କ୍ଲିନିକରୁ ନବଜାତ ଶିଶୁ ପୁତ୍ର ନିଖୋଜ ଘଟଣା: ଥାନାରେ ରୁଜୁ ହେବ ମାମଲା, ସିଡିଏମଓଙ୍କୁ ତଦନ୍ତ ନିର୍ଦେଶ

Advertisment

କ୍ଲିନିକ୍ କର୍ତ୍ତୃପକ୍ଷ-ଏଏନ୍ଏମଙ୍କୁ ମୁହାଁମୁହିଁ ଜେରା କଲା ସିଡବ୍ଲ୍ୟୁସି, ଖସିଯିବାକୁ ମସୁଧା କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ-କ୍ଲିନିକ୍ କର୍ତ୍ତୃପକ୍ଷ

କ୍ଲିନିକ୍ କର୍ତ୍ତୃପକ୍ଷ-ଏଏନ୍ଏମଙ୍କୁ ମୁହାଁମୁହିଁ ଜେରା କଲା ସିଡବ୍ଲ୍ୟୁସି, ଖସିଯିବାକୁ ମସୁଧା କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ-କ୍ଲିନିକ୍ କର୍ତ୍ତୃପକ୍ଷ

କ୍ଲିନିକରୁ ନବଜାତ ଶିଶୁ ପୁତ୍ର ନିଖୋଜ ଘଟଣା: ଥାନାରେ ରୁଜୁ ହେବ ମାମଲା, ସିଡିଏମଓଙ୍କୁ ତଦନ୍ତ ନିର୍ଦେଶ

Sambad

ରାୟଗଡ଼ା: କ୍ଲିନିକ‌ରୁ ନବଜାତ ଶିଶୁପୁତ୍ର ନିଖୋଜ ଘଟଣା ପଦାକୁ ଆସିବାର ଦୁଇଦିନ ପରେ ବି କୌଣସି ସଠିକ୍ ତଥ୍ୟ ପାଇପାରୁନି ତଦନ୍ତକାରୀ ଟିମ୍। ଏଏନ୍ଏମ୍-କ୍ଲିନିକ୍ କର୍ତ୍ତୃପକ୍ଷଙ୍କୁ ମୁହାଁମୁହିଁ ଜେରା ପରେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଶିଶୁ ପୁତ୍ର ଜୀବିତ ନା ମୃତ ସେ ନେଇ ଚିନ୍ତାରେ ପଡିଛି ଟିମ୍। ସତ ପଦାକୁ ଆସିବା ବଦଳରେ ଘଟଣାକୁ ଚପାଇ ଦେବାକୁ ମସୁଧା ଚାଲିଥିବାରୁ ରାୟଗଡ଼ା ଥାନାରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛି ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାଜକିଶୋର ସାହୁ, ଲିଗାଲ୍ ଅଫିସର୍ ନିରାକାର ପାଢ଼ୀ, ସଦସ୍ୟ ନିକୁଞ୍ଜ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ପ୍ରଶାସନ ଏହି ଘଟଣା ଉପରୁ ପରଦା ଉଠାଇବାକୁ ତଦନ୍ତକୁ ଜୋରଦାର୍ କରିଛି।

ସୋମବାର ଅପରାହ୍ନରେ ଯୁଗ୍ମ କମିଟି କାରୁବାଇ ଗାଁକୁ ଶିଶୁପୁତ୍ରର ପରିବାର ଲୋକ ଓ ଗ୍ରାମବାସୀଙ୍କ ବୟାନ୍ ରେକର୍ଡ କରିଥିଲା। କିନ୍ତୁ ୫ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଶିଶୁପୁତ୍ରର ବାପା ରାଇସିଂହ ମେଲେକା କମିଟି କର୍ତ୍ତୃପକ୍ଷଙ୍କ ନିକଟରେ ନିଜ ପକ୍ଷ ରଖିନଥିଲା। ଭୟରେ ରାଇସିଂହ ଜଙ୍ଗଲ ଭିତରକୁ ଚାଲିଯିବାରୁ କମିଟି କର୍ତ୍ତୃପକ୍ଷ ଫେରି ଆସିଥିଲେ। ଆଜି ପୂର୍ବାହ୍ନରେ ଯୁଗ୍ମ କମିଟି ଘରୋଇ କ୍ଲିନିକ୍ ମାଲିକ ଓ ଏଏନ୍ଏମଙ୍କୁ ମୁହାଁମୁହିଁ ଜେରା କରିଥିଲା। ଜେରା ସମୟରେ ତଦନ୍ତକାରୀ ଟିମ୍ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ମିଳିନଥିବା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ତଦନ୍ତକାରୀ ଟିମ୍ ସୂଚନା ମୁତାବକ, ମାର୍ଚ୍ଚ ୧୭ ତାରିଖରେ ନବଜାତ ଶିଶୁପୁତ୍ର ଚିକିତ୍ସା ପାଇଁ କ୍ଲିନିକରେ ଭର୍ତ୍ତି ହୋଇଥିଲା। ମାର୍ଚ୍ଚ ୨୬ ତାରିଖରେ ଶିଶୁପୁତ୍ରକୁ ଘରକୁ ନେବା ପାଇଁ ବାପା ରାଇସିଂହ ଗ୍ରାମର ୱାର୍ଡମେମ୍ବର ଓ ପୂର୍ବତନ ସରପଞ୍ଚଙ୍କ ସହ କ୍ଲିନିକରେ ପହଞ୍ଚିଥିଲେ। କ୍ଲିନିକ୍ କର୍ତ୍ତୃପକ୍ଷ ୩୭ ହଜାର ଟଙ୍କାର ବିଲ୍ ଦେବା ପରେ ରାଇସିଂହ ଏତେ ଟଙ୍କା ପାଖରେ ନଥିବା କହିଥିଲେ। ଏହା ପରେ କ୍ଲିନିକ୍ କର୍ତ୍ତୃପକ୍ଷ ଲିଖିତ ଆକାରରେ ଶିଶୁପୁତ୍ରର ବାପା-ୱାର୍ଡମେମ୍ବର ଏବଂ ପୂର୍ବତନ ସରପଞ୍ଚଙ୍କ ସ୍ବାକ୍ଷରରେ ଏକ ଚିଠି ରଖି ଟଙ୍କା ଆଣିବାକୁ ପଠାଇ ଦେଇଥିଲେ।

ଗ୍ରାମବାସୀଙ୍କ ସହ ବୈଠକ ପରେ ମଧ୍ୟ ଟଙ୍କା ଯୋଗାଡ଼ ନ ହୋଇପାରିବା କାରଣରୁ ୧ ମାସ ପର୍ଯ୍ୟନ୍ତ ରାଇସିଂହ ଶିଶୁପୁତ୍ରକୁ ନେବା ପାଇଁ କ୍ଲିନିକକୁ ଆସିନଥିଲେ। ଏହା ମଧ୍ୟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ତଦନ୍ତକାରୀ ଟିମକୁ ସୂଚନା ଦେଇଛନ୍ତି କ୍ଲିନିକ୍ କର୍ତ୍ତୃପକ୍ଷ। ତେବେ ଶିଶୁ ମୃତ୍ୟୁ ସମ୍ପର୍କରେ କ୍ଲିନିକ୍ କର୍ତ୍ତୃପକ୍ଷ କିପରି ଭାବେ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ପୌର ପରିଷଦ, ଶିଶୁ ସୁରକ୍ଷା ୟୁନିଟକୁ ନ ଜଣାଇ ମୃତଦେହ ସଂସ୍କାର କରିଦେଲେ ବୋଲି ତଦନ୍ତକାରୀ ଟିମ୍ ପ୍ରଶ୍ନ କରିଥିଲେ। ଯାହାକୁ ନିଜ ଭୁଲ୍ ଭାବେ ସ୍ବୀକାର କରିଛନ୍ତି କ୍ଲିନିକ୍ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଏଏନ୍ଏମ୍ ଶିଶୁପୁତ୍ର ବଞ୍ଚିଥିବା ନେଇ ପ୍ରଥମେ ସୂଚନା ଦେଇଥିବାରୁ ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ଅନୁମାନ କରିଛି ତଦନ୍ତକାରୀ ଟିମ୍। ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସକାଳେ ଶିଶୁ ସୁରକ୍ଷା କମିଟି ରାୟଗଡ଼ା ଥାନାରେ ଏତଲା ଦେବା ନେଇ ସ୍ଥିର ହୋଇଛି। ସବୁଠୁ ବଡ଼ କଥା ହେଲା ଗତ ୨୭ ତାରିଖରେ ଏ ସମ୍ପର୍କରେ କାରୁବାଇ ଅଙ୍ଗନବାଡ଼ି କର୍ମୀ ପାର୍ବତୀ ମାଣ୍ଡାଙ୍ଗି ସିଡିପିଓ ମୀନାକ୍ଷି ଦାଶଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ ସିଡିପିଓ ଘଟଣାକୁ ହେୟ ମନେ କରି ଶିଶୁ ସୁରକ୍ଷା ୟୁନିଟକୁ ଅବଗତ କରି ନିଜ ଦାୟିତ୍ବ ସାରି ଦେଇଥିଲେ। ସବୁ ସ୍ତରରେ ଅବହେଳା ଜଳ ଜଳ ବାରି ହୋଇପଡୁଥିବାରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଲାଲମୋହନ ରାଉତରାୟଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାର ତଦନ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe