Tiger Census: ଦଶପଲ୍ଲା ବନାଞ୍ଚଳରେ ମାଓବାଦୀଙ୍କ ଗତିବିଧି; ୧୫ଟି ଜୋନ୍‌ରେ ବାଘ ଗଣନା ବନ୍ଦ

ରାଜ୍ୟରେ ବାଘଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ବାଘଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ସଂଯୋଗ କରାଯାଉଛି। ଦଶପଲ୍ଲା ଜଙ୍ଗଲରେ ଶୁକ୍ରବାର ଠାରୁ ବାଘ ଗଣନା ଆରମ୍ଭ ହୋଇଯାଇଛି।

Tiger Census1

Tiger Census begins at Dasapalla forest begins on Friday. Photograph: (sambad.in)

ଦଶପଲ୍ଲା (ପ୍ରଫୁଲ୍ଲ କୁମାର ପଣ୍ଡା): ରାଜ୍ୟରେ ବାଘଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ବାଘଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ସଂଯୋଗ କରାଯାଉଥିବା ବେଳେ ପ୍ରତି ୪ ବର୍ଷରେ ଥରେ ବନବିଭାଗ (ଟେରିଟୁରିଆଲ୍) ପକ୍ଷରୁ ବାଘ ଗଣନା ହେଉଛି। ବଡ଼କଥା ହେଉଛି ଜଙ୍ଗଲରେ ପ୍ରତିବର୍ଷ ବାଘ ସଂଖ୍ୟା ବୃଦ୍ଧି ପାଉଛି କି ନାହିଁ ସେନେଇ ବନବିଭାଗ ନିକଟରେ କୌଣସି ସଠିକ ତଥ୍ୟ ନାହିଁ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରେ ନୂଆ ପ୍ରଜାତି ଅର୍ଥାତ୍ କଳା ରଙ୍ଗର ବାଘ ସଂଖ୍ୟା ବୃଦ୍ଧି ଘଟୁଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ଆଜିଠାରୁ ନୟାଗଡ଼ ବନଖଣ୍ତର ୭ ଗୋଟି ବନାଞ୍ଚଳ ଅଧୀନରେ ଏହି ଗଣନା ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଚାଲିବ। ନୟାଗଡ଼ ବନଖଣ୍ତର ୭ ଗୋଟି ବନାଞ୍ଚଳ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ବଡ଼ ବନାଞ୍ଚଳ ଥିବା ଦଶପଲ୍ଲା ବନାଞ୍ଚଳରେ ଚଳିତବର୍ଷ ବାଘ ଗଣନାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ବନାଞ୍ଚଳର ୬ଗୋଟି ସେକ୍ସନର ୨୪ଟି ବିଟ୍ ବା ଜୋନ୍ ରହିଥିବା ବେଳେ ଦଶପଲ୍ଲା ଜଙ୍ଗଲରେ ଗତ କିଛିଦିନ ଧରି ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ୧୫ଟି ବିଟ୍ ବା ଜୋନରେ ଏହି ଗଣନାକୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ କରି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ କହିଛନ୍ତି।

୯ଟି ବିଟ୍‌ରେ ବାଘ ଗଣନା

କିଛିଦିନ ତଳେ ଜଙ୍ଗଲରୁ ମାଓ ପୋଷ୍ଟର ଜବତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନାଞ୍ଚଳର ପୋଖରୀଗୋଛା, ଚଡ଼େୟାପଲ୍ଲୀ, ଟାକରା ଓ ବାଣିଗୋଛା ସେକ୍ସନ ଅଧୀନସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା କୁହାଯାଉଛି। ଯାହାକୁ ନେଇ ପୋଖରୀଗୋଛାର ୫ଟି ବିଟ୍ ଅର୍ଥାତ୍ ପୋଲରା, ଚିନାପହଁରା, ଶିରିକିବାଡ଼ି ଓ ପୋଖରୀଗୋଛା, ଚଡ଼େୟାପଲ୍ଲୀର ୪ଟି ତଥା ନୂଆଗାଁ, କାଳମ୍ବା, ଚଡ଼େୟାପଲ୍ଲୀ, ବଡ଼ ଶିଖରପଙ୍ଗା। ଟାକରାର ୪ଟି ଅର୍ଥାତ୍ ତିଳାବାଡ଼ି, ଟାକରା, ବାଇଝରୀ, କୁରୁବାରୀ ଏବଂ ବାଣିଗୋଛାର ୨ଟି ଜୋନ୍ ମଧ୍ୟରେ ଶିରିଶିରା ଓ ଦୁଡ଼ା ଜୋନରେ ଏହି ଗଣନାକୁ ବନ୍ଦକରି ଦିଆଯାଇଛି। ଅବଶିଷ୍ଟ ୯ଟି ବିଟରେ ଏହି ଗଣନା ଆରମ୍ଭ ହୋଇଛି। 

ଆହୁରି ପଢ଼ନ୍ତୁ: Rath Yatra: ଘୋଷଯାତ୍ରା-୨୦୨୬: ରଥକାଠ ଅନୁକୂଳ ପୂଜା ପାଇଁ ନିର୍ଘଣ୍ଟ ହେଲା ଶୁଭଦିନ

୧୦୦ଟି କ୍ୟାମେରା ସଂଯୋଗ

ପ୍ରଥମ ୩ଦିନ କର୍ମଚାରୀମାନେ ବିଟ୍ ଅଧୀନସ୍ଥ ସମସ୍ତ ଅଞ୍ଚଳ ବୁଲି ମାଂସାସୀ ପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବେ। ଅବଶିଷ୍ଟ ୩ ଦିନ ୨ କିମି ବ୍ୟବଧାନରେ ଟ୍ରାଞ୍ଜିଟ୍ ଲାଇନ୍ କଟାଯାଇ ସାଇନ୍ ସର୍ଭେ କରାଯିବ। ଶେଷ ଦିନରେ ପକ୍ଷୀ ତଥା ଶାଗୁଣାଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଦାଶ କହିଛନ୍ତି। ଏଥିସହିତ ବନାଞ୍ଚଳରେ ଏବେ ୧୦୦ଟି କ୍ୟାମେରା ସଂଯୋଗ କରାଯାଇ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖାଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ସହରରେ ବଢ଼ୁଛି ବୁଲା କୁକୁରଙ୍କ ଉତ୍ପାତ: କୁକୁର କାମୁଡ଼ାରେ ୫୦ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe