ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ପ୍ରତିଶୋଧ ନେଲେ ବାପା; ଜ୍ବାଇଁଙ୍କୁ କଟୁରୀରେ ହାଣିଲେ

ଭଲପାଇ ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି ବାପା। ଜ୍ବାଇଁକୁ ଜୀବନରୁ ମାରିଦେବାକୁ ବିଭିନ୍ନ ସମୟରେ ଯୋଜନା କରୁଥିବା ବେଳେ ଆଜି ଏକାକୀ ସୁଯୋଗ ନେଇ ବାପା ଏକ କଟୁରୀରେ ଆକ୍ରମଣ କରିଥିବା ସୂଚନା ମିଳିଛି।

New Project (35) (1)

ଦଶପଲ୍ଲା:  ଭଲପାଇ ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି ବାପା। ଜ୍ବାଇଁକୁ ଜୀବନରୁ ମାରିଦେବାକୁ ବିଭିନ୍ନ ସମୟରେ ଯୋଜନା କରୁଥିବା ବେଳେ ଆଜି ଏକାକୀ ସୁଯୋଗ ନେଇ ବାପା ଏକ କଟୁରୀରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଦଶପଲ୍ଲା ଥାନା ଅଧୀନସ୍ଥ ଡ଼ିହଗାଁ ଗ୍ରାମରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଯେ ଡିହଗାଁ ଗ୍ରାମର ବିଜୟ ସେନାପତିଙ୍କ ପୁଅ ମାନସ ସେନାପତି(୨୭) ଓ ଖଇରାପଙ୍କାଳସାହି ଗ୍ରାମର କୈଳାସ ପ୍ରଧାନ ଓରଫ ଟୁନା(୪୨)ଙ୍କ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଘଟଣା ଝିଅଘର ପରିବାର ଲୋକ ଜାଣିବା ପରେ ଝିଅକୁ ଅନ୍ୟତ୍ର ବିବାହ ପାଇଁ ଠିକ୍ କରିଥିଲେ। ମାତ୍ର ବିବାହର ୧ ମାସ ପୂର୍ବରୁ ଝିଅ ମାନସଙ୍କ ସହ ପଳାଇ ଯାଇଥିଲା। ଏହାକୁ ନେଇ କୈଳାସ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଏହାରି ମଧ୍ୟରେ ମାନସ ଓ ଝିଅ ମଧ୍ୟରେ କୋର୍ଟ ମ୍ୟାରେଜ ହୋଇ ସାରିଥିଲା। ଗତ ପ୍ରାୟ ୩ ମାସ ତଳେ ଉଭୟପକ୍ଷ ଥାନାକୁ ଆସି ଆପୋଷ ସମାଧାନ ହୋଇଥିଲା। ମାନସ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ କୈଳାସ କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଖୋଜୁଥିଲେ। ଉଭୟ ପରିବାରର ଦୂରତା ପ୍ରାୟ ୫ କିମି ହୋଇଥିବା ବେଳେ ଏହାର ପ୍ରତିଶୋଧ ନେବାକୁ କୈଳାସ ସବୁବେଳେ ବାଇକରେ ଏକ କଟୁରି ଧରି ବୁଲୁଥିବା କୁହାଯାଇଛି।

ଶେଷରେ ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟା ସମୟରେ ମାନସ ଡ଼ିହଗାଁ ଜଳେଶ୍ବର ମନ୍ଦିରଠାରେ ଅଟୋରଖି ପାସେଞ୍ଜରଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ କୈଳାସ ପଛପାର୍ଶ୍ବରୁ ଆସି ରଖିଥିବା କଟୁରିରେ ମାନସଙ୍କ ଉପରୁକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ତାଙ୍କ ପିଠିରେ ଆଘାତ ଲାଗିବା ପରେ ସେ ପଛକୁ ଚାହିଁବା ବେଳକୁ ଆଉ ଏକ ଚୋଟ ବେକକୁ ପକାଉଥିଲେ। ଏତିକି ବେଳେ ସେ ତଳେ ଖସି ପଡ଼ିବାରୁ ଡ଼େଣାରେ ବାଜିଥିଲା। ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ଦୌଡ଼ିଥିବା ବେଳେ କୈଳାସ ପଛରେ ପିଛା କରି ଦୌଡ଼ିଥିଲେ। ଏହାପରେ ସେ ଏକ ଘରେ ପଶି ଯାଇଥିଲେ। ଏହାଦେଖି ଗ୍ରାମବାସୀ କୈଳାସଙ୍କୁ କାବୁ କରିବା ସହ ପୁଲିସ ଜିମା ଦେଇଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe