ଆବାସ ଯୋଜନା ସାତ ସପନ: ଦଦରା ଘରେ ରହୁଛନ୍ତି ଅସହାୟ ପରିବାର

ଆବାସ ଯୋଜନା ସାତ ସପନ: ଦଦରା ଘରେ ରହୁଛନ୍ତି ଅସହାୟ ପରିବାର

ଝରିଗାଁ: ଆର୍ଥିକ ଅଭାବ ଯୋଗୁଁ ଦୀର୍ଘ ବର୍ଷ ତଳେ ଜଙ୍ଗଲରୁ କାଠ ଆଣି ସେଥିରେ ମାଟି ଲେପ ଦେଇ ଛାତରେ ଆଜବେଷ୍ଟ ଦେଇ ଦୁଇ ବଖରା ଘର କରିଥିଲେ। ସମୟ କ୍ରମେ ସେହି ଦୁଇ ବଖରା ବିଶିଷ୍ଟ ମାଟି ଘର ବର୍ଷା ପାଣି ଯୋଗୁଁ ନଷ୍ଟ ହେବାକୁ ଲାଗିଲା। ଘର ମରାମତି ପାଇଁ ଅର୍ଥ ଅଭାବ ଥିବା ବେଳେ ବର୍ତ୍ତମାନ ସେହି ବିପଦଶଙ୍କୁଳ ଦଦରା ଘରେ ରହୁଛନ୍ତି ଅସହାୟ ପରିବାର। ଏହିଭଳି ଏକ ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ପିପଳଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ପିପଲଗୁଡା ଗ୍ରାମର ଦଶରୁ ଜାନୀ ଏବଂ ସ୍ତ୍ରୀ ଆମଦାଏ ଜାନୀ ଉଭୟ ଯୌବନ ଅବସ୍ଥାରେ ଦୀର୍ଘ ବର୍ଷ ତଳେ କୁଲି କାମ କରି ଯାହା ରୋଜଗାର କରୁଥିଲେ ସେଥିରେ କିଛି ଟଙ୍କା ସଞ୍ଚୟ କରି ମାଟି ଘରେ ଆଜବେଷ୍ଟ ପକାଇ ଦୁଇ ବଖରା ଘର ନିର୍ମାଣ କରିଥିଲେ। ବର୍ଷ ବର୍ଷ ଧରି ବର୍ଷା ପାଣି ପଡିବା ଯୋଗୁଁ କାନ୍ଥ ଗୁଡିକ ନଷ୍ଟ ହେବା ସହ କାଠଗୁଡିକ ମଧ୍ୟ ନଷ୍ଟ ହେବାରେ ଲାଗିଛି।ସେହିପରି ଛାତ ଉପରେ ଥିବା ଆଜବେଷ୍ଟଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। ବର୍ଷାଦିନଗୁଡିକରେ ଆଜବେଷ୍ଟସରୁ ପାଣି ଗଳୁଥିବାବେଳେ କାନ୍ଥଗୁଡିକ ଦୁର୍ବଳ ଅବସ୍ଥାରେ ରହିଛି। ଘର ମରାମତି କରିବା ପାଇଁ ଆର୍ଥିକ ଅଭାବ ଯୋଗୁଁ ବାଧ୍ୟହୋଇ ବିପଦଶଙ୍କୁଳ ଦଦରା ଘରେ ଆଶ୍ରୟ ନେଉଛନ୍ତି। ଆବାସ ଗୃହ ପାଇଁ ବହୁବାର ପ୍ରଶାସନ ନିକଟରେ ଆବେଦନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକ କହିଛନ୍ତି। ସେହିପରି ଦଶରୁ ଦମ୍ପତିଙ୍କ ସାବିତ୍ରୀ ଏକ ମାତ୍ର ଝିଅ। ଝିଅ ଜନ୍ମ ହେବା ପରେ ପରିବାର ଲୋକ ଖୁସି ହୋଇଥିଲେ।

କିନ୍ତୁ ସମୟ କ୍ରମେ ଜଣାପଡିଥିଲା ଯେ ସାବିତ୍ରୀ ଜନ୍ମରୁ ବଧିର। ବଧିର ଯୋଗୁଁ ଝିଅର ଅଧାରୁ ପାଠ ପଢ଼ାରେ ଡୋରି ପଡି ଯାଇଛି। ସଚେତନତା ଅଭାବ ସାଙ୍ଗକୁ ପ୍ରଶାସନର ଅବହେଳା ଯୋଗୁଁ ସାବିତ୍ରୀଙ୍କୁ ଏଯାବତ ଭିନ୍ନକ୍ଷମ ଭତ୍ତା ମିଳିପାରି ନାହିଁ।ଝିଅର ବୟସ ଯେତେ ବଢୁଛି ଝିଅର ଭବିଷ୍ୟତକୁ ନେଇ ପରିବାର ଲୋକଙ୍କ ଚିନ୍ତା ମଧ୍ୟ ସେତେ ବଡିବାରେ ଲାଗିଛି। ତେଣୁ ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବାସ ଗୃହ ଏବଂ ଝିଅକୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଳକରେ ଦଶରୁଙ୍କ ପରିବାର ଭଳି ଅନେକ ପରିବାର ଆବାସ ଯୋଜନାରେ ସାମିଲ ହୋଇ ନପାରି ଦଦରା ଘରେ, ଭଙ୍ଗା ଘରେ କିମ୍ବା ବିପଦଶଙ୍କୁଳ ଘରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ କରି ଗୃହ ପ୍ରଦାନ କଲେ ଏହି ଯୋଜନା ବ୍ଳକରେ ସଫଳ ହୋଇ ପାରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe