ପ୍ରତିଶ୍ରୁତି ପୂରଣ କଲେ ବିଜେପି ଜାତୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର: ମୃତ ଚାଷୀଙ୍କ ଧାନକ୍ଷେତରେ ବୋରୱେଲ ଖୋଳାହେଲା

ପ୍ରତିଶ୍ରୁତି ପୂରଣ କଲେ ବିଜେପି ଜାତୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର: ମୃତ ଚାଷୀଙ୍କ ଧାନକ୍ଷେତରେ ବୋରୱେଲ ଖୋଳାହେଲା
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ  ଓସ୍ତପଡା ଗାଁର  ବହୁଚର୍ଚ୍ଚିତ ଚାଷୀ ଆତ୍ମହତ୍ୟା  ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲାବେଳେ ମୃତକ ଚାଷୀ ପରିବାରକୁ ଟିକେ ଆଶ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି। ଉକ୍ତ ଚାଷୀ ପରିବାରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚାଷ ନିମନ୍ତେ ବୋରୱେଲ ଖୋଳିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜାତୀୟ ବିଜେପି ପ୍ରଵକ୍ତା ଡାକ୍ତର ସମ୍ବିତ ପାତ୍ର ଏହାକୁ ପୂରଣ କରିବା ସହ ଗତକାଲି ଅପରାହ୍ନ ସାଢେ ୨ଟା ରେ ଏକ ବୋରୱେଲ ଖୋଳିଥିବା ଜଣାଯାଇଛି।
publive-image
ସୂଚନା ଥାଉକି ରାଜଜଙ୍କିଆ  ପାଞ୍ଚାୟତ ଅନ୍ତର୍ଗତ  ଓସ୍ତପଡ଼ା ଗାଁର ଗୋବିନ୍ଦ ସାହୁ ନାମକ ଚାଷୀ ଗତ ନଭେମ୍ବର ମାସ ୫ ତାରିଖରେ ଧାନକ୍ଷେତରେ ପାଣି ଅଭାବରୁ ଧାନ ଫସଲ ଉଜୁଡ଼ିଯିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରବର୍ତ୍ତୀ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଶ୍ରୀ ପାତ୍ର ଭେଟି ସମବେଦନା ଜଣାଇବା ସହ ମୃତ ଚାଷୀଙ୍କ ଧାନକ୍ଷେତରେ ବୋରୱେଲ ଖୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ମୃତକ ଚାଷୀ ଗୋବିନ୍ଦଙ୍କ ଧାନ କ୍ଷେତରେ ଫଟୋଚିତ୍ରରେ ଶ୍ରୀ ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ମୃତ ଗୋବିନ୍ଦଙ୍କ ପତ୍ନୀ ନଡ଼ିଆ ଭାଙ୍ଗି ଉଦଘାଟନ ପରେ ବୋରୱେଲ ଖୋଳାଯାଇଥିଲା। ଏହି ଅବସରରେ  ଶ୍ରୀ ପାତ୍ର କହିଥିଲେ ପାଣି ଅଭାବରୁ ଫସଲ ହାନୀ କ୍ଷେତ୍ରରେ  ବିଜେପି ସରକାର ଗୁରୁତ୍ୱ ଦେଉଛି  ଏବଂ ଆଗାମୀ ଦିନରେ କାହାରି ଫସଲ ହାନୀ ଘଟିବ ନାହିଁ  ବୋଲି ଶ୍ରୀ ପାତ୍ର ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ରଣପୁରର ପୂର୍ବତନ ବିଧାୟିକା ତଥା ପୂର୍ବତନ ସମବାୟ ମନ୍ତ୍ରୀ  ସୁରମା ପାଢ଼ୀ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି  ତାପସ ମାର୍ଥା ଓ ବହୁ ବିଜେପି  କର୍ମୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe