ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ଶବ ରଖି ସାରାରାତି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ ଫତେଗଡ଼ ଥାନା ଅନ୍ତର୍ଗତ କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁଝାରସିଂହ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅଧୀନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁଝାର ସିଂହଙ୍କୁ ୪ବର୍ଷ ତଳେ ବିବାହ କରିଥିଲେ। ତେବେ ଯୌତୁକ ନିର୍ଯାତନା ଦେଇ ପୂଜାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ଗତକାଲି ରାତିରୁ ପରିବାର ଲୋକେ ଶବକୁ ସ୍ଥାନୀୟ ଫାଣ୍ଡି ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଫତେଗଡ଼ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ଜିତେନ୍ଦ୍ରଙ୍କୁ ଅଟକ ରଖାଯାଇଥିବା ଏବଂ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।
Follow Us