବା ଜାରି ରଖି ଓଡ଼ିଶା ୧୪-୦ ଗୋଲ୍‌ରେ ମଣିପୁରକୁ ପରାସ୍ତ କରିଛି। ପୁଲି୍‌ ସି’ରେ ଥିବା ଓଡ଼ିଶା ଜୁଲାଇ ୩ରେ ଶେଷ ଲିଗ୍‌ ମ୍ୟାଚ୍‌ରେ ତାମିଲନାଡ଼ୁକୁ ଭେଟିବ।

ମ୍ୟାଚ୍‌ର ପ୍ରଥମ ମିନିଟ୍‌ରୁ ଓଡ଼ିଶା ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ; ଯାହାକି ଶେଷ ମିନିଟ୍‌ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଆଜିର ମ୍ୟାଚ୍‌ରେ ଉତ୍କୃଷ୍ଟ ଦଳଗତ ପ୍ରଦର୍ଶନ ସାଙ୍ଗକୁ ଅଭେଦ୍ୟ ରକ୍ଷଣଭାଗ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଓଡ଼ିଶା ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଆଉ ଏହାକୁ ହାତଛଡ଼ା କରିନଥିଲେ ପ୍ରତିଭା ଏକ୍କା। ଏକ ସୁନ୍ଦର ଗୋଲ୍‌ରେ ପରିଣତ କରି ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଏହାପରେ ଓଡ଼ିଶା ଖେଳାଳି ଗୋଲ୍‌ ବର୍ଷା କରିଥିଲେ। ଅସୀମା ରାଉତ ସର୍ବାଧିକ ୫ଟି(୧୪,୨୦,୩୦,୩୭,୪୯) ଗୋଲ୍‌ ଦେଇଥିବାବେଳେ ପ୍ରତିଭା ଏକ୍କା ୪ଟି(୩,୨୬,୪୪,୫୦), ସନ୍ଧ୍ୟା କୁଜୁର ୨ଟି(୭,୯) ଏବଂ ଅଧିନାୟିକା ମମିତା ଓରାମ(୪୩), ମରୀୟମ ଧନୱାର(୩୯) ଓ ସୁରେଖା ବାହାଲା ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ସମସ୍ତ ଚାରୋଟି କ୍ବାର୍ଟରରେ ଦଳ ଗୋଲ୍‌ ସ୍କୋର୍‌ କରିଥିଲା। ଓଡ଼ିଶା ପ୍ରଥମ କ୍ବାର୍ଟରରେ ୪ଟି ଗୋଲ୍‌ ଦେଇଥିବାବେଳେ ଦ୍ବିତୀୟ କ୍ବାର୍ଟରରେ ୩ଟି, ତୃତୀୟ କ୍ବାର୍ଟରରେ ୪ଟି ଓ ଚତୁର୍ଥ କ୍ବାର୍ଟରରେ ୩ଟି ଗୋଲ୍‌ ଦେଇଥିଲା। ମୋଟ୍‌ ୧୪ଟି ଗୋଲ୍‌ ମଧ୍ୟରୁ ୯ଟି ଫିଲ୍‌ଡ ଗୋଲ୍‌ ଓ ୫ଟି ପେନାଲଟି କର୍ଣ୍ଣର୍‌ରୁ ଆସିଥିଲା।

ଆଜି ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ୧୩-୧ ଗୋଲ୍‌ରେ ବିହାରକୁ, ଛତିଶଗଡ଼ ୨୨-୧ ଗୋଲ୍‌ରେ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଉକୁ ଓ ପଞ୍ଜାବ ୫-୦ ଗୋଲରେ ଆନ୍ଧପ୍ରଦେଶକୁ ପରାସ୍ତ କରିଛି। ହିମାଚଳପ୍ରଦେଶ ପ୍ରତିଯୋଗିତାରେ ସାମିଲ ହୋଇନଥିବାରୁ ଗୋଆକୁ ବିଜୟୀ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe