୮ ସନ୍ତାନ ଥାଇ ଅପ୍ରତିଦ୍ୱନ୍ଦ୍ୱୀ ୱାର୍ଡ‌ମେମ୍ବର୍‌!

୮ ସନ୍ତାନ ଥାଇ ଅପ୍ରତିଦ୍ୱନ୍ଦ୍ୱୀ ୱାର୍ଡ‌ମେମ୍ବର୍‌!

ଦଶପଲ୍ଲା : ବର୍ତ୍ତମାନ ୮ଜଣ ସନ୍ତାନସନ୍ତତି ଥାଇ ବି ଜଣେ ୱାର୍ଡ‌ମେମ୍ବର୍‌ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଏବଂ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ବି ହୋଇଛନ୍ତି। ୨ଟିରୁ ଅଧିକ ସନ୍ତାନ ଥିବା ପ୍ରାର୍ଥୀଙ୍କୁ ଅସିଦ୍ଧ ଘୋଷଣା କରାଯାଉଥିବାବେଳେ ଏ କ୍ଷେତ୍ରରେ କିଭଳି ନିର୍ବାଚନ କମିସନଙ୍କ ଆଇନ ଲାଗୁ କରାଯାଇନାହିଁ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ୱାର୍ଡମେମ୍ବର୍‌ ପଦକୁ ୨୦ ହଜାର ଟଙ୍କାରେ ନିଲାମ କରାଯାଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ଡିହଗାଁ ଗ୍ରାମ ପଞ୍ଚାୟତରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଡିଗିରି ଓ ଦଲକସାହି ଗ୍ରାମରେ ୱାର୍ଡମେମ୍ବର ପଦ ନିଲାମ ହୋଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିବା ବେଳେ ପୁଣି ଏହିଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି।

ଏହି ପଞ୍ଚାୟତର ୭ ନମ୍ବର ୱାର୍ଡ। ୱାର୍ଡଟି ମଙ୍ଗଳପୁର ସମେତ ସୁନାଗଞ୍ଜ ଏବଂ କଦଳିଚୈାକା ମୈାଜାର ଜନସାଧାରଣଙ୍କୁ ନେଇ ଗଠିତ। ଭୋଟର୍‌ ସଂଖ୍ୟା ପାଖାପାଖି ୧୯୦ । ହେଲେ, ୧୦ ବର୍ଷ ହେଲା ଏହି ୱାର୍ଡ ପାଇଁ କୈାଣସି ଭୋଟ୍‌ ଗ୍ରହଣ ହେଉ ନଥିବା ପୁଣି ଚଳିତ ନିର୍ବାଚନରେ ଦେଖିବାକୁ ମଧ୍ୟ ମିଳିଛି। ସୂଚନା ଅନୁସାରେ, ଗଙ୍ଗାଧର ନାୟକ ନାମକ ଜଣେ ବ୍ୟକ୍ତି ଏହି ୱାର୍ଡରୁ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ମଧ୍ୟ ନିର୍ଦ୍ବନ୍ଦ୍ବ‌ରେ ନିର୍ବାଚିତ ହୋଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗଙ୍ଗାଧରଙ୍କର ବର୍ତ୍ତମାନ ୮ଜଣ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୭ଜଣ ପୁଅ ଓ ୨ଜଣ ପୁଅ। କିଛିବର୍ଷ ତଳେ ଆଉ ଗୋଟିଏ ପୁଅର ବି ମୃତ୍ୟୁ ଘଟିଛି। ନିର୍ବାଚନ କମିସନଙ୍କ ଆଇନ୍‌ ଅନୁସାରେ, ୨ରୁ ଅଧିକ ସନ୍ତାନ ଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଅସିଦ୍ଧ ହେବା କଥା। ମାତ୍ର, ଗଙ୍ଗାଧରଙ୍କ କ୍ଷେତ୍ରରେ ଏହା କିଭଳି ଲାଗୁ କରାଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହିତ, ଆହୁରି ଏକ ସଙ୍ଗିନ ଅଭିଯୋଗ ବି ଆସିଛି। କିଛି ୱାର୍ଡବାସୀ ଅଭିଯୋଗ କରିଛନ୍ତି, ଏହି ୱାର୍ଡମେମ୍ବର୍‌ ପଦକୁ ୨୦ ହଜାର ଟଙ୍କାରେ ନିଲାମ କରାଯାଇଛି।

ଏହି ପଞ୍ଚାୟତର କିଛି ବୁଦ୍ଧିଜୀବୀ ଏହି ଘଟଣାକୁ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବା କଥା, ପଞ୍ଚାୟତ ନିର୍ବାଚନ ଭଳି ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କ ଭାଗନେବାର ଅଧିକାର ରହିଛି। ତେବେ, ନିର୍ଦ୍ବନ୍ଦ୍ବ‌ରେ ନିର୍ବାଚିତ ହେବା ଭଲକଥା। ତା’ଅର୍ଥ ନୁହେଁ ଏଥିପାଇଁ ରହିଥିବ‌ା ଆଇନକୁ ଦୃଷ୍ଟି ଆଢ଼ୁଆଳରେ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା। ନିର୍ବାଚନ କମିସନ ଘଟଣାର ତଦନ୍ତ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe