ଗଜପତିରେ ଶିଳ୍ପ ଦୁର୍ଭିକ୍ଷ, ଆହୁରି କେତେ ବର୍ଷ ଚାଲିବ?

ଗଜପତିରେ ଶିଳ୍ପ ଦୁର୍ଭିକ୍ଷ, ଆହୁରି କେତେ ବର୍ଷ ଚାଲିବ?

Photo: Census India

ପାରଳାଖେମୁଣ୍ତି: ରାଜ୍ୟ ସରକାର ଶିଳ୍ପାୟନକୁ ଅନେକ ବର୍ଷ ହେଲା ଗୁରୁତ୍ବ ଦେଇ ଆସୁଛନ୍ତି। ନୂତନ ଶିଳ୍ପାୟନ ନୀତି ଘୋଷଣା କରୁଛନ୍ତି। ଏହା ଲୋକଙ୍କ ସାମାଜିକ, ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଅନେକ ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଗଢ଼ୁଛନ୍ତି। ହେଲେ ଗଜପତି ଜିଲ୍ଲା ଗଠନ ହେବାର ୨୫ ବର୍ଷ ପରେ ମଧ୍ୟ ଏଠାରେ ଶିଳ୍ପ ଦୁର୍ଭିକ୍ଷ ଲାଗି ରହିଛି। ଗୋଟିଏ ବି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇପାରି ନାହିଁ। ଏଥାପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଆଡ଼ୁ କୌଣସି ଉଦ୍ୟମ ହୋଇନାହିଁ। ଏଠାକୁ ଆସୁଥିବା ମନ୍ତ୍ରୀ ଓ ନେତା ମାନେ ଅନେକ ସମୟରେ ଶିଳ୍ପ ପ୍ରତିଷ୍ଠା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ତାହା ବାସ୍ତବ ରୂପ ନେଇନାହିଁ। ଅନ୍ୟପକ୍ଷରେ ଗ˚ଜାମ ଜିଲ୍ଲା ପାଇଁ ଶିଳ୍ପାନୁଷ୍ଠାନ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ସାମାନ୍ୟ ଦୁର୍ବଳତା ରହିଥିବା ଜଣାପଡ଼ିଛି। ବିଗତ ୨୦ ବର୍ଷ ମଧ୍ୟରେ ଗ˚ଜାମ ଜିଲ୍ଲାପାଇଁ କିଛି ମେଗା ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗଜପତିର ଅନ୍ୟତମ ପଡ଼ୋଶୀ ଜିଲ୍ଲା ରାୟଗଡ଼ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଜେକେ ପେପର୍ ମିଲ୍ ଏବ˚ ବେଦାନ୍ତ ଆଲୁମିନିୟମ୍ ସହ ଥେରୁବାଲିର ଇମ୍ଫା ପାଇଁ।

ଗଜପତି ଜିଲ୍ଲାର ପ୍ରାକୃତିକ ସ˚ପଦ ହେଉଛି ଏଠାରେ ପ୍ରଚୁର ମାତ୍ରାରେ ଉତ୍ପାଦିତ ହେଉଥିବା ଜ˚ଗଲ ଦ୍ରବ୍ୟ। ଏହା ସହ ଏହି ଜିଲ୍ଲାରେ ପାରମ୍ପରିକ ହସ୍ତଶିଳ୍ପକୁ ଏକ ବଡ଼ ଶିଳ୍ପାନୁଷ୍ଠାନର ରୂପ ଦିଆ ଯାଇପାରେ। ହେଲେ ଏଥିପାଇଁ କୌଣସି ଯୋଜନା ନାହିଁ। ଏହି ଜିଲ୍ଲାରେ ଗୃହିଣୀ ସ୍ବୟ˚ ସହାୟିକା ଗୋଷ୍ଠୀର ମହିଳା ମାନେ ମିସନ୍ଶ‌କ୍ତି ଜରିଆରେ ବିଭିନ୍ନ ପ୍ରକାର ଘରୋଇ ଶିଳ୍ପ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ଏ ସମସ୍ତ ଯୋଜନା ବଡ଼ ପ୍ରକ୍ରିୟାକରଣ ପ୍ରକଳ୍ପ ଅଭାବ ପାଇଁ ବେଶ ଲାଭଦାୟକ ହୋଇପାରୁ ନାହିଁ। ଉଦ୍ୟାନଭିତ୍ତିକ ଉତ୍ପାଦନରୁ ପ୍ରସ୍ତୁତ ସାମଗ୍ରୀ ପାଇଁ କେନ୍ଦ୍ର ସରକାରଙ୍କର ବହୁ ଯୋଜନା ବାରମ୍ବାର ଘୋଷଣା ହେଉଛି। ସିଙ୍ଗଲ୍ ଵିଣ୍ତୋ ମାଧ୍ୟମରେ ଜିଲ୍ଲାର ଶିଳ୍ପୋଦ୍ୟୋଗୀଙ୍କୁ ଶିଳ୍ପାନୁଷ୍ଠାନ ଗଢ଼ିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ମାତ୍ର ଗଜପତିରେ କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ଶିଳ୍ପର ବିକାଶ ହେଉନାହିଁ। ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଆରମ୍ଭ ପାଇଁ ପ୍ରୟାସ କରିଥିବା କିଛି ବ୍ୟକ୍ତି କହନ୍ତି, ଗଜପତି ଜିଲ୍ଲା ପାଇଁ ଶିଳ୍ପ ବିଭାଗର ଆନ୍ତରିକତାର ଘୋର ଅଭାବ ରହିଛି।

ବୌଦ୍ଧ ପରି ଛୋଟ ଜିଲ୍ଲାରେ ୧୨୦୦ ଏକର ଜମି ନିର୍ଦ୍ଧାରଣ ହୋଇଛି ଶିଳ୍ପାନୁଷ୍ଠାନ ସ୍ଥାପନ ପାଇଁ। ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଇଡ୍‌କୋ ଅଧୀନରେ ରହିଛି ମାତ୍ର ୨୦ ଏକର ଜମି। ଯଦି ଜଣେ ବ୍ୟବସାୟୀ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଚିନ୍ତା କରିବେ ତେବେ ତାଙ୍କୁ ଜମି ଅଧିଗ୍ରହଣ କରିବା କିମ୍ବା ସରକାରୀ ଜମି ପାଇବା ସବୁଠାରୁ କଷ୍ଟକର ହୋଇପଡ଼ିବ। ସେହିପରି ଗଜପତିରେ ପ୍ରଦୂଷଣ ବିଭାଗର କାର୍ଯ୍ୟାଳୟ ନଥିବା ଯୋଗୁଁ ଏ ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର ପାଇଁ ଲୋକେ ବ୍ରହ୍ମପୁର ଦୌଡ଼ୁଛନ୍ତି।

ଅନେକ ବ୍ୟକ୍ତି ଗଜପତିର ଗ୍ରାମା˚ଚଳରେ ଶିଳ୍ପାନୁଷ୍ଠାନ ପାଇଁ ଉତ୍ସାହ ପ୍ରକାଶ କରି ଶେଷ ମୁହୂର୍ତ୍ତରେ ପଛେଇ ଯାଇଛନ୍ତି। ଏପରିକି, ୧୫ ବର୍ଷ ପୂର୍ବେ କଲିକତାରୁ ୨ ଜଣ ଶିଳ୍ପପତି ପାରଳାଖେମୁଣ୍ତି ଆସି ଆମ୍ବ, ସପୁରି ଓ ଟମାଟ ପ୍ରକ୍ରିୟାକରଣ କାରଖାନା ଆରମ୍ଭ କରିଥିଲେ। କିନ୍ତୁ ପ୍ରୋତ୍ସାହନ ଅଭାବରୁ ଗୋଟିଏ ବର୍ଷ ମଧ୍ୟରେ ଏହା ବନ୍ଦ ହୋଇଗଲା। ସେହିପରି ଗୁମ୍ମା ବ୍ଲକ୍ର‌ ପାର୍ଶ୍ବମ୍ବା ନିକଟରେ ୨ଟି ଶିଳ୍ପାନୁଷ୍ଠାନକୁ ୨୦ ବର୍ଷ ପୂର୍ବେ ଶୁଭ ଦେଇଥିଲେ ତତ୍କା‌ଳୀନ ଶିଳ୍ପମନ୍ତ୍ରୀ, ଯାହା ଆରମ୍ଭ ହେବା ପୂର୍ବରୁ ହିଁ ବନ୍ଦ ହୋଇଗଲା। ଲାବାନ୍ୟଗଡ଼ ନିକଟରେ ଏକ ନୂତନ ତୈଳ ଉତ୍ପାଦନ କେନ୍ଦ୍ର ଆରମ୍ଭ କରିବା ପାଇଁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀ ୮ ଏକର ଜମି ପାଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଅନୁମତି ମଧ୍ୟ ମିଳିଛି। ଉକ୍ତ ପ୍ରକଳ୍ପ ଶୁଭାରମ୍ଭ ହେଲେ ବିଳମ୍ବରେ ହେଲେ ମଧ୍ୟ ଅନେକ ବର୍ଷ ପରେ ଏହି ଜିଲ୍ଲାରେ ଏକ ଶିଳ୍ପାନୁଷ୍ଠାନ ଖୋଲିବା ସ୍ବପ୍ନ ସାକାର ହେବ ଏବଂ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe