ହୋଟେଲ, ଲଜ୍‌ରେ ରୁମ୍‌ ମିଳୁନି: ନେତା‌ଙ୍କ ନାଁରେ ଆଗୁଆ ହୋଇଯାଇଛି ବୁକିଂ

Advertisment

ରହିବା ପାଇଁ ହଇରାଣ ହେଉଛନ୍ତି ପର୍ଯ୍ୟଟକ,  ଲକ୍‌ଡାଉନ କ୍ଷତି ଭରଣା କରୁଛନ୍ତି ହୋଟେଲ ବ୍ୟବସାୟୀ

ରହିବା ପାଇଁ ହଇରାଣ ହେଉଛନ୍ତି ପର୍ଯ୍ୟଟକ,  ଲକ୍‌ଡାଉନ କ୍ଷତି ଭରଣା କରୁଛନ୍ତି ହୋଟେଲ ବ୍ୟବସାୟୀ

ହୋଟେଲ, ଲଜ୍‌ରେ ରୁମ୍‌ ମିଳୁନି: ନେତା‌ଙ୍କ ନାଁରେ ଆଗୁଆ ହୋଇଯାଇଛି ବୁକିଂ

Photo: medium

ବାଲେଶ୍ବର: ବାଲେଶ୍ବର ଉପନିର୍ବାଚନ ପାଇଁ ଭୋଟ ସାଉଣ୍ଟିବାକୁ ସବୁ ଦଳର ନେତାମାନେ ଡେରା ପକାଇଛନ୍ତି। ପ୍ରତିଦିନ ଷ୍ଟାର ପ୍ରଚାରକମ‌ାନଙ୍କ ଗସ୍ତ ରହୁଛି। ପ୍ରଚାର ସାରି ସେମାନେ ପୁଣି ବାହୁଡ଼ି ଯାଉଛନ୍ତି। ଏମିତି ଯା’ ଆସ ଭିତରେ ସେମାନଙ୍କ ରହିବା, ଖାଇବା ଓ ବିଶ୍ରାମ ନେବାରେ ଯେପରି କୌଣସି ଅସୁବିଧା ନହେବ ସେଥିଲାଗି ଦଳଗୁଡ଼ିକ ତରଫରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହାର ଫଳସ୍ବରୂପ ସଦର ତଥା ଏହାକୁ ଲାଗିଥିବା ରେମୁଣା ନିର୍ବାଚନ ମଣ୍ଡଳୀର କୌଣସି ହୋଟେଲ କିମ୍ବା ଲଜ୍‌ରେ ରହିବାକୁ ମନପସନ୍ଦର ରୁମ୍‌ଟିଏ ମିଳୁନାହିଁ। ଖାଲି ସେଥିରେ ନୁହେଁ ସାଧାରଣ ରୁମ୍‌ଗୁଡ଼ିକ ମଧ୍ୟ କେଉଁଠି ଫାଙ୍କା ନଥିବା ଦେଖିବାକୁ ମିଳିଛି।

ଉପନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସରକାରୀ ଡାକବଙ୍ଗଳା, ସର୍କିଟ୍‍ହାଉସ୍‍ ଓ ଅନ୍ୟ ସରକାରୀ ଆବାସସ୍ଥଳୀଗୁଡ଼ିକ ଉପରେ ଦଳୀୟ ନେତାମାନଙ୍କ ପାଇଁ ଅଙ୍କୁଶ ଲାଗିଛି। ଏ ପରିସ୍ଥିତିରେ ରାଜଧାନୀ ଭୁବନେଶ୍ବର ଏବଂ ସେପଟ ଅଞ୍ଚଳରେ କରୋନା ସଂକ୍ରମଣ ଯେପରି ହୁହୁ ହୋଇ ବଢ଼ିଚାଲିଛି, ତାକୁ ଦୃଷ୍ଟିରେ ରଖି ଆଗରୁ ଯେପରି ସ୍ଥାନୀୟ ନେତାମାନେ ଷ୍ଟାର ପ୍ରଚାରକ ତଥା ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କୁ ନିଜ ଘରେ ରଖି ଖାଇବା ରହିବାର ସମସ୍ତ ବନ୍ଦୋବସ୍ତ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ, ତାହା ଏବେ ଆଉ କରୁନାହାନ୍ତି। ଯେଉଁଥିଲାଗି ନେତାମନ୍ତ୍ରୀଙ୍କ ଲାଗି ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବାଲେଶ୍ବର ସହର, ରେମୁଣା, ଜାତୀୟ ରାଜପଥ ପାର୍ଶ୍ବ ଏବଂ ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟରାଣ୍ଟଗୁଡ଼ିକ ଆଗୁଆ ବୁକିଂ ସରିଯାଇଛି। ତେବେ ଉପନିର୍ବାଚନ ପରିଚାଳନା‌ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ଗଣ୍ଡା ଗଣ୍ଡା ଆଗଧାଡ଼ିର ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଗତ ୧୫ଦିନ ହେଲା ବାଲେଶ୍ବରରେ ସେମାନେ ଡେରା ପକାଇଥିବାବେଳେ ପ୍ରତିଦିନ ସେମାନେ ଦାୟିତ୍ବ ପାଇଥିବା ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‍, ବ୍ଲକ, ପଞ୍ଚାୟତ ଓ ୱାର୍ଡକୁ ଗସ୍ତ କରି ନିଜ ନିଜର ପ୍ରାର୍ଥୀ ଏବଂ ଦଳ ପାଇଁ ଭୋଟ ଯୋଗାଡ଼ କରୁଛନ୍ତି।

ରେମୁଣା ବାମପଦା ସ୍ଥିତ ନୋସି ବିଜନେସ ପାର୍କକୁ ନିର୍ବାଚନ ପ୍ରଚାର ସରିବା ପର୍ଯ୍ୟନ୍ତ ବିଜେଡିର ହେଭିୱେଟ୍‌ ନେତାମାନଙ୍କ ପାଇଁ ବୁକ କରାଯାଇଥିବାବେଳେ ରେମୁଣା ଗୋଲେଇସ୍ଥିତ ଷ୍ଟାର ୱେ ହୋଟେଲ, ବାଲେଶ୍ବର ସହରର ହୋଟେଲ ହରିପ୍ଲାଜା, ମା’ ହେ‌ାଟେଲ ଜାଇକା ହୋଟେଲ, ହୋଟେଲ ମେରିଡିଆନ୍‌, ଭୋଜନ ଏବଂ ଚାନ୍ଦିପୁରଠାରେ ୨/୩ଟି ଉଚ୍ଚ ବିଳାସସମ୍ପନ୍ନ ହୋଟେଲକୁ ଦଳର ନେତାମାନଙ୍କ ପାଇଁ ବୁକିଂ କରାଯାଇଥିବା ସୂଚନା ମିଳିଛି। ବିଜେପି ମଧ୍ୟ ତାର ଷ୍ଟାର ପ୍ରଚାରକ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରର ନେତାମାନଙ୍କ ପାଇଁ ବାଲେଶ୍ବର ସହର ଷ୍ଟେସନଛରେ ଥିବା ତାରିଣୀ ରେସିଡେନ୍ସି, ଜାଇକା‌ ଇଣ୍ଟରନ୍ୟାସନାଲ, ହୋଟେଲ ସୂରଜ, ରୟାଲ କୁଇନ କଲ୍ୟାଣ ମଣ୍ଡପ ଭଳି ବିଭିନ୍ନ ହୋଟେଲ ବୁକ୍‌ କରିନେଇଛି। ଏହାଛଡ଼ା ଚାନ୍ଦିପୁର ଏବଂ ସହରର ବହୁ ବିଶିଷ୍ଟ ଲୋକଙ୍କ ଘରେ ଦଳୀୟ ନେତାଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସେହିପରି କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ। ଦଳ ନାଁ‌ରେ ସହରର ଲକି ଇଣ୍ଟରନ୍ୟାସନାଲ ହୋଟେଲର ଭିଆଇପି ରୁମ୍‌ ବୁକ୍‌ କରାଯାଇଥିବା‌ ଜାଣିବାକୁ ମିଳିଛି।

ଏହାଛଡ଼ା ବାକି ଯେଉଁ ଛୋଟଛୋଟ ହୋଟେଲ ଓ ଲଜ ଗୁଡ଼ିକ ରହିଛି ବାହାର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ବିଭିନ୍ନ ଦଳ ପାଇଁ ପ୍ରଚାର କରିବାକୁ ଆସିଥିବା ଜିଲ୍ଲା ନେତାମାନେ ପ୍ରଚାର ସରିବା ପର୍ଯ୍ୟନ୍ତ ରୁମ୍‌ଗୁଡ଼ିକ ବୁକ୍‌ ନେଇଥିବା ଦେକାଯାଇଛି। ସେପଟେ ଲକଡାଉନ କଟକଣା ହଟିଯାଇଥିବାରୁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟ ଖୋଲିଗଲାଣି। ହେଲେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ରହିବା ପାଇଁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଯଦିଓ ଆଉ ୫/୬ ଦିନ ପରେ ଏହି ସମସ୍ୟା ଆଉ ନଥିବ କିନ୍ତୁ ଏବେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁଁ ଦୀର୍ଘ ୭/୮ ମାସ ଧରି ହାତବାନ୍ଧି ବସିଥିବା ହୋଟେଲ ବ୍ୟବସାୟୀମା‌ନଙ୍କ ପାଇଁ ବାଲେଶ୍ବର ସଦର ଉପନିର୍ବ‌ାଚନ ରୋଜଗାର କରିବାର ଏକ ଅପୂର୍ବ ଅବସର ଆଣି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe