ବିଶ୍ବବିଦ୍ୟାଳୟକୁ ପୁରିଲା ବର୍ଷେ, ଗଠନ ହୋଇପାରୁନି ସିଣ୍ଟିକେଟ୍

Advertisment
ବିଶ୍ବବିଦ୍ୟାଳୟକୁ ପୁରିଲା ବର୍ଷେ, ଗଠନ ହୋଇପାରୁନି ସିଣ୍ଟିକେଟ୍

ଜୟପୁର: ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସ୍ଥାପନ ହେବାର ବର୍ଷକ ବିତିବା ପରେ ବି ସଂପୁର୍ଣ୍ଣ ପ୍ରଶାସନିକ କାର୍ଯ୍ୟକ୍ଷମ ହୋଇପାରିନି। ସିଣ୍ଡିକେଟ୍ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦ। ତାହା ବର୍ଷକ ପରେ ଏଯାଏଁ ଗଠନ ହୋଇପାରିନି। ତେବେ ସିଣ୍ଡିକେଟ୍ କମିଟିର ସଭ୍ୟ ମନୋନୟନ କରି ଜଣାଇବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ଯାଇ ଲଟକି ରହିଛି। ଏହା ଫଳରେ ବିଶ୍ବବିଦ୍ୟାଳୟର ବହୁ ପ୍ରମୁଖ ଅର୍ଥନୈତିକ ଓ ନିଷ୍ପତ୍ତି ନେବା ପ୍ରକ୍ରିୟା ହୋଇ ପାରୁନି।

ସୂଚନା ଅନୁଯାୟୀ, ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ମାନି ମୁଖ୍ୟମନ୍ତ୍ରୀ ଗତ ୨୦୨୩ ଫେବ୍ରୁଆରି ୨ତାରିଖ ଦିନ ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୨୦୨୩ଜୁନ ପ୍ରଥମ ସପ୍ତାହରୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଚାରି ବୈଧାନିକ ଅଧିକାରୀ କୁଳପତି, ରେଜିଷ୍ଟ୍ରାର, ଫାଇନାନ୍ସ (ଅର୍ଥ ନିୟନ୍ତ୍ରଣ ଅଧିକାରୀ) କମ୍ପ୍ରୋଟଲର ଓ ଏକଜାମିସନ୍ କମ୍ପ୍ରୋଟଲର (ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ) ନିଯୁକ୍ତି କରିବା ଚିଠି ପ୍ରକାଶ ପାଇଥିଲା। ଯଦିଓ କୂଳପତି ନିଯୁକ୍ତି ହୋଇଥିଲେ ହେଁ ଭାରପ୍ରାପ୍ତ ଭାବେ ଜଣେ ଅବସରପ୍ରାପ୍ତ ପ୍ରାଧ୍ୟପକଙ୍କୁ ଦୁଇ ବର୍ଷ ପାଇଁ ଓଏସଡି ଓ ଆଉ ଜଣେ ପ୍ରାଧ୍ୟାପକଙ୍କୁ ଏକଜାମିସନ୍ କମ୍ପ୍ରୋଟଲର (ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ) ସିଧାସଳଖ ନିଯୁକ୍ତି ଦେଇଥିଲେ। ବିଶ୍ୱବିଦ୍ୟାଳୟର ସଂପୁର୍ଣ୍ଣ ପରିଚାଳନା ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ସିଣ୍ଡିକେଟ୍ ତୁରନ୍ତ ଗଠନ ଜରୁରୀ। ଏଥିରେ ୨୦ଜଣ କିମ୍ବା ତାଠାରୁ ଅଧିକା ସଭ୍ୟ ରହିବେ। ଏଥିରେ କୁଳପତି, ଉପ-କୁଳପତି, ,ଉଚ୍ଚଶିକ୍ଷାର କମିଶନର-କମ-ସଚିବ କିମ୍ବା ଯୁଗ୍ମ ସଚିବ ପଦବୀରୁ କମ୍ ନୁହେଁ; ନିର୍ଦ୍ଦେଶକ ଉଚ୍ଚଶିକ୍ଷା; ଡିନ, ଛାତ୍ର କଲ୍ୟାଣ ଏବଂ ପ୍ରକ୍ଟର; ବିଶ୍ୱବିଦ୍ୟାଳୟ ବିଭାଗର ଦୁଇଜଣ ମୁଖ୍ୟ, ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ କଲେଜଗୁଡିକର ଦୁଇ ଜଣ ପ୍ରିନ୍ସିପାଲ୍, ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ସର୍ବନିମ୍ନ ପାଞ୍ଚ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଥିବା ଅଧ୍ୟାପକ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ଏବଂ ଅନ୍ୟ ପଛୁଆ ଶ୍ରେଣୀର ଜଣେ; କୁଳପତିଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ ରହିବେ।

ସେଭଳି ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହେବାକୁ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି / ଅନ୍ୟ ପଛୁଆ ବର୍ଗର ଏବଂ ଜଣେ ଏକାଡେମିକ୍ ଆଗ୍ରହ ଥିବା ଏବଂ ଉପରୋକ୍ତ କାର୍ଯ୍ୟରେ ମନୋନୀତ ସାମାଜିକ କାର୍ଯ୍ୟରେ ମହିଳାମାନଙ୍କ ମଧ୍ୟରୁ ଜଣେ ରହିବା ନିୟମ ରହିଛି ବୋଲି ବିଶ୍ବବିଦ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କିଛି ସଦସ୍ୟ ବର୍ଷକ ପାଇଁ ରହିବେ ଆଉ କିଛି ସଦସ୍ୟଙ୍କ ପଦବୀ ଅନୁଯାୟୀ ସେମାନେ ପରିଷଦରେ ରହିବେ। ସିଣ୍ଡିକେଟ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଭାରପ୍ରାପ୍ତ କୁଳପତି ତଥା ଓଏସଡି ଓ ଅନ୍ୟ କମିଟି ପକ୍ଷରୁ ସିଣ୍ଡିକେଟ୍ ସଭ୍ୟ ଚୟନ କାମ ସରିଛି ବୋଲି କହିଛନ୍ତି ରେଜିଷ୍ଟ୍ରାର ରଂଜନ ପ୍ରଧାନ । କେବଳ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ରାଜ୍ୟସରକାରଙ୍କ ମନୋନୀତ ପ୍ରତିନିଧିଙ୍କ ତାଲିକା ଆସିଲେ ସିଣ୍ଡିକେଟ୍ କମିଟି ଗଠନ ହୋଇଯିବ ବୋଲି କହିଛନ୍ତି ରେଜିଷ୍ଟ୍ରାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe