ବିମାନବନ୍ଦର ପାଇଁ ତତ୍ପର, ବସଷ୍ଟାଣ୍ଡ ପ୍ରତି ନାହିଁ ଗୁରୁତ୍ବ

Advertisment
ବିମାନବନ୍ଦର ପାଇଁ ତତ୍ପର, ବସଷ୍ଟାଣ୍ଡ ପ୍ରତି ନାହିଁ ଗୁରୁତ୍ବ

Sambad

ଜୟପୁର: ଜୟପୁର ବିମାନ ବନ୍ଦରରୁ ବିମାନ କିଭଳି ଆକାଶରେ ଉଡିବ ସେ ଚିନ୍ତା କେନ୍ଦ୍ର ଓ ରାଜ୍ୟସରକାର ଓ ପ୍ରଶାସନକୁ ଘାରିଛି। ବାରମ୍ବାର କେନ୍ଦ୍ର, ରାଜ୍ୟ, ଜିଲ୍ଲାପ୍ରଶାସନ, ବିଧାୟକ, ସାଂସଦ ଆଦି ବି ଏହାର ତଦାରଖ କରୁଛନ୍ତି। ଯଦିଓ ଏହା ଆରମ୍ଭ ହେଲେ ଉଡ଼ାନ (ଉଡେ ଦେଶକେ ଆମ ନାଗରିକ) ଯୋଜନା କାର୍ଯ୍ୟକାରୀ ହେବ। ଅପରପକ୍ଷରେ ଜୟପୁର ସରକାରୀ ବସଷ୍ଟାଣ୍ଡ ନିର୍ମାଣର ୪ବର୍ଷ ବିତି ସାରିଥିଲେ ହେଁ ଏହା କେବେ ଠାରୁ କାର୍ଯ୍ୟକାରୀ ହେବ ସେ ଦିଗରେ ଥରୁଟିଏ ବି ଜିଲ୍ଲାପ୍ରଶାସନ ସମୀକ୍ଷା କରିବା କିମ୍ବା ତଦାରଖ କରିବା ଦେଖିବାକୁ ମିଳିନାହିଁ। ସ୍ଥାନୀୟ ରାଜ୍ୟ ପରିବହନ ନିଗମର ସ୍ଥାନୀୟ ଅଧିକାରୀ କିମ୍ବା ରାଜ୍ୟସ୍ତରୀୟ ଅଧିକାରୀ ବି କେବେ ଠାରୁ ବସଷ୍ଟାଣ୍ଡ ଆରମ୍ଭ ହେବ ତାହାର କିଛି ସ୍ପଷ୍ଟ ଉତ୍ତର ବି ଦେଉ ନାହାନ୍ତି। ଅପରପକ୍ଷରେ ଗରିବ, ଖଟିଖିଆ, ଦିନ ମଜୁରିଆ, ସରକାରୀ ଓ ବେସରକାରୀ କର୍ମଚାରୀ, ସ୍କୁଲ ଓକଲେଜର ଛାତ୍ରଛାତ୍ରୀ ବେଶି ମାତ୍ରାରେ ବସ ଉପରେ ହିଁ ନିର୍ଭର। ସହର ମଧ୍ୟରେ ଥିବା ରାଜ୍ୟ ସଡକ ପରିବହନ ନିଗମ ବସଷ୍ଟାଣ୍ଡର ଅବସ୍ଥା ନ କହିବା ଭଲ। ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବା ପର ଠାରୁ ଏହାର ରକ୍ଷଣାବେକ୍ଷଣ ଓ ଦେଖାରଖା କଥା ବି ନିଗମ ଭୁଲି ଯାଇଛି। ଓଏସଆରଟିସି ବସଷ୍ଟାଣ୍ଡ ପାର୍ଶ୍ବରେ ଥିବା ଟାଉନଥାନାର ଶୌଚାଳୟର ସବୁ ପାଣି ବସଷ୍ଟାଣ୍ଡ ମଧ୍ୟକୁ ପସି ଆସୁଛି। ବସଷ୍ଟାଣ୍ଡ ଏବେ ପୂତ୍ତି ଗନ୍ଧମୟ। ଘରୋଇ ବସ ଷ୍ଟାଣ୍ଡ ଉଠି ଯିବା ପରେ ନୂଆ ବସଷ୍ଟାଣ୍ଡରେ କେବଳ ନାମକୁ ମାତ୍ର ବସ ଯାଉଛି।

ଅନ୍ୟସବୁ ଲୋକାଲ ଘରୋଇ ବସ ପୁରୁଣା ଶ୍ରୀକ୍ରୀଷ୍ଣା ଟକିଜ ଠାରୁ ପାରାବେଢ଼ା ଛକ ପର୍ଯ୍ୟନ୍ତ ପାର୍କିଂ କରି ରଖୁଛନ୍ତି। ସଂଧ୍ୟା ସମୟରେ ଦ୍ରୁତ ଗାମୀ ବସ ଗୁଡିକ ରାସ୍ତା ପାର୍ଶ୍ବରେ ରଖି ଯାତ୍ରୀ ଉଠାଉଛନ୍ତି। ନୂଆ ଓଏସଆରଟିସି ବସଷ୍ଟାଣ୍ଡରେ ନିଗମର ବସ ସହ ଘରୋଇ ବସ ମଧ୍ୟ ଯିବା ଆସିବା, ବସ ରହିବା ବ୍ୟବସ୍ଥା ସହ ଟିକେଟ କାଉଣ୍ଟର ପାଇଁ ବି ରୁମ ନିର୍ମାଣ କରାଯାଇଛି। ଏହାସହ ଏହି ପରିସରରେ ପୂର୍ବରୁ ବସଷ୍ଟାଣ୍ଡ ପରିସରରେ ଦୋକାନ କରିଥିବା ବ୍ୟବସାୟୀଙ୍କ ସହ ନୂଆ ବ୍ୟବସାୟୀଙ୍କୁ ଷ୍ଟଲ ଦେବା ପାଇଁ ବି ୪୦ରୁ ଉର୍ଦ୍ଧ୍ବ ଷ୍ଟଲ ନିର୍ମାଣ କରାଯାଇଛି। ଏହାରି ମଧ୍ୟରେ ପାଚେରୀ ନିର୍ମାଣ କାମ ବି ଶେଷ ପର୍ଯ୍ୟାୟରେ ରହିଛି। ରାଜ୍ୟସରକାରଙ୍କ ଅଧିନରେ ନିଗମ ରହିଥିଲେ ହେଁ ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ କିମ୍ବା ସ୍ଥାନୀୟ ଲୋକପ୍ରତିନିଧି, ବିଧାୟକ, ସାଂସଦ କେହି ବି ଏଦିଗରେ ଦୃଷ୍ଟି ଦେଉ ନଥିବାରୁ ଏହା କେବେ ଠାରୁ ଆରମ୍ଭ ହେବ କାହା ନିକଟରେ କିଛି ସ୍ପଷ୍ଟ ଉତ୍ତର ମିଳି ପାରୁନି। ଏମାନେ ଦୃଷ୍ଟି ଦେଇ ବିମାନ ବନ୍ଦର ଆରମ୍ଭ ପ୍ରତି ଯେଭଳି ଉତ୍ସାହ ଦେଖାଉଛନ୍ତି ‌ବସଷ୍ଟାଣ୍ଡ ପ୍ରତି ବି ସେଭଳି ଦେଖାନ୍ତୁ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe