ବାଲେଶ୍ବର ଓ ଭଦ୍ରକର ୨୪.୧୩ ପ୍ରତିଶତ ଗାଁ’ରେ ଏଯାଏ ପହଞ୍ଚିନି ଟେଲିସେବା

Advertisment
ବାଲେଶ୍ବର ଓ ଭଦ୍ରକର ୨୪.୧୩ ପ୍ରତିଶତ ଗାଁ’ରେ ଏଯାଏ ପହଞ୍ଚିନି ଟେଲିସେବା

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ଟେଲି ଯୋଗାଯୋଗ ଓ ଡିଜିଟାଇଜେସନ୍‌ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଆଦୌ ଉତ୍ସାହଜନକ ନୁହେଁ। କାରଣ ଦେଶର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶାରେ ମୋବାଇଲ୍‌ ସେବା କିମ୍ବା ଇଣ୍ଟରନେଟ୍‌ ସେବା ପହଞ୍ଚି ନଥିବା ସର୍ବାଧିକ ଗାଁ’ ରହିଛି। ଏମିତିକି ରାଜ୍ୟର ଶିକ୍ଷିତ ଜିଲ୍ଲା ଭାବେ ଗଣାଯାଉଥିବା ବାଲେଶ୍ବର ଏବଂ ୧୯୯୩ ମସିହାରୁ ନୂଆ ଜିଲ୍ଲା ଭାବେ ପରିଚୟ ପାଇଥିବା ଭଦ୍ରକର ଚିତ୍ର ମଧ୍ୟ ସନ୍ତୋଷଜନକ ନୁହେଁ।

ଭାରତ ସରକାରଙ୍କ ମିଶନ୍‌ ଅନ୍ତ୍ୟୋଦୟ ଯୋଜନାରେ ବାଲେଶ୍ବର ଜିଲ୍ଲାର ୨୫୫୭ଟି ଗାଁ ଏବଂ ଭଦ୍ରକ ଜିଲ୍ଲାର ୧୨୮୨ଟି ଗାଁ’କୁ ନେଇ ଯେଉଁ ସର୍ଭେ ହୋଇଥିଲା, ତାର ରିପୋର୍ଟ ‌ହତୋତ୍ସାହିତ କଲାଭଳି। ୨୦୧୯ ମସିହା ସୁଦ୍ଧା ବାଲେଶ୍ବର ଜିଲ୍ଲାର ୨୫.୮୮ ପ୍ରତିଶତ ଗାଁ’କୁ ଟେଲିସେବା ପହଞ୍ଚିପାରିନି। ୬୩.୬୨ ପ୍ରତିଶତ ଗାଁ’ର ଲୋକ ମୋବାଇଲ୍‌, ୯.୧୯ ପ୍ରତିଶତ ଗାଁ’ର ଲୋକ ଉଭୟ ମୋବାଇଲ୍‌ ଓ ଲ୍ୟାଣ୍ଡଫୋନ୍ ସେବା ପାଉଥିବାବେଳେ ମାତ୍ର ୧.୨୯ ପ୍ରତିଶତ ଗାଁ’ର ଲୋକ କେବଳ ଲ୍ୟାଣ୍ଡଫୋନ୍‌ ସେବା ପାଉଛନ୍ତି। ଅର୍ଥାତ୍‌ ଜିଲ୍ଲାର ମୋଟ ୬୪.୯୧ ପ୍ରତିଶତ ଗାଁ’କୁ ଟେଲିସେବା ପହଞ୍ଚିପାରିଛି।

ଭଦ୍ରକ ଜିଲ୍ଲାରେ ୨୨.୩୮ ପ୍ରତିଶତ ଗାଁ’କୁ ଏ ପର୍ଯ୍ୟନ୍ତ ଟେଲିସେବା ପହଞ୍ଚିପାରିନି। ଅନ୍ୟପଟେ ୫୩.୮୨ ପ୍ରତିଶତ ଗାଁ’ର ଲୋକ ମୋବାଇଲ୍‌ ଫୋନ୍‌ ଓ ୨୧.୯୯ ପ୍ରତିଶତ ଗାଁ’ର ଲୋକ ଉଭୟ ମୋବାଇଲ୍‌ ଓ ଲ୍ୟାଣ୍ଡଫୋନ୍ ସେବା ପାଉଥିବାବେଳେ ମାତ୍ର ୨.୫୭ ପ୍ରତିଶତ ଗାଁ’ର ଲୋକ କେବଳ ଲ୍ୟାଣ୍ଡଫୋନ୍‌ ସେବା ପାଉଛନ୍ତି। ଅର୍ଥାତ୍‌ ଜଲ୍ଲାର ମୋଟ ୫୬.୩୯ ପ୍ରତିଶତ ଗାଁ’ରେ ଟେଲିସେବା ଉପଲବ୍ଧ ରହିଛି। ତେବେ ହାରାହାରି ଭାବେ ଦେଖିବାକୁ ଗଲେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୨୪.୧୩ ପ୍ରତିଶତ ଗାଁ’ରେ ଏଯାଏ ଟେଲିସେବା ପହଞ୍ଚି ପାରିନି। ସେହିପରି ବାଲେଶ୍ବର ଜିଲ୍ଲାର ୧୬.୭୩ ପ୍ରତିଶତ ଏବଂ ଭଦ୍ରକ ଜିଲ୍ଲାର ୧୪.୩୯ ପ୍ରତିଶତ ଗାଁ’ରେ ଇଣ୍ଟରନେଟ୍‌ ସେବା ପହଞ୍ଚିଛି।

ଉଲ୍ଲେଖଥାଉକି; ୨୦୧୯ ମସିହା ସୁଦ୍ଧା ଓଡ଼ିଶାର ୫୫.୩୯ ପ୍ରତିଶତ ଗାଁ’ର ଲୋକ ‌ଟେଲିସେବା ପାଉଥିବା ବେଳେ ୩୧.୨୨ ପ୍ରତିଶତ ଗାଁ’ରେ ଉକ୍ତ ସେବା ଏବେ ବି ଅପହଞ୍ଚ। ସେମିତି ରାଜ୍ୟର କେବଳ ୧୦.୩୩ ପ୍ରତିଶତ ଗାଁ ଲୋକ ଇଣ୍ଟରନେଟ୍‌ ସେବା ପାଉଛନ୍ତି। ଦେଶର ବିକାଶ ସେତେବେ‌ଳେ ସମ୍ଭବ, ଯେତେବେଳେ ଗ୍ରାମାଞ୍ଚଳରେ ଟେଲି ଓ ଇଣ୍ଟରନେଟ୍‌ ସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ତେବେ କେନ୍ଦ୍ର ସରକାର ବାରମ୍ବାର ଡିଜିଟାଲ୍‌ ଇଣ୍ଡିଆର ନାରା ଦୋହରାଉଥିବା ବେଳେ ଆଗକୁ ଏ ଉଦ୍ୟମ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe