ପାମ୍‌ ଗଛର ସୌନ୍ଦର୍ଯ୍ୟୀକରଣ ନେଇ ପ୍ରଶ୍ନବାଚୀ: ପୁରୁଣା ଉଜୁଡ଼ିଲାଣି, ନୂଆ ରହିବ ତ?

Advertisment
ପାମ୍‌ ଗଛର ସୌନ୍ଦର୍ଯ୍ୟୀକରଣ ନେଇ ପ୍ରଶ୍ନବାଚୀ: ପୁରୁଣା ଉଜୁଡ଼ିଲାଣି, ନୂଆ ରହିବ ତ?

Sambad

ଜଗତସିଂହପୁର ଟାଉନ୍: ଜଗତସିଂହପୁର ପୌରାଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ତତ୍‌କାଳୀନ ଜିଲ୍ଲାପାଳ ଯାମିନୀ ଷଢ଼ଙ୍ଗୀ ଓ ଏସ୍‌ପି ଜୟନାରାୟଣ ପଙ୍କଜଙ୍କ ଉଦ୍ୟମରେ ଡାକ ବଙ୍ଗଳା ଛକଠାରୁ ରଶ୍ମି ଟକିଜ୍ ପର୍ଯ୍ୟନ୍ତ କେନାଲ ପାର୍ଶ୍ବରେ ଲଗାଯାଇଥିବା ପାମ୍ ଗଛଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟହେବାକୁ ବସିଲାଣି। ସେହି ଗଛକୁ ସୁରକ୍ଷା ଦେବା ପାଇଁ ଥିବା ଲୁହାତାର ବାଡ଼ ହଟାଇ ଇଟାରେ ମୂଳକୁ ଗୋଲେଇ କରାଯାଉଛି। କିନ୍ତୁ ଗଛ ମୂଳରେ ମାଟି କି ପାଣି ନାହିଁ। ଫଳରେ କେତେକ ଗଛ ମରି ଯାଇଥିବା ବେଳେ ଆଉ କେତେକ ପାଣି ନପାଇ ଶୁଖି ଗଲାଣି। ବସ୍‌ଷ୍ଟାଣ୍ଡ ପାଖରେ ନୂଆ ପତ୍ର କଅଁଳି ଆସୁଥିବା ଗୋଟିଏ ପାମ୍ ଗଛର ଅବସ୍ଥାରୁ ଏହା ସ୍ପ‌ଷ୍ଟ। ତେଣୁ ପୁରୁଣା ଉଜୁଡ଼ିବାକୁ ବସିଥିବା ବେଳେ ଗତ ସ୍ବାୟତ୍ତଶାସନ ଦିବସ ଅବସରରେ ୧୦ ନମ୍ବର ତାରାଦେବୀ ମନ୍ଦିର ଠାରୁ ହାଟ ପୋଲ ପର୍ଯ୍ୟନ୍ତ ଲଗାଯାଇଥିବା ନୂଆ ପାମ୍ ଗଛଗୁଡ଼ଇକର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ପୌରାଞ୍ଚଳକୁ ଅଧିକ ସୁନ୍ଦର କରିବା ପାଇଁ ରଶ୍ମି ଟକିଜ୍ ଠାରୁ ଡାକ ବଙ୍ଗଳା ପର୍ଯ୍ୟନ୍ତ କେନାଲ କଡ଼ରେ ୨୦୧୬-୧୭ରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ପାମ୍‌ ଗଛସବୁ ଲଗାଯାଇଥିଲା। ଲୁହା ବାଡ଼ ଘେରା ଯାଇଥିଲା। ଗଛ ବଡ଼ ହେବା ପରେ ସହରକୁ ଅଧିକ ସୁନ୍ଦର କରିବା ପାଇଁ ପାମ୍ ଗଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନୀଳ ଓ ଧଳା ରଙ୍ଗର ଏଲ୍‌ଇଡି ମାଳ ଲଗା ଯାଇଥିଲା। ଯାହା ଦେଢ଼ ବର୍ଷ ଭିତରେ ତିନି ଥର ଖରାପ ହେବା ସହ ମରାମତିରେ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଲୁହାବାଡ଼ କେତେକ ଜାଗାରେ ଭାଙ୍ଗି ଯାଇଥିଲା। ସ୍ବାୟତ୍ତଶାସନ ଦିବସ ପୂର୍ବରୁ ସେଗୁଡ଼ିକ ହଟାଯାଇ ଗଛ ଚାରିପଟେ ଇଟାରେ ଗୋଲାକୃତି ଫନ୍ଦ ତିଆରି କରାଯାଇଥିଲା। ଏହା ପରେ ଇଟାର କାନ୍ଥକୁ ହଳଦିଆ ଓ ଧଳା ରଙ୍ଗ ଦିଆଯାଇ ଚକ୍ ଚକ୍ କରି ଦିଆଗଲା। ଏଲଇଡି ଲାଇଟ୍ ମାଳ ବି ଜଳିଲା। କିନ୍ତୁ ଲୁହାବାଡ଼ ହଟାଯିବା ପରେ ଗଛ ଚେର ବାହାରକୁ ବାହାରି ଆସିଥିଲା। ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଗଛ ମୂଳରେ ଆଉ ମାଟି ପକାଯାଉ ନାହିଁ। ଗତ କିଛିଦିନ ହେଲାଣି ପ୍ରବଳ ଖରାରେ ଗଛଗୁଡ଼ିକ ଶୁଖିଗଲାଣି। ବର୍ଷା ଉଭାନ୍ ହୋଇ ଯାଇଥିବା ବେଳେ ଗଛ ମୂଳରେ ପାଣି ମଧ୍ୟ ଦିଆଯାଉ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପାମ୍ ଗଛଗୁଡ଼ିକ ଶ୍ରୀହୀନ ହୋଇଗଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭବିଷ୍ୟତରେ ସେହି ନୂଆ ପାମ୍‌ଗଛଗୁଡ଼ିକର ରକ୍ଷଣାବେକ୍ଷଣ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ଏଣୁ ସହରର ପ୍ରତିଟି ଟିକସଦାତା, ବୁଦ୍ଧିଜୀବୀ ଏହି ସୌନ୍ଦର୍ଯ୍ୟକରଣ ବୃକ୍ଷର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe