Image Courtesy of IPLeaders Blog
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ପଳିକିରି ଗୋପାଳପୁର ଗ୍ରାମର ନିରଂଜନ ବାରିକଙ୍କ ସ୍ତ୍ରୀ କ୍ଷେତିପ୍ରଭା ବାରିକଙ୍କର ଗତବର୍ଷ ୧୭ ଜୁଲାଇରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭ ନିରୋଧ ଅସ୍ତ୍ରୋପଚାର କରିଥିଲେ। ପ୍ରସୂତି ବିଶେଷଜ୍ଞ ଡାକ୍ତର ଅମରେନ୍ଦ୍ର ଜେନା ତାଙ୍କର ଗର୍ଭ ନିରୋଧକ ଅସ୍ତ୍ରୋପଚାର କରିବା ସମୟରେ ଗର୍ଭନାଳୀ ବଦଳରେ ଖାଦ୍ୟ ନାଳୀ କାଟି ଦେଇଥିଲେ। ଭୁଲ୍ ଜାଣିବା ପରେ ଖାଦ୍ୟ ନଳୀକୁ ପୁଣି ଯୋଡି ଦେଇଥିଲେ। ଏହି କାରଣରୁ କ୍ଷେତିପ୍ରଭାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ହୋଇପଡିଥିଲା। ତାଙ୍କର ଚିକିତ୍ସା ପାଇଁ ତାଙ୍କ ସ୍ବାମୀ ଋଣ କରଜ କରି ସର୍ବସ୍ବାନ୍ତ ହେବା ଓ କ୍ଷେତିପ୍ରଭାଙ୍କର ଜୀବନ ବିପଦରେ ଥିବା ଘଟଣାରେ ଆଜି ଜାତୀୟ ମାନବାଧିକାର କମିସନ ନୋଟିସ ଜାରିକରି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କଠାରୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।
ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାକୁ ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ ଏହି ନୋଟିସ ଜାରି କରି କ୍ଷେତିପ୍ରଭାଙ୍କର ମାମଲାରେ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ପୁଲିସ କେଉଁ ପଦକ୍ଷେପ ନେଇଛି ତାର ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ନହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ର ଧାରା ୧୩ ଅନୁଯାୟୀ ଉଭୟ ସ୍ବାସ୍ଥ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ବିରୁଦ୍ଧରେ ସମନ ଜାରି କରାଯିବ ବୋଲି ମଧ୍ୟ କମିଶନ ସୂଚାଇ ଦେଇଛନ୍ତି। ଏହି ଘଟଣାରେ ମାନବାଧିକାର କମିସନଙ୍କର କେସ ନମ୍ବର ୧୯୧୨/୧୮/୧୮/୨୦୨୨ରେ ମାମଲା ରୁଜୁ କରାଯାଇଛି।
Follow Us