ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ସ୍ଥାପନ ପାଇଁ ଜମି ଚିହ୍ନଟ କରିବାକୁ ଆସିବେ ଉଚ୍ଚଶିକ୍ଷା ବିଭାଗର ଏକ ତିନି ଜଣିଆ ଟିମ୍। ଆସନ୍ତା ୨ତାରିଖ ଦିନ ଭୁବନେଶ୍ବରରୁ ଜୟପୁର ବିମାନରେ ଏହି ଦଳ ଜୟପୁରରେ ପହଚିଂବେ। ୨,୩ ଓ ୪ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଟିମ୍ ରହି ନୂଆ କ୍ୟାମ୍ପସ୍ ଜମି ଚିହ୍ନଟ କରିବେ। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର ଓ ଜିଲ୍ଲାପାଳଙ୍କ ସହ କ୍ୟାମ୍ପସ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ଜୟନ୍ତଗିରୀ, ଆମ୍ବାଗୁଡା, ରଣ୍ଡାପାଲ୍ଲୀ, ବାରିଣୀପୁଟ ଆଦି ଅଂଚଳରେ ବୁଲି ଜମି ଦେଖାଯାଇଛି। ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ୩୨୬ରେ ଜୟନ୍ତଗିରୀ ନିକଟରେ ଥିବା ସରକାରୀ ଜମି, ଆମ୍ବାଗୁଡା ପୁରୁଣା ଡିଏନକେ କଲୋନୀ, ରଣ୍ଡାପାଲ୍ଲୀ ନିକଟସ୍ଥ କୋରାପୁଟ ପଲିଟେକ୍ନିକ୍ କଲେଜ ପାର୍ଶ୍ବ ଓବାରିଣୀପୁଟରେ ଜମି ଦେଖାଯାଇଛି। ରଣ୍ଡାପାଲ୍ଲୀରେ ଏକା ସ୍ଥାନରେ ୭୨ ଏକର ଜମି ରହିଥିବା ବେଳେ ଏହାର ପ୍ରାକୃତିକ ପରିବେଶ, ଝରଣା ଆଦିକୁ ନେଇ ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇ ରହିଛି। ଆସୁଥିବା ଦଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକଙ୍କ ନେତୃତ୍ବରେ ରାଜ୍ୟ ଉଚ୍ଚଶିକ୍ଷା କାଉନସିଲର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋର କୁମାର ଦାଶ, ଆକାଡେମିକ୍ ପରାମର୍ଶଦାତା ମିହିର କୁମାର ଦାଶ ଆସିବେ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ।
ଏହି ଟିମ ସହ ନିର୍ଦ୍ଦେଶକ ଶ୍ରୀ ରଥ, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ସାଗରିକା ଷଡଙ୍ଗୀ, ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର ଆଦି କ୍ୟାମ୍ପସ୍ ଚୟନରେ ଭାଗ ନେବେ ବୋଲି ସୂଚନା ମିଳିଛି। ବିଶ୍ବବିଦ୍ୟାଳୟ ଘୋଷଣାର ବହୁ ଦିନ ପରେ ଭାରପ୍ରାପ୍ତ ରେଜିଷ୍ଟ୍ରାର ପଦବୀ ନିଯୁକ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କରିବା ପରେ ୩ ବୈଧାନିକ ଅଧିକାରୀ ଭାଇସ୍ ଚାନସେଲର, ଫାଇନାନ୍ସ କମ୍ପଟ୍ରୋଲର, ଏକଜାମିନ୍ କମ୍ପଟ୍ରୋଲର ପଦବୀ ନିଯୁକ୍ତି କଥା ଭୁଲିଯାଇଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ସମ୍ମୁଖ ଗେଟର ବୋର୍ଡରେ ଲାଗିଥିବା ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବାହାର କରାଯାଇ ସେଠାରେ ଅସ୍ଥାୟୀ ଫ୍ଲେକ୍ସ ବିକ୍ରମଦେବ ବିଶ୍ବବିଦ୍ୟାଳୟ ବୋଲି ଟଙ୍ଗାଯାଇଛି। ଅତିଶୀଘ୍ର ଏହି ସାଇନ୍ ବୋର୍ଡ ଆସିଲେ ଲଗାଯିବ ବୋଲି କହିଛନ୍ତି ରେଜିଷ୍ଟ୍ରାର।
Follow Us