Kalinga TV
ବରଗଡ଼: କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସ୍ମିଲ୍ର ବରଗଡ଼ ଲିଙ୍କ୍ ଏବଂ ରାଜା ଖାନ୍ ଗାଏବ୍ ଘଟଣା ପରେ ବି ବରଗଡ଼ ପୁଲିସ୍ର ଚେତା ପଶିନାହିଁ। ରାଜା ଖାନ୍ ଏବେ କେଉଁଠି, ତାହା ସ୍ଥାନୀୟ ପୁଲିସ୍ ବି ଜାଣିନାହିଁ। ତେବେ ଗୁଡ୍ଡୁ ବରଗଡ଼ ଏବଂ ସୋହେଲାରେ ଆତ୍ମଗୋପନ କରିଥିବା ନେଇ ତଥ୍ୟ ମିଳିବା ପରେ ବି ବରଗଡ଼ ପୁଲିସ୍ କିଛି ସତର୍କତାମୂଳକ ପଦକ୍ଷେପ ନେଇନାହିଁ। ସିଧା କହିବାକୁ ଗଲେ, ବରଗଡ଼ର କୌଣସି ସ୍ଥାନରେ କୁଖ୍ୟାତ ଅପରାଧୀ ଅଚିନ୍ତାରେ ଆତ୍ମଗୋପନ କରିବା ଭଳି ବ୍ୟବସ୍ଥା ହୋଇଛି। ହୋଟେଲ୍ରେ ବି ଅପରାଧୀ ପୁଲିସ୍ ଆଖିରେ ଧୂଳି ଦେଇ ରହିପାରିବେ। ଦେଶର କୌଣସି ସ୍ଥାନରେ ହୋଟେଲ୍ରେ କିଛି ବଡ଼ ଅଘଟଣ ଘଟିଲେ ବରଗଡ଼ ପୁଲିସ୍ର ଚେତା ପଶେ। ପୁଲିସ୍ ଟିମ୍ ବିଭିନ୍ନ ହୋଟେଲରେ ତୁରନ୍ତ ଚଢ଼ଉ କରିଥାନ୍ତି। ସନ୍ଦିଗ୍ଧ ଅନ୍ତେବାସୀଙ୍କୁ ପଚରାଉଚୁରା କରିଥାନ୍ତି।
ରେଜିଷ୍ଟାର୍ ଯାଂଚ ଚାଲେ। କିନ୍ତୁ ଦିନକ ପରେ ସବୁ ଢିଲା। ଅନ୍ୟ ସହରରେ ପ୍ରତି ହୋଟେଲ୍ରୁ ଅନ୍ତେବାସୀଙ୍କ ତାଲିକା ଏବଂ ଠିକଣା ବୈଧ ପ୍ରମାଣପତ୍ର ମାସକୁ ଥରେ ପୁଲିସ୍ ଯାଂଚ କରିଥାଏ। କିଛି ଅଡ଼ୁଆ ଲାଗିଲେ ତଦନ୍ତ ଚାଲେ। ଏଥିପାଇଁ ନିୟମିତ ବ୍ୟବଧାନରେ ପୁଲିସ୍ ଏବଂ ହୋଟେଲ ମାଲିକଙ୍କ ମଧ୍ୟରେ ବୈଠକ ବି ହୁଏ। କିନ୍ତୁ ବରଗଡ଼ରେ ସବୁ ଗଡ଼ବଡ଼। ସହରର କିଛି ହୋଟେଲ୍ରେ ନିୟମିତ ଦେହ ବ୍ୟବସାୟ ଚାଲୁଛି। କେବଳ ଏତିକି ନୁହଁ, କଲେଜ୍ ଛାତ୍ରଛାତ୍ରୀଙ୍କୁ କୋଠରୀ ଯୋଗାଇ ଅନୈତିକ କାମ କରିବାକୁ ସୁଯୋଗ ଦିଆଯାଉଛି। ଜିଲ୍ଲାରେ ହୋଟେଲ୍ ଶିଳ୍ପ ପୂରା ମାନ୍ଦା। କିଛି ହୋଟେଲ୍ ଭଲ ବ୍ୟବସାୟ କରୁଥିବାବେଳେ ଅନ୍ୟଗୁଡ଼ିକ ମାଲେମାଲ୍। ତେଣୁ ଉପାର୍ଜନ ବଢ଼ାଇବା ପାଇଁ କିଛି ହୋଟେଲ ଦେହ ବ୍ୟବସାୟକୁ ପ୍ରଶ୍ରୟ ଦେଉଛନ୍ତି। କିଛି ସ୍ଥାନରେ ତ ଘଣ୍ଟିକିଆ ସ୍କିମ୍ ରହିଛି। ଅର୍ଥାତ ପ୍ରେମୀ ଯୁଗଳ ହୋଟେଲ୍ରେ ଘଣ୍ଟାଏ ବିତାଇଲେ ଶହେ କିମ୍ବା ୨ଶହ ଟଙ୍କାରେ ରୁମ୍ ମିଳିଯାଉଛି। ଏଭଳି ହୋଟେଲ୍ରେ ୟୁନିଫର୍ମ ପିନ୍ଧା ପିଲା-ଝିଅଙ୍କୁ ନିୟମିତ ଦେଖିବାକୁ ମିଳୁଛି। ପୁଲିସ୍ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
Follow Us