କଟକଣାକୁ ଫୁ; ଧୁମଧାମରେ ନୂଆବର୍ଷ ପାଳନ, ୨ ଦିନରେ ୧୫ ଲକ୍ଷର ଆମିଷ ବିକ୍ରି

Advertisment
କଟକଣାକୁ ଫୁ; ଧୁମଧାମରେ ନୂଆବର୍ଷ ପାଳନ, ୨ ଦିନରେ ୧୫ ଲକ୍ଷର ଆମିଷ ବିକ୍ରି

Sambad

ଜୟପୁର: ‌ଓମିକ୍ରନ ସଂକ୍ରମଣ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ବ୍ୟାପକ କଟକଣା ଜାରି କରିଥିଲେ। ଏହାବାଦ୍‌ ବି ଲୋକେ ଏହାକୁ ଫୁ କରି ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଜିରୋନାଇଟ୍‌ ଏବଂ ନୂଆବର୍ଷକୁ ସ୍ବାଗତ କରିବା ପାଇଁ କେଉଁଠି ନାଚଗୀତ ତ ଆଉ କେଉଁଠି ଭୋଜିଭାତର ଆସର ଜମାଇଥିଲେ। ଆଜି ଶନିବାର ଥିବାରୁ ଗତକାଲି ଜିରୋନାଇଟ୍‌କୁ ବହୁ ଲୋକେ ଧୁମଧାମରେ ପାଳନ କରିଥିଲେ। ସେଭଳି ଆଜି ବି କିଛି ଲୋକେ ଉତ୍ସାହର ସହ ପାଳନ କରିଛନ୍ତି। ପୁରୁଣାକୁ ବିଦାୟ ଦେଇ ନୂଆକୁ ସ୍ବାଗତ କରିବା ପାଇଁ ଗତ ରାତିରେ ଜିରୋନାଇଟରେ ଝୁମି ଉଠିଥିଲା ସହର। ସହରରେ କେତେକ ସ୍ଥାନରେ ଭୋଜିଭାତ ସାଙ୍ଗକୁ ନାଚ ଗୀତର ଆୟୋଜନ କରାଯାଇଥିଲା। ଘର ଆଗରେ ରଙ୍ଗୋଲୀରେ ଝୋଟି ପକାଇବା ସହ ରଙ୍ଗୀନ ଆଲୋକ ସଜ୍ଜା କରିଥିଲେ। ରାତି ୧୨ଟା ପୂର୍ବରୁ ବାଣ ଫୁଟାଇବା ଆରମ୍ଭ କରି ଦେଇଥିଲେ। ପରସ୍ପରକୁ  ଆଲିଙ୍ଗନ କରି ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ। ଯୁବବର୍ଗ ଭୋଜିର ଆସର ସାଙ୍ଗଙ୍କୁ ଡିଜେ ସଙ୍ଗୀତରେ ନାଚଗୀତରେ ଝୁମି ଉଠିଥିଲେ।

publive-image Sambad

ଏହାସହ ନୂତନବର୍ଷର ପ୍ରଥମ ସକାଳରେ ପରିବାର ଲୋକଙ୍କ ସହ ମନ୍ଦିର ଯାଇ ଶୁଭ ମନାସି ଥିଲେ। ଜଗନ୍ନାଥ ମନ୍ଦିର, ଭଗବତୀ ମନ୍ଦିର, ଜଗତ ଜନନୀ ମନ୍ଦିର, ମା’ ଦକ୍ଷିଣ କାଳୀ ମନ୍ଦିର, ହନୁମାନ, ବାଲାଜୀ ମନ୍ଦିର, ସତ୍ୟସାଇ, ସିରଡିସାଇ ମନ୍ଦିରରେ ସକାଳ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ଯଦିଓ ଆଜି ଶନିବାର ହୋଇଥିଲେ ବି ବଣଭୋଜି ଜମିଥିଲା। କୋରାପୁଟ ଜିଲ୍ଲାର ସହର ମଧ୍ୟରେ ଓ ଆଖପାଖରେ ରହିଥିବା ଗଡପଦର, ହାତୀଶାଳ, ପାତ୍ରପୁଟ, ଶୀତଳାଗୁଢୀ. ମାଳିଗୁଡା, ତେଲିଙ୍ଗିରୀ ଆଦି ପିକନିକ୍‌ ସ୍ପଟରେ ଗହଳି ଜମିଥିଲା।

ସେହିପରି ବଜାର ବୁଲିବା ସହ ବାହାରେ ବିଭିନ୍ନ ସ୍ଥାନରେ ପିକନିକ୍‌ କରି ନୂତନ ବର୍ଷକୁ ପାଳିଛନ୍ତି। ସେଭଳି ଗତକାଲି ଓ ଆଜି ୧୫ ଲକ୍ଷ ଟଙ୍କାର ମାଛ, ଛେଳି ମାଂସ, କୁକୁଡା (ଦେଶୀ ଓ ବ୍ରୟଲର) ମାଂସ ଆଦି ବିକ୍ରି ହୋଇଥିବା କହିଛନ୍ତି ମହମ୍ମଦ ଆକବର। ସେଭଳି ‌ବିଦେଶୀ ମଦ ବି ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିକ୍ରି ହୋଇଥିବା ସୂଚନା ମିଳିଛି। କିଛି ଲୋକେ ସହରରେ ଥିବା ଅନାଥ ଆଶ୍ରମ, ବସ୍ତି ଅଞ୍ଚଳରେ ବି ଆଜି ସମୟ କାଟିଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜୟପୁର ଏସଡିପିଓ ଅରୁଫ ଅଭିଶେଖ ବେହେରା, ଜୟପୁର ଟାଉନଥାନା ଆଇଆଇ ସଞ୍ଜୟ ମଣ୍ଡଳଙ୍କ ତତ୍ବାବଧାନରେ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe