ହାତରୁ ଖସିଲା ଲାଲ କରିଡର, ସମର୍ଥନ ହରାଉଛି ନକ୍ସଲ, କରୋନା କାଳ ହେଉଛି

ହାତରୁ ଖସିଲା ଲାଲ କରିଡର, ସମର୍ଥନ ହରାଉଛି ନକ୍ସଲ, କରୋନା କାଳ ହେଉଛି

ମାଲକାନଗିରି : ମାଲକାନଗିରି ଜିଲ୍ଲା ନକ୍ସଲଙ୍କ ଗଡ଼ ରୂପେ ପରିଚିତ। ଏବେ ଜିଲ୍ଲାରେ ଧିରେ ଧିରେ ବଦଳିଲାଣି ପରିସ୍ଥିତି। ମାଓବାଦୀଙ୍କ ବିରୋଧରେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କରିଛନ୍ତି ଗ୍ରାମବାସୀ।ଦୁର୍ଗମ ଅଂଚଳରେ ଗ୍ରାମବାସୀସିଧାସଳଖ ପ୍ରତିବାଦ କରିପାରୁନଥିଲେ ମଧ୍ୟ ନକ୍ସଲଙ୍କ ପ୍ରତି ଆଉ ପୂର୍ବ ଭଳି ସମର୍ଥନ ନଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ଅବହେଳିତ ଏବଂ ଶୋଷିତ ହୋଇ ରହିବା ପରେ ଗ୍ରାବମାସୀ ନକ୍ସଲ ବିରୋଧୀ ମେଳି କରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ନକ୍ସଲ ଶିବିରରେ ଛନକା ପସିଛି।ଏଥିରେ ମୁଖ୍ୟ ଭୁମିକା ପୁଲିସ ଏବଂ ବିଏସଏଫଙ୍କର ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନକ୍ସଲଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଏଠାକାର ଲୋକ ନିର୍ୟାତିତ ହୋଇ ଆସୁଥିଲେ।ପୂର୍ବରୁ ସାହସ ଜୁଟାଇ ପାରୁନଥିଲେ।ଏବେ ଧିରେ ଧିରେ ସଚେତନ ହେଲେଣି। ମାଓବାଦୀମାନେ ନିଜର ଟପ୍ କ୍ୟାଡର ନେତାଙ୍କୁ ଗ୍ରାମବାସୀଙ୍କ ନିକଟକୁ ପଠାଇ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେଉଥିବା ସୂଚନା ମିଳିଛି।ଗତ ୨୦୨୦ ଜାନୁୟାରୀ ୨୫ ରାତିରେ ଯଡାମ୍ବରେ ଯାହା ଘଟିଲା ତାହା ନକ୍ସଲ ପ୍ରତି ଲୋକଙ୍କର କେତେ ସମର୍ଥନ ରହିଛି ଜଣାପଡିଯାଇଥିଲା।ଗ୍ରାମବାସୀ ଦୁଇ ଜଣ ନକ୍ସଲଙ୍କୁ କାବୁ କରି ନିର୍ଦ୍ଧୁମ ପିଟିଥିଲେ।ସେଥିରୁ ଜଣେ ମୃତ୍ୟୁବରଣ ମଧ୍ୟ କରିଥିଲା।ଲୋକେ ଆଉ ନକ୍ସଲକୁ ସମର୍ଥନ ଦେବେ ନାହିଁ ବୋଲି ସିଧା କହୁଛନ୍ତି।ଏଠି ବିକାଶ ନାମରେ ବିନାଶ ହେଉଛି।ତୁମେ ଆମର ବିକାଶ କରୁନାହଁ,କି ସରକାରଙ୍କୁ ବିକାଶ କରିବାକୁ ସହଯୋଗ କରୁନାହଁ।ଏଥିପାଇଁ କଣ ଆମେ ଦାୟୀ ବୋଲି ମାଓବାଦୀଙ୍କୁ ପ୍ରଶ୍ନ କରୁଛନ୍ତି ଗ୍ରାମବାସୀ।ଗ୍ରାମବାସୀଙ୍କ ସମର୍ଥନ ନମିଳିଲେ ନକ୍ସଲ ଆଉ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଛି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାକୁ ନକ୍ସଲ ଏକ ପ୍ରକାର ନିଜ କବଜାକୁ ନେଇଯାଇଥିଲେ।ଏଠାରେ ନକ୍ସଲ ଯାହା ଚାହିଁଲେ ସେୟା କରିପାରିଲେ। ଉଦାହରଣ ସ୍ବରୂପ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିବାରେ ସଫଳ ହେବା,୨୦୧୭ ପଞ୍ଚାୟତ ନିର୍ବାଚନକୁ କରାଇନଦେବା ଭଳି ଘଟଣା।ତେବେ ଏଠାରେ ସ୍ପଷ୍ଟ ବୁଝାପଡୁଛି ଯେ ବିନା ଜନସମର୍ଥନରେ ନକ୍ସଲଙ୍କ ଏହି ଆଭେଦ୍ୟ ଗଡ କୁହାଯାଉଥିବା ସ୍ବାଭିମାନ ଅଂଚଳ ଏବେ ଭୁଶୁଡିବା ସ୍ଥିତିରେ ରହିଛି। ନକ୍ସଲ ନିଜକୁ ଏଠାରେ ପୁଣି ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ପ୍ରଜାକୋର୍ଟ କରି ଲୋକଙ୍କୁ ପୁଣି ଡାକିବା ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି।ଲୋକେ ନକ୍ସଲଙ୍କ ବନ୍ଧୁକକୁ ଡରି ପ୍ରଜାକୋର୍ଟକୁ ଯାଉଥିଲେ ମଧ୍ୟ ସେଠାରେ ଚୁପଚାପ ହୋଇ ବସୁଛନ୍ତି।କିଛି ନକହି ସେଠାରୁ ଚାଲିଆସୁଛନ୍ତି।ଲୋକଙ୍କ ନୀରବତା ହିଁ ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଉଥିବାରୁ ବିରୋଧର ସ୍ବରକୁ ଦମନ କରିବାକୁ ନକ୍ସଲ ଚେତାବନୀ ଦେବା ଆରମ୍ଭ ମଧ୍ୟ କରୁଛନ୍ତି। ଯଦି ଦମନ ପାଇଁ କିଛି ବଡ ପଦକ୍ଷେପ ନେବେ ତାହା ବିଦ୍ରୋହର ରୂପ ନେବା ଆଶଂକା ରହିଥିବାରୁ ବିକଳ୍ପ ଚିନ୍ତା କରିବାକୁ ନକ୍ସଲ ବାଦ୍ୟ ହେଉଛନ୍ତି।ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ନେତୃତ୍ବ ଦେଇ ସମର୍ଥନ ଜୁଟାଇବାକୁ ଯୋଜନା କରୁଥିବା ଜଣାପଡିଛି।

ତେବେ ଆଜି ଜିଲ୍ଲାରେ ନକ୍ସଲଙ୍କ ସ୍ଥିତି ଶୂନ ହେବାରେ ମୁଖ୍ୟତଃ ପୁଲିସ ଏବଂ ବିଏସଏଫ କହିଲେ ଅତ୍ୟୁକ୍ତି ହେବ ନାହିଁ।ପୁଲିସ ଏବଂ ବିଏସଏଫ ଯବାନଙ୍କ ଘନ ଘନ ଚଢାଉରେ ନକ୍ସଲ ପଛଘୁଞ୍ଚା ଦେବା ସହ ନିଜର ବହୁ କ୍ୟାଡରକୁ ହରାଇବା ଏବଂ ସଂଗଠନ ଛାଡି ଆତ୍ମସମର୍ପଣ କରିବା ସେମାନଙ୍କ ପାଇଁ କାଳ ହେଲା।ସେହିପରି ଗୁରୁପ୍ରିୟା ସେତୁ ନିର୍ମାଣ ମଧ୍ୟ ନକ୍ସଲ ନିଜର ଗଡ ହରାଇବାର ପ୍ରମୁଖ କାରଣ।ନକ୍ସଲ ନିଜର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉନ୍ନୟନ କାର୍ୟ୍ୟକୁ ଟାର୍ଗେଟ କରିବା ସହ ଦୀର୍ଘ ବର୍ଷ ଧରି ନିଷ୍ପେସିତ ଓ ଶୋଷିତ ହୋଇଥିବା ବର୍ଗର ଲୋକଙ୍କୁ ଚିହ୍ନଟ କରୁଛନ୍ତି।ଏମାନଙ୍କୁ ସରକାରଙ୍କ ବିରୋଧରେ କୁହାଯାଉଛି।ସେମାନେ ଅତୀତରେ ବୋଗିଥିବା ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରାଯାଉଛି।ଲୋକଙ୍କ ମନରେ ବିଷର ମଞ୍ଜି ବୁଣି ସରକାରଙ୍କ ବିରୋଧୀ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ମାଓେତା ଘନ ଘନ ଆଗମନ କରୁଥିବା ଜଣାପଡିଛି।

ତେବେ ଏବେ କିନ୍ତୁ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ନେଇଥିବା ବେଳେ ନକ୍ସଲଙ୍କୁ ବି ସଂକ୍ରମଣ ହୋଇଥିବା ନେଇ ପୁଲିସ ପ୍ରଚାର କରିବା ପରେ ଗ୍ରାମବାସୀ ନକ୍ସଲଙ୍କୁ ଆଦୌ ଗ୍ରାମରେ ପଶାଇ ଦେଉନଥିବା ଜଣାପଡିଛି।ବହୁ ନକ୍ସଲ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ଖବର ଗଣମାଧ୍ୟମରେ ପ୍ରଚାର ହେବା ଏବଂ ନିଜର କ୍ୟାଡର ନକ୍ସଲ ଆତ୍ମସମର୍ପଣ କରି ପୁଲିସକୁ ସଂଗଠନର ସ୍ଥିତି ସଂପର୍କରେ ଅବଗତ କରାଇବା ଦ୍ବାରା ଲୋକେ ଆଉ ନକ୍ସଲଙ୍କ ପାଖକୁ ଯିବାକୁ ଅମଙ୍ଗ ହେବା ସହ ସେମାନଙ୍କ ସହ କୌଣସି ସଂପର୍କ ରଖିବେ ନାହିଁ ବୋଲି ସିଧା ସିଧା କହୁଛନ୍ତି।ଲୋକଙ୍କୁ ସୁରକ୍ଷା ଦେବାରେ କୌଣସି ଚୁକ କରୁନାହିଁ ପୁଲିସ। ସମସ୍ତ ଗ୍ରାମର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ କୌଣସି ସ୍ଥିତି ଉପୁଜିଲେ ତୁରନ୍ତ ଖବର ଦେବାକୁ କୁହାଯାଇଛି।ନକ୍ସଲଙ୍କୁ ଆଦୌ ପୁଣି ନିଜର ସ୍ଥିତିକୁ ମଜବୁତ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଓ ପୁଲିସ ଶପଥ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe