ଧାନଫସଲରେ ବ୍ୟାପୁଛି ପତ୍ରପୋଡ଼ା ରୋଗ: କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ

Advertisment
ଧାନଫସଲରେ ବ୍ୟାପୁଛି ପତ୍ରପୋଡ଼ା ରୋଗ: କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ

ଆନନ୍ଦପୁର: ଧାନ ଫସଲରେ ବ୍ୟାପୁଛି ପତ୍ରପୋଡ଼ା ରୋଗ। ଏହାକୁ ରୋକିବା ପାଇଁ ଚାଷୀ ବିଲରେ କୀଟନାଶକ ପକାଇ ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଦିନକୁ ଦିନ ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡ଼ି ଚାଲିଛି। ଅନ୍ୟପକ୍ଷରେ କୃଷି ବିଭାଗ ରୋଗ ଦମନ କ୍ଷେତ୍ରରେ ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ପତ୍ରପୋଡ଼ା ରୋଗକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବାମ୍ଫିଡ଼ି ଓ ମଦନପୁର ଗ୍ରାମର ଧାନ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ଦେଢ଼ମାସ ତଳୁ ଧାନତଳି ରୁଆ ସରିଥିଲା। ଏବେ ଧାନଗଛ ସବୁ ବଡ଼ବଡ଼ ହେଇଗଲାଣି। ଆଉ ଦିନ କେଇଟା ପରେ ଗଛରୁ ବାହାରିଥାନ୍ତା। ହେଲେ ଏହା ପୂର୍ବରୁ ଧାନ ଫସଲରେ ପତ୍ରପୋଡ଼ା ରୋଗ ଦେଖାଦେଇଛି। ଏହି ରୋଗ ପ୍ରଥମେ ଜଣେ ଦୁଇଜଣ ଚାଷୀଙ୍କ କ୍ଷେତରେ ଦେଖିବାକୁ ମିଳିଥିଲା। ଏହି ରୋଗ ଏବେ ଉଭୟ ମଦନପୁର ଓ ବାମ୍ଫିଡ଼ି ଗାଁର ଚାଷୀଙ୍କ ଶହଶହ ଏକର ଚାଷଜମିକୁ ବ୍ୟାପିଗଲାଣି। ଧାନଗଛର ପତ୍ର ପୋଡ଼ି ଯାଉଥିବାରୁ ଫସଲ ଉଜୁଡ଼ି ଯିବାର ସମ୍ଭାବନା ରହିଛି।

ରୋଗ ଦାଉରୁ ଫସଲକୁ ବଞ୍ଚାଇବା ପାଇଁ ଚାଷୀମାନେ ଅନେକ ଉପାୟ କଲେଣି। କୃଷି ବିଭାଗର ପରାମର୍ଶ ଅନୁସାରେ ସାର,  କୀଟନାଶକ ସିଞ୍ଚନ କଲେଣି। ହେଲେ କୌଣସି ସୁଫଳ ମିଳୁନି। କୌଣସି ଉପାୟରେ ପତ୍ରପୋଡ଼ା ରୋଗ ଦମନ ହେଉନଥିବା ଚାଷୀମାନେ କୃଷି ବିଭାଗକୁ ଜଣାଇଛନ୍ତି। ହେଲେ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରିବାକୁ କାହାରି ଦେଖା ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବ୍ଲକ୍‌ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରୁ, ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ କୃଷି ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe