ବିଦ୍ୟାଳୟରେ ଶିକ୍ଷକ ମରୁଡି, କାମଚଳାରେ ଚାଲିଛି କଳିଙ୍ଗା ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା

ବିଦ୍ୟାଳୟରେ ଶିକ୍ଷକ ମରୁଡି, କାମଚଳାରେ ଚାଲିଛି କଳିଙ୍ଗା ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା

ଘୁ.ଉଦୟଗିରି: ଗ୍ରାମାଞ୍ଚଳର ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସ୍ଥାନୀୟ ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ "କଳିଙ୍ଗା ଉଚ୍ଚ ବିଦ୍ୟାଳୟ" ୧୯୮୨ ମସିହାରେ ସ୍ଥାପିତ ହୋଇଥିଲା | ସ୍ଥାନୀୟ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯାହା ସରକାରଙ୍କ ଦୟାରୁ ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରଙ୍ଗ ମରାଯାଇ ୫-ଟି ସ୍କୁଲରେ ରୂପାନ୍ତରିତ ହୋଇ ସ୍କୁଲଟି ଦେଖିବାକୁ ଅତିସୁନ୍ଦର ଦିଶୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଶିକ୍ଷା ବିଭାଗ ଅଧିକାରୀଙ୍କ ଆଶ୍ଚର୍ଯ୍ୟ ଜନକ ଶିକ୍ଷାନିତୀ ଯୋଗୁଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଅନୁସାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୬୦ ଛାତ୍ରଛାତ୍ରୀ ଏବଂ ଦଶମ ଶ୍ରେଣୀରେ ୬୩ ଛାତ୍ରଛାତ୍ରୀ ଏହିଭଳି ମୋଟ ୧୨୩ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ସାହିତ୍ୟ, ଇତିହାସ, ବିଜ୍ଞାନ, ଭୂଗୋଳ, ଗଣିତ ଭଳି ମୁଖ୍ୟ ବିଷୟ ପାଇଁ ସ୍କୁଲରେ ଶିକ୍ଷକ ନାହାଁନ୍ତି । ଛାତ୍ରଛାତ୍ରୀ ପଢ଼ିବେ କେବେ ପାଠ ବିଷୟରେ ବୁଝିବେ କଣ ଓ ପରୀକ୍ଷାରେ ଲେଖିବେ କଣ? ଗୋଟେ ପ୍ରକାର ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବିଭାଗୀୟ ଅଧିକାରୀ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଥିବା ସମସ୍ତ ପଞ୍ଚାୟତର ଜନସଂଖ୍ୟାଠାରୁ କଳିଙ୍ଗା ପଞ୍ଚାୟତର ଜନସଂଖ୍ୟା ସବୁଠାରୁ ଅଧିକ ଯାହା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ୮ କି.ମି ଦୂରତାରେ ଅଛି |

ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ଖେଳକୁଦକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉକ୍ତ ବିଦ୍ୟାଳୟ ନିମନ୍ତେ ନା ଉତ୍ତମ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ଅଛନ୍ତି ନା କ୍ରୀଡ଼ା ପ୍ରଶିକ୍ଷଣ ପାଇଁ କୌଣସି କ୍ରୀଡ଼ା ପ୍ରଶିକ୍ଷକ ଅଛନ୍ତି କିନ୍ତୁ ବିଦ୍ୟାଳୟ ଟି ୫-ଟି ଅନ୍ତର୍ଭୁକ୍ତ। ବିଦ୍ୟାଳୟରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ି ଉପକୃତ ହେଉଥିବାବେଳେ ବର୍ତ୍ତମାନ ଶିକ୍ଷକ ଅଭାବକୁ ନେଇ ଚିନ୍ତାରେ ଅଭିଭାବକ। ଉକ୍ତ ୨ଟି ଶ୍ରେଣୀ ନିମନ୍ତେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବା ସ୍ଥାନରେ କେବଳ ୪ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ସେଥିମଧ୍ୟରୁ ଜଣେ ସଂସ୍କୃତ ଶିକ୍ଷକ ରେଗୁଲାର ଶିକ୍ଷକ ଅଛନ୍ତି। ସେ ବି ଆସନ୍ତା ବର୍ଷ ଅବସର ନେବେ। ହିନ୍ଦୀ ଓ ଇଂରାଜୀ ବିଷୟ ନିମନ୍ତେ ୨ ଜଣ ଅତିଥି ଶିକ୍ଷକ ନିଯୁକ୍ତ ଅଛନ୍ତି।

ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରୁ ଏହି ବିଦ୍ୟାଳୟକୁ ଡେପୁଟେସନରେ ଅଣାଯାଇଛି। ସେହି ଶିକ୍ଷୟତ୍ରୀ ବିଜ୍ଞାନ ବିଷୟ ପଢାଉଛନ୍ତି। ଉଭୟ ଶ୍ରେଣୀର ପାଠ୍ୟକ୍ରମ ବିଷୟବସ୍ତୁ ଅନୁଯାୟୀ ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ ଓ ଖେଳ ଶିକ୍ଷକ ନାହାନ୍ତି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବହୁତ୍ ଅସୁବିଧା ହେଉଥିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟରେ କ୍ଲର୍କ ,ପିଅନ ସ୍ଥାନ ମଧ୍ୟ ଖାଲି ଥିବାରୁ ଅଫିସ କାମରେ ଅସୁବିଧା ହେଉଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶ୍ୟକତା ଅନୁସାରେ ଟେବୁଲ୍ ବେଞ୍ଚ ମଧ୍ୟ ନାହିଁ। ଏହା ଏକ ୫-ଟି ଉଚ୍ଚ ବିଦ୍ୟାଳୟ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପ୍ରକାରର ମୌଳିକ ସୁବିଧା ନାହିଁ ବୋଲି ଅଭିଭାବକମାନେ ଉଦବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe