ଅଳପୁଆ ପ୍ରାଣୀ ସହାୟକ କେନ୍ଦ୍ର, ନିର୍ମାଣ ପରଠୁ ତାଲା

Advertisment
ଅଳପୁଆ ପ୍ରାଣୀ ସହାୟକ କେନ୍ଦ୍ର, ନିର୍ମାଣ ପରଠୁ ତାଲା

Sambad

ପଟ୍ଟାମୁଣ୍ତାଇ: ପ୍ରାଣୀ ଚିକିତ୍ସାଳୟ ପାଇଁ ଗୃହ ନିର୍ମାଣ ହୋଇଥିଲା ୮ ବର୍ଷ ତଳେ। ସେବେଠୁ ତାଲା ପଡ଼ିଛି। ସରକାର ଗୃହ ସିନା ନିର୍ମାଣ କରିଦେଲେ ଡାକ୍ତର ନିଯୁକ୍ତ କରିବାକୁ ଭୁଲିଗଲେ। ପ୍ରାଣୀ ଚିକିତ୍ସାର ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଳପୁଆରେ। ପ୍ରାଣୀ ଚିକିତ୍ସା ଓ ପଶୁ ସମ୍ପଦର ଭିତ୍ତିଭୂମି ସଜାଡ଼ିବା‌ରେ ସରକାରଙ୍କ ଆନ୍ତରିକତା କେତେ ତାହା ଅଳପୁଆ ପ୍ରାଣୀ ସହାୟକ କେନ୍ଦ୍ରକୁ ଦେଖିଲେ ଜଳଜଳ ହୋଇ ଦିଶି ଯାଉଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ଅଳପୁଆ ତଳପଡିଆଠାରେ ପ୍ରାଣୀ ସହାୟକ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ, ୨୦୧୪ରେ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏଠାରେ ଚିକିତ୍ସାଳୟ ପାଇଁ ଗୃହ ନିର୍ମାଣ କରାଯାଇଥିଲା। ଗୃହ ନିର୍ମାଣ ପରଠୁ ଏହି ପ୍ରାଣୀ ସହାୟକ କେନ୍ଦ୍ରରୁ ତାଲା କିନ୍ତୁ ଖୋଲିନି। ଏମିତି ୮ ବର୍ଷ ବିତି ଗଲାଣି। ସରକାର ଏଠାରେ ପ୍ରାଣୀ ସହାୟକ କେନ୍ଦ୍ର ପ୍ରତିଷ୍ଠା କରି ଡାକ୍ତର ନିଯୁକ୍ତ କରିବାକୁ ଭୁଲି ଯିବା ପରି ମନେ ହେଉଛି। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲେ ଅଳପୁଆ, ଦାମୋଦରପାଟଣା, ରାମନାଏକଡିଆ, ସୁବଳପୁର, ଶାସନ, ପୋଖରୀକୂଳ, ତରଡିପାଳ, ତୁଳସୀଡିଆ, କୋଳଥିଆ, କୂଳସାହି, ପେଣ୍ଠପାଳ, ଘାଗରାଡିଆ, ଦାଣ୍ତିସାହି, ମଣିରାମପୁର, ମିଶ୍ରବାଗ, ଗୋପାଳପୁର, ବାଲିକୁଦା, ନନ୍ଦଲାଲ ପାଟଣା, ଅଳପୁଆ ସେଠୀସାହି, ଅଳପୁଆ ଜେନାସାହି, ଅଳପୁଆଡିଆ ପ୍ରଭୃତି ଗ୍ରାମ ଓ ପଡା ଗ୍ରାମର ୧୦ ହଜାରରୁ ଅଧିକ ଗୃହପାଳିତ ପଶୁ ଉପକୃତ ହୋଇଥାନ୍ତେ।

ଏହି ସହାୟକ ପ୍ରାଣୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା କାରଣରୁ ଏହିସବୁ ଅଞ୍ଚଳର ଗୃହପାଳିତ ପ୍ରାଣୀମାନଙ୍କ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜୁଛି। ଏ ସମ୍ପର୍କରେ ବ୍ଲକ୍‌ ପ୍ରାଣୀ ଚିକିତ୍ସାଧିକାରୀ ଜଳନ୍ଧର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାରେ ଉକ୍ତ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଥିଲେ। ରାଜ୍ୟ ସରକାର ଏଠାରେ କର୍ମଚାରୀ ନିଯୁକ୍ତ କରିବା କଥା‌। କିନ୍ତୁ କର୍ମଚାରୀ ନିଯୁକ୍ତ ନ ହେବାରୁ ଚିକିତ୍ସାଳୟ ତାଲା ପଡ଼ିଛି। ଆମକୁ ଉକ୍ତ ଗୃହ ହସ୍ତାନ୍ତର ବି ହୋଇନାହିଁ। ରାଜ୍ୟ ସରକାର ତଥା ପ୍ରାଣୀ ଚିକିତ୍ସା ବିଭାଗ ଅଳପୁଆ ପ୍ରାଣୀ ସହାୟକ କେନ୍ଦ୍ରରେ ତୁରନ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଯୁବ ସମାଜସେବୀ ନରେନ୍ଦ୍ର ଧଳ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ସମାଜସେବୀ ଗଗନ ମହାଳିକ, ରବିନ୍ଦ୍ର ଧଳ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe