ଏନଟିପିସି ଡୁଲିଙ୍ଗା ଖଣି ବନ୍ଦ କଲେ ଵିସ୍ଥାପିତ: କୋଇଲା ଵୋଝେଇ ଟ୍ରେନ, ଟ୍ରକ ଅଟକ

Advertisment
ଏନଟିପିସି ଡୁଲିଙ୍ଗା ଖଣି ବନ୍ଦ କଲେ ଵିସ୍ଥାପିତ: କୋଇଲା ଵୋଝେଇ ଟ୍ରେନ, ଟ୍ରକ ଅଟକ

ସୁନ୍ଦରଗଡ଼: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାର ବିବାହିତ ପୁଅଙ୍କୁ ପରି ବିବାହିତା ଝିଅମାନଙ୍କୁ ମଧ୍ୟ ଏକକ ବିସ୍ଥାପିତ ପରିବାରର ମାନ୍ୟତା ଓ ନିଯୁକ୍ତି ଦାବିରେ ଆଜି ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଖଣି ମୁହଁକୁ ଝିଅମାନେ ଅବରୋଧ କରିଥିବାବେଳେ କୋଇଲା ଵୋଝେଇ ଟ୍ରକ ଓ ଟ୍ରେନ ଅଟକି ରହିଛି। ଏଥିରେ ପ୍ରଭାବିତ ମହିଳାମାନଙ୍କ ପରିବାର ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ଯ,ଫେବ୍ରୁଆରି ୧ରୁ ପ୍ରଭାବିତ ଝିଅମାନେ ଏନଟିପିସି ଖଣି ପ୍ରକଳ୍ପ ଅଫିସ ଆଗରେ ଜଙ୍ଗଲରେ ଧାରଣା ଜାରି ରଖିଥିଲେ। ଏହା ମଧ୍ୟରେ ୫୧ ଦିନ ବିତି ଯାଇଥିଲେ ମଧ୍ୟ କମ୍ପାନି ସରକାର, ପ୍ରଶାସନ କେହି ବି ସେମାନଙ୍କ କଥା ଶୁଣୁ ନଥିବା ଓ ବିବାହିତା ବୋଲି ସେମାନଙ୍କୁ ଏକକ ପରିବାରର ମାନ୍ୟତା ଦେବାକୁ ମନା କରିଦିଆଯାଇଥିବା ଅଭିଯୋଗ କରିଛନ୍ତି।

publive-image

ନ୍ୟାୟ ନମିଳିବା ଯାଏ ଖଣି କାର୍ଯ୍ୟ ବନ୍ଦ ରଖିବାକୁ ଆନ୍ଦୋଳନକାରୀ ଘୋଷଣା କରିଛନ୍ତି। ହେମଗିରି ବ୍ଲକର ଡୁଲିଙ୍ଗା ଠାରେ ପ୍ରାୟ ୧୨ ହଜାର ଏକର ଜମିରେ ଖୋଲିଥିବା ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ବିସ୍ଥାପିତ ହୋଇଛନ୍ତି ଡୁଲିଙ୍ଗା, ମଝାପଡା, ଖପରିକଛାର ଓ ବେଲଡିହି ଗ୍ରାମର ଲୋକେ। ଖଣି ପାଇଁ ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତଙ୍କୁ ଅନେକ କିଛି ଲୋଭନୀୟ ପ୍ରତିଶ୍ରୁତି ମିଳିଥିଲା। ଯାହାକୁ ଜମି ଅଧିଗ୍ରହଣ ସରିଲା ପରେ ଖଣି କର୍ତ୍ତୃପକ୍ଷ ଭୁଲିଗଲେ ବୋଲି ବିସ୍ଥାପିତ ଅଭିଯୋଗ କରିଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ବିସ୍ଥାପିତ ଗ୍ରାମର ବିବାହିତ ଝିଅମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଝିଅମାନେ ଚଲାଇଛନ୍ତି ଆନ୍ଦୋଳନ। ସରକାର ସବୁଠି ଉଭୟ ପୁଅ ଓ ଝିଅଙ୍କ ପାଇଁ ସମାନ ଅଧିକାର ରହିଛି ବୋଲି କହୁଥିବା ବେଳେ ବିସ୍ଥାପିତ ପରିବାରର ବିବାହ କରିଥିବା ପୁଅକୁ ଏକକ ବିସ୍ଥାପିତ ପରିବାରର ମାନ୍ୟତା ମିଳିବ, ଚାକିରି ଓ ଅନ୍ୟ ସୁବିଧା ପ୍ରଦାନ କରାଯିବ। କିନ୍ତୁ ପରିବାରର ବିବାହିତା ଝିଅକୁ ଏକକ ପରିବାରର ମାନ୍ୟତା ଦେବାକୁ ପ୍ରଶାସନ, କମ୍ପାନି କୁଣ୍ଠା ପ୍ରକାଶ କରିଆସୁଛି। ଡୁଲିଙ୍ଗା କୋଇଲା ଖଣିରେ ବିସ୍ଥାପିତ ପୁଅ ଓ ଝିଅଙ୍କ ଭିତରେ କରାଯାଉଥିବା ଏପରି ପାତରଅନ୍ତରକୁ ବିରୋଧ କରି ଆସୁଛନ୍ତି ବିସ୍ଥାପିତ ଡୁଲିଙ୍ଗା, ମଝାପଡ଼ାର ବିବାହିତା ଝିଅମାନେ। କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଧାରଣାରତ ଝିଅମାନଙ୍କ ଅଭିଭାବକମାନେ ଭେଟି ତୁରନ୍ତ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଅନ୍ୟଥା ମାର୍ଚ୍ଚ ୨୩ରେ ଖଣି କାର୍ଯ୍ୟ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe