ଲୋକାର୍ପଣର ୫ଦିନ ପରେ ବି କାର୍ଯ୍ୟକ୍ଷମ ହୋଇପାରିନି ସରକାରୀ ବସଷ୍ଟାଣ୍ଡ: ୪୩ ଷ୍ଟଲକୁ ନେଇ ଚର୍ଚ୍ଚା

Advertisment
ଲୋକାର୍ପଣର ୫ଦିନ ପରେ ବି କାର୍ଯ୍ୟକ୍ଷମ ହୋଇପାରିନି ସରକାରୀ ବସଷ୍ଟାଣ୍ଡ: ୪୩ ଷ୍ଟଲକୁ ନେଇ ଚର୍ଚ୍ଚା

ଜୟପୁର: ଦୀର୍ଘ ସାଢ଼େ ୬ବର୍ଷ ପରେ ଏବଂ ନିର୍ମାଣ ସରିବାର ବର୍ଷକ ପରେ ଗତ ୫ଦିନ ତଳେ ଲୋକାର୍ପଣ ହୋଇଥିଲା ସରକାରୀ ବସଷ୍ଟାଣ୍ଡ। ଲୋକେ ଆଶା କରିଥିଲେ ଏତେ ଦିନ ହେବ ଲୋକାର୍ପଣ ଅପେକ୍ଷାରେ ଥିବା ବସଷ୍ଟାଣ୍ଡ ତୁରନ୍ତ କାର୍ଯ୍ୟକ୍ଷମ ହେବ। ତେବେ ଏ ଯାଏଁ ଏହା ହୋଇପାରିନି। ପୂର୍ବଭଳି ରାଜ୍ୟ ସଡକ ପରିବହନ ନିଗମର ବସଗୁଡିକ ପୁରୁଣା ବସଷ୍ଟାଣ୍ଡକୁ ହିଁ ଯାଉଛନ୍ତି। ସେଭଳି ଏହାରି ମଧ୍ୟକୁ ଘରୋଇ ବସ ଗୁଡିକ ଯିବା ଆସିବା କରିବ କି ନାହିଁ , ଘରୋଇ ବସ ଦ୍ରୁତଗାମୀ ବସଗୁଡିକର ସିଟ୍ ବୁକିଂ ପାଇଁ ଟିକେଟ କାଉଣ୍ଟର କରାଯିବ କି ନାହିଁ ତାହା ସ୍ପଷ୍ଟ ଭାବେ କିଛି ସୂଚନା ମିଳିପାରିନି। ଏହାରି ମଧ୍ୟରେ ୫୧ଟି ଷ୍ଟଲ କରାଯାଇଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ଯାତ୍ରୀଙ୍କ ବିଶ୍ରାମଗାର ଓ ଶୌଚାଳୟ ଆଦି ତଳେ କରିବାକୁ ନିର୍ଦ୍ଦେଶ ଦେବା ସହ ୮ଟି ଷ୍ଟଲ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି କ୍ରମରେ ପୁଲିସ ହାଉସିଂ କରଫରେସନ୍ ୮ଟି ଷ୍ଟଲ ଭାଙ୍ଗି ଦେଇଥିଲା। ପରବର୍ତ୍ତୀ ସମୟରେ ଆଉ ଯାତ୍ରୀ ବିଶ୍ରାମଗାର କିମ୍ବା ଶୌଚାଳୟ ତଳେ ନିର୍ମାଣ କରିନି।

ଗତ ୨୦୧୭ ନଭେମ୍ବରରୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପାର୍ଶ୍ବରେ ୧୧କୋଟିରେ ନିର୍ମାଣ କରାଯାଇଛି ନୂଆ ବସଷ୍ଟାଣ୍ଡ। ଦୀର୍ଘଦିନର ପ୍ରତୀକ୍ଷା ପରେ ବସଷ୍ଟାଣ୍ଡ କାର୍ଯ୍ୟକାରୀକୁ ଖୁସି ପ୍ରକଟ କରିବା ସହ ଯେଭଳି ବସଷ୍ଟାଣ୍ଡ ମଧ୍ୟକୁ ଉଭୟ ସରକାରୀ ଓ ଘରୋଇ ବସ ଯିବା ଆସିବା ନିୟମିତ ଭାବେ କରିବ ସେ ଦିଗରେ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଲୋକାର୍ପଣ ଉତ୍ସବ ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ବି ଅନୁରୋଧ କରିଥିଲେ। ତେବେ ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇପାରିନି। ଅପରପକ୍ଷରେ ଏଠାରେ ନିର୍ମାଣ ହୋଇଥିବା ୪୩ଟି ଷ୍ଟଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଓଏସଆରଟିସି ପକ୍ଷରୁ ସମସ୍ତ ଷ୍ଟଲର ଟେଣ୍ଡର ଭୁବନେଶ୍ବରରେ କରାଯିବ ବୋଲି କୁହାଯାଇଥିଲା। ଓଏସଆରଟିସି ବସଷ୍ଟାଣ୍ଡ ଅଂଚଳରେ ପୂର୍ବରୁ ଥିବା ଷ୍ଟଲ ଓ ଭଡ଼ାଧାରୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ବି ଅଧିକାରୀ ମାନେ କହିଥିଲେ। ତେବେ ତାହା ବି କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶଯୋଗ୍ୟ, ୨୦୧୭ମସିହାରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ୩ଥର ପାଚେରୀ ନିର୍ମାଣ ସହ ୨ଥର ପେଭରବ୍ଲକ କାମ ଏବଂ ୮ଟି ଷ୍ଟଲ ଭାଙ୍ଗିବା କାମ ବି ସରିଛି। ଏହାରି ପରିସରରେ ୨ଟି ଟିକେଟ କାଉଣ୍ଟର, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା, ଓଏସଆରଟିସିର ପ୍ରଶାସନିକ ଭବନ, କ୍ୟାଣ୍ଟିନ, କର୍ମଚାରୀଙ୍କ ବିଶ୍ରାମଘର, ଡରମଟରୀ, ଗ୍ୟାଷ୍ଠ ହାଉସ, ମେଣ୍ଟନାନସ୍ ୟାର୍ଡ,ଗାର୍ଡ ରୁମ, ଏଟିଏମ୍ , ଶୌଚାଳୟ ଆଦି ରହିଛି। ତେବେ ଏହି ବହୁ ପ୍ରତିକ୍ଷୀତ ବସଷ୍ଟାଣ୍ଡ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe