ନୟାଗଡ଼ ଚିନିକଳର ମାଲିକ କିଏ?

Advertisment

୫୦ କୋଟିର ଶିଳ୍ପକୁ ସରକାର ୫ କୋଟିରେ ବିକିଛନ୍ତି

୫୦ କୋଟିର ଶିଳ୍ପକୁ ସରକାର ୫ କୋଟିରେ ବିକିଛନ୍ତି

ନୟାଗଡ଼ ଚିନିକଳର ମାଲିକ କିଏ?

YouTube

ଚିନିକଳ ବନ୍ଦ ନେଇ ସରକାର ନା ଏନ୍‌ଏସ୍‌ସିଏଲ୍‌ ଦାୟୀ
କମ୍ପାନି ଓ ଆଖୁ ଚାଷ ବୁଡ଼ିଗଲା, ବେଫିକର ସରକାର

ନୟାଗଡ଼ : ୨୦୧୪ ମସିହାରୁ ନୟାଗଡ଼ ସମବାୟ ଚିନିକଳ ସଂପୂର୍ଣ୍ଣ ଭାବେ ବନ୍ଦ ‌ହୋଇପଡ଼ିଛି। ଆଖୁଚାଷ ହେଉ ଅବା ନୟାଗଡ଼ ଚିନିକଳ କାହା ପ୍ରତି ସରକାରଙ୍କର ସାମାନ୍ୟ ନିଘା ନାହିଁ। ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଚିନିକଳ ନେଇ ସଂପୂର୍ଣ୍ଣ ନିରବ। ଚିନିକଳରୁ ବାରମ୍ବାର ଯନ୍ତ୍ରାଂଶ ଚୋରି ହେବା ପରେ, ନୟାଗଡ଼‌ରେ ଚିନିକଳ ପ୍ରସଙ୍ଗ ପୁଣି ‌ଚେଇଁ ଉଠିଛି। କୌତୂହଳ କଥା ହେଲା, ୨୦୦୪ରୁ ଘରୋଇ କମ୍ପାନିକୁ ବିକ୍ରି ହୋଇଥିବା ନୟାଗଡ଼ ଚିନିକଳ ବର୍ତ୍ତମାନ କାହା ମାଲିକାନାରେ ରହିଛି, ତାହା ସ୍ପଷ୍ଟ ନୁହେଁ।

ଘରୋଇକରଣ ବିନା ଚିନିକଳ ଚଳାଇବା ଅସମ୍ଭବ ଜାଣିବା ପରେ ପ୍ରାୟ ୫୦ କୋଟିର ଶିଳ୍ପକୁ ବିକ୍ରି କରାଯାଇଥିଲା। ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ସହିତ ଏ ନେଇ କିଣାବିକା ଚୁକ୍ତି ୨୦୦୪ କରାଯାଇଥିଲା ଏବଂ ୫ କୋଟି ୨୨ ଲକ୍ଷ ଟଙ୍କ‌ାରେ ଚିନକଳକୁ ତାଙ୍କ କଂପାନି ଏନ୍‌ଏସ୍‌ସିଏଲ୍‌ କଣିଥିଲା। ଏ ନେଇ ସମସ୍ତ ପାଉଣା (ଚିଠି ସଂଖ୍ୟା-୧୪୪୮/ ୧୯.୦୧.୨୦୧୦) ସରକାରଙ୍କ ସମବାୟ ବିଭାଗକୁ ଏନ୍‌ଏସ୍‌ସିଏଲ୍‌ ପ୍ରଦାନ କରିସାରିଛି। କିନ୍ତୁ ଏ ପର୍ଯ୍ୟନ୍ତ କାରଖାନାର ମାଲିକାନା ସ୍ବତ୍ତ୍ବ ପରିବର୍ତ୍ତନ ହୋଇନାହିଁ। ସରକାର ନୟାଗଡ଼ ଚିନିକଳ ଉପରେ ଏବେ ବି କର୍ତ୍ତୃତ୍ତ୍ବ ଜାହିର କରୁଥିବା ବେଳେ, ଚିନିକଳ ଚଳାଇବା ନେଇ ପଦକ୍ଷେପ ନ ନେବା ପରିତାପର ବିଷୟ।

publive-image New Indian Express

ଏନ୍‌ଏସ୍‌ସିଏଲ୍‌ ନାମରେ ମାଲିକାନା ନ ଥିବାରୁ କୌଣସି ବ୍ୟାଙ୍କ୍‌ ଋଣ ଦେବାକୁ ରାଜି ନାହାନ୍ତି। ଏଣୁ କମ୍ପାନି ଚଳାଇବା ନେଇ ସମସ୍ୟା ଭୋଗିଥିବା କର୍ତ୍ତୃପକ୍ଷଙ୍କ ଅଭିଯୋଗ ରହିଛି। ପାଖାପାଖି ୩୦ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ୧୨୫୦ ଡିସିଡିର ନୟାଗଡ଼ ଚିନିକଳ ପ୍ଲାଣ୍ଟ୍‌କୁ ୫୦୦୦ ହଜାର ଡିସିଡି ପ୍ଲାଣ୍ଟ୍‌କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିଲା।

ଅପର‌ପକ୍ଷେ, ଚିନିକଳ କର୍ମଚାରୀ, ଆଖୁଚାଷୀଙ୍କ ପାଉଣା ଶ୍ରୀ ମିଶ୍ର ବକେୟା ରଖିଥିବା, କମ୍ପାନିକୁ ବେଆଇନ ଭାବେ ବନ୍ଦ କରିଥିବା ଭଳି ଅଭିଯୋଗ ମଧ୍ୟ ରହିଛି। ସରକାରଙ୍କଠାରୁ ଚିନିକଳ କିଣିବା ବେ‌ଳେ, କଳ ଚଳାଇବା ନେଇ ଯେଉଁ ସର୍ତ୍ତ ରହିଥିଲା, ସେସବୁକୁ ସରକାର ପୂରଣ କରିନଥିବାରୁ ଏନ୍‌ଏସ୍‌ସିଏଲ୍‌ର କ୍ଷତି ହୋଇଥିବା ଅଭି‌ଯୋଗ କରି ଶ୍ରୀ ମିଶ୍ର ହାଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଯାହାକୁ ନେଇ ‌କୋର୍ଟରେ ମାମଲା ଚାଲିଛି। ଏଭଳି ମାମଲା କେବେ ଶେଷ ହେବ ତାହା ଜଣାନାହିଁ। କିନ୍ତୁ ଏଭଳି ବିବାଦୀୟ ସ୍ଥିତିରେ ନୟାଗଡ଼ର ଆଖୁଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି।

୧୯୮୮ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ପ୍ରତିଷ୍ଠା ହୋଇଥିବା ଏହି ଶିଳ୍ପକୁ ସରକାର ଚଳାଇବାକୁ ଅକ୍ଷମ ହେବାରୁ ଏକାଧିକ ରାଜ୍ୟ ବାହାର କମ୍ପାନିକୁ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ବାଦବିବାଦ ଭିତରେ ସଂପୃକ୍ତ କମ୍ପାନି ଚିନିକଳ ଛାଡ଼ି ଚାଲିଗଲେ। ଶେଷରେ ଓଡ଼ିଆ ଶିଳ୍ପପତି ଶ୍ରୀ ମିଶ୍ରଙ୍କୁ ଚିନିକଳ ବିକ୍ରି କରାଯାଇଥିଲା। ତାହା ସତ୍ତ୍ବେ ମଧ୍ୟ କିଛି ଫରକ ପଡ଼ିଲା ନାହିଁ। କମ୍ପାନି ବୁଡ଼ିବା ସହିତ ଆଖୁ ଚାଷ ବି ବୁଡ଼ିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe