ଆବାସିକ ଛାତ୍ରୀ ନିବାସରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିଖୋଜ

ଅଧରାତିରେ ପାଚେରୀ ଡେଇଁ ପଳାଇଲେ ନବମ ଶ୍ରେଣୀ ଛାତ୍ରୀ!

ଆବାସିକ ଛାତ୍ରୀ ନିବାସରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିଖୋଜ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେନିଗଡ଼ ଆବାସିକ ଛାତ୍ରୀ ନିବାସରୁ ଶୁକ୍ରବାର ରାତିରେ ଜଣେ ନବମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣା ଏବେ ପଦାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଆବାସିକ ଛାତ୍ରୀ ନିବାସର ଅଧୀକ୍ଷକ ତଥା ଆଡ଼େନିଗଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଛାତ୍ରୀଙ୍କ ନିରୁଦ୍ଧିଷ୍ଟ ହେବା ନେଇ ଶନିବାର ସକାଳେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି।

ନିଖୋଜ ଛାତ୍ରୀ ଜଣକ ବୌଦ୍ଧ ଜିଲ୍ଲା ଗୁଡ଼ବାହାଲି ଗ୍ରାମର ମହେନ୍ଦ୍ର ମହାନନ୍ଦିଆଙ୍କ ଝିଅ ବୋଲି ଏତଲାରେ ଉଲ୍ଲେଖ ଅଛି। ସେ ଚଳିତ ବର୍ଷଠାରୁ ଆବାସିକ ଛାତ୍ରୀ ନିବାସର ୪ନଂ ହଷ୍ଟେଲରେ ରହି ଆଡେନିଗଡ଼ ହାଇସ୍କୁଲ ଯିବା ଆସିବା କରି ପଢୁଥିଲେ। ସେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ବାନ୍ତି ଦେଖାଉଥିବା ଆଳରେ ତଳକୁ ଆସି ସମସ୍ତଙ୍କର ଅଲକ୍ଷ୍ୟରେ ଏକ ଟେବୁଲ ସାହାଯ୍ୟରେ ହଷ୍ଟେଲ ପାଚେରି ଡେଇଁବା ପରେ ଅନ୍ୟ ସହାୟତାରେ କୁଆଡେ ଚାଲି ଯାଇଥିବା ସନ୍ଦେହ କରାଯାଉଥିବା ଆଗତ ଏତଲାରେ ଦର୍ଶାଯାଇଛି।

publive-image

୯୪ଜଣ ଛାତ୍ରୀ ରହୁଥିବା ଏହି ହଷ୍ଟେଲରେ ଯଦି କୌଣସି ଅନ୍ତୋବାସିନୀଙ୍କୁ ବାନ୍ତି ଲାଗିଲା ତେବେ ହଷ୍ଟେଲ ପରିସର ଭିତରେ ବେସିନ ଓ ବାଥରୁମ ରହିଥିବା ବେଳେ ତାଙ୍କୁ ବାହାରକୁ ଯିବାକୁ କାହିଁକି ଦିଆଗଲା। ଅନ୍ୟପକ୍ଷରେ ଛାତ୍ରୀଙ୍କୁ ଯଦି ବାନ୍ତି ଲାଗିଲା ତା ହେଲେ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ଏଏନଏମଙ୍କୁ ଡକାଇ ଔଷଧ ଦିଆଯାଇ ପାରିଥାନ୍ତା। କିମ୍ବା ମାତ୍ର କିଛି ଦୂରରେ ଥିବା ଆଡେନିଗଡ଼ ଗୋଷ୍ଠୀ ସ୍ୱ୍ୟାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇ ଥିଲେ ବି ଭଲ ହୋଇଥାନ୍ତା। ମାତ୍ର ଏସବୁ କରା ନଯାଇ ଛାତ୍ରୀଙ୍କୁ ନିଶ୍ଚିନ୍ତରେ କିପରି ରାତିରେ ଏକୁଟିଆ ହଷ୍ଟେଲ ତଳକୁ ଯିବାକୁ ଛଡାଗଲା ବୋଲି ପ୍ରଶ୍ନ ଉଠୁଛି। ଯଦି ଟେବୁଲ ସହାୟତାରେ ଛାତ୍ରୀ ଜଣକ ପାଚେରି ଡେଇଁ ଚାଲିଯିବାକୁ ସକ୍ଷମ ହେଲେ କୁହାଯାଉଛି, ତେବେ ହଷ୍ଟେଲ ଅଧୀକ୍ଷକ, ୨ଜଣ ମେଟ୍ରନ (ଅଧୀକ୍ଷିକା) ଓ ଜଣେ ରୋଷେୟାଙ୍କୁ ମିଶାଇ ସମୁଦାୟ ୪ଜଣ ଷ୍ଟାଫଙ୍କ ଉପସ୍ଥିତି ସତ୍ତ୍ୱେ ଛାତ୍ରୀ ଜଣକ ଏକାକି ସେଠାକୁ ଟେବୁଲ ବୋହିନେବା ବେଳକୁ କେହି କିଭଳି ଦେଖିପାରିଲେ ନାହିଁ।

ଅପରପକ୍ଷରେ ଜଣେ ନବମ ଶ୍ରେଣୀ ଛାତ୍ରୀ ରାତି ସାଢେ ୯ଟାରେ ହଷ୍ଟେଲରୁ ନିଖୋଜ ହେବା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ଏ ଖବର ସ୍ଥାନୀୟ ପୁଲିସ କିମ୍ବା ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ନିଜର ଢିଲା ନିରାପତ୍ତା ବ୍ୟବସ୍ଥାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପୁଲିସ ପ୍ରଶାସନ ପକ୍ଷରୁ ଛାତ୍ରୀ ଜଣକୁ ଉଦ୍ଧାର କରିବା ପାଇଁ ବିହିତ ପଦକ୍ଷେପ ନେବା ସହିତ ବିଭାଗୀୟ କର୍ତ୍ତୃପକ୍ଷ ଆବାସିକ ଛାତ୍ରୀ ନିବାସଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe