ରାଉରକେଲା ରେଳ ଡିଭିଜନ ଆଶା ମଉଳିଲା! ନୂଆ ଡିଭିଜନ ଯୋଜନା ନଥିବା କହିଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ

ରାଉରକେଲା ପ୍ରତି ଅବହେଳା ଜାରି, ଜିଲ୍ଲାବାସୀ ନିରାଶ

ରାଉରକେଲା ରେଳ ଡିଭିଜନ ଆଶା ମଉଳିଲା! ନୂଆ ଡିଭିଜନ ଯୋଜନା ନଥିବା କହିଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ

ରାଉରକେଲା: ପୁଣି ନିରାଶ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାବାସୀ। ରାଉରକେଲାରେ ରେଳ ସେବାକୁ କ୍ରମାଗତ ଅବହେଳା କରିଚାଲିଥିବା ରେଳବାଇ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଆଜି ପୁଣିଥରେ ପଦାରେ ପଡ଼ିଛି। ରାଉରକେଲାରେ ରେଳ ଡିଭିଜନ ସ୍ଥାପନ ପାଇଁ ଯେଉଁ ଦାବି ହେଉଥିଲା, ତାକୁ ଏକପ୍ରକାର ଅଯୌକ୍ତିକ ଅବିହିତ କରିଛନ୍ତି ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସିଧାସଳଖ ବର୍ତ୍ତମାନ କୌଣସି ଡିଭିଜନ ସ୍ଥାପନ କରିବାର ଯୋଜନା ନଥିବା କହିଛନ୍ତି। କହିଲେ, ସଂପ୍ରତି ରାଉରକେଲା କିମ୍ବା ଦେଶର ଅନ୍ୟ କୌଣସି ଅଞ୍ଚଳରେ ନୂଆ ରେଳ ଡିଭିଜନ ସ୍ଥାପନ ଯୋଜନା ନାହିଁ। ପ୍ରକୃତରେ ନୂଆ ଡିଭିଜନ ସ୍ଥାପନ ହେଲେ ବିଶେଷ ଲାଭ ହୋଇନଥାଏ। ଓଲଟା ଅଧିକ ବ୍ୟୟ ହୁଏ। ଏଣୁ ସବୁ ଦିଗକୁ ବିଚାରକୁ ନେଇ ବର୍ତ୍ତମାନ ପାଇଁ ସେଭଳି କୌଣସି ଯୋଜନା ନାହିଁବୋଲି ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ଅବସରରେ ରାଉରକେଲା ରେଳବାଇକୁ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରବୋଲି କହିନଥିଲେ ଶ୍ରୀ ତ୍ରିପାଠୀ।

publive-image

ଏହା ପୂର୍ବରୁ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ସମାନ ଜବାବ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ଫେବ୍ରୁଆରି ମାସରେ ରାଜ୍ୟରେ ତିନୋଟି ନୂଆ ରେଳ ଡିଭିଜନ ସ୍ଥାପନ କରି ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍‌, ଅର୍ଥାତ୍‌ ପୂର୍ବତଟ ରେଳବାଇରେ ସାମିଲ କରିବାକୁ ପାଇଁ ପତ୍ର ଲେଖିଥିଲେ। ଉକ୍ତ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ଭେଟି ସମାନ ଦାବି ଦୋହରାଇଥିଲେ। ଏହାପରଠାରୁ ଏକାଧିକବାର ମୁଖ୍ୟମନ୍ତ୍ରୀ, ସାଂସଦ ଦାବି ଦୋହରାଇଛନ୍ତି। ମାତ୍ର ଲୋକପ୍ରତିନିଧିଙ୍କ ସ୍ବର ଶାଣିତ ହୋଇପାରୁନି। କେବଳ ବାହାବାଃ ନେବାକୁ ହେଉ ଅବା ରାଜନୈତିକ କାୟାବିସ୍ତାର ପାଇଁ; ଲୋକ ପ୍ରତିନିଧିଙ୍କ ଦାବି କେବଳ ତଥାକଥିତ ଦାବିରେ ସୀମିତ ରହୁଛି। ଅପରପକ୍ଷରେ ରାଉରକେଲାର କିଛି ସଂଗଠନ ଦାବି ନେଇ ଏକାଧିକବାର ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଏମିତିକି ଇ-ମେଲ୍‌ ଯୋଗେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଡ଼ମ୍ବନା, ତଥାପି ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ଦାବି ପ୍ରତି ରେଳ ବିଭାଗର ଶୁଭଦୃଷ୍ଟି ପଡ଼ୁନି।

ବାସ୍ତବରେ ରାଉରକେଲାରେ ରେଳ ଡିଭିଜନ ସ୍ଥାପନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ଯେଉଁ ଧରଣର ସମ୍ମିଳିତ ଦାବି ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳିନଥିଲା। ଅପରପକ୍ଷରେ ଝାରସୁଗୁଡ଼ା ଅଞ୍ଚଳବାସୀ ସେଠାରେ ରେଳ ଡିଭିଜନ ପାଇଁ ହଠାତ୍‌ ଦାବି ଆରମ୍ଭ କରିଥିଲେ। ଗତ ନଭେମ୍ବର ୯ ତାରିଖରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ବରଗଡ଼ ବିଜେପି ସାଂସଦ ସୁରେଶ ପୂଝାରୀ ସମାନ ଦାବି ଉପସ୍ଥାପନ କରିଥିଲେ। ଏମିତିକି ସୁନ୍ଦରଗଡ଼ ବିଜେପି ବିଧାୟକ କୁସୁମ ଟେଟେ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦାବିକୁ ସମର୍ଥନ ଜଣାଇଥିଲେ। ତେବେ ବୀରମିତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମ ରାଉରକେଲା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେତେବେଳେ ରାଉରକେଲାରେ ରେଳ ଡିଭିଜନ ସ୍ଥାପନ ନେଇ ବିଜେପି ଦୁଇ ଭାଗରେ ବିଭକ୍ତ ହୋଇଥିବା ଆଲୋଚନା ବି ହୋଇଥିଲା। ରାଜନୈତିକ ଗୋଟିଚାଳନାରେ ବ୍ୟସ୍ତ ଜିଲ୍ଲାର ନେତାଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଦାବି ଯେ ଦୃଢ଼ତର ହୋଇପାରିଲାନି; ଏହା ନିଃସନ୍ଦେହ। ଦାବି ଯଦି ଶାଣିତ ହୋଇଥାନ୍ତା; ତା’ହେଲେ ରାଉରକେଲାର ରେଳ ବିକାଶ ପ୍ରତି ଆଖିବୁଜି ଦେଇଥିବା ରେଳବାଇ କର୍ତ୍ତୃପକ୍ଷଙ୍କ ମାନସିକତାରେ ପରିବର୍ତ୍ତନ ହୋଇଥାନ୍ତାବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe