ନୂଆପଡ଼ା: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ପ୍ରାୟ ସାଢେ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ୫ ମାସ ତଳେ ଉଦ୍ଘାଟିତ ହୋଇଥିଲା। ତେବେ କିଛିଦିନ ହେଲା କୋଠାର ସିଲିଂ ଖସି ପଡୁଥିବାରୁ ରୋଗୀମାନେ ଆତଙ୍କିତ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ଏହାଛଡ଼ା କବାଟ ମଧ୍ୟ ଭାଙ୍ଗି ଗଲାଣି। ବିଦ୍ୟୁତ ସଂଯୋଗରେ ମଧ୍ୟ ବିଭିନ୍ନ ସମୟରେ ତ୍ରୁଟି ପରିଲକ୍ଷିତ ହେଉଛି। ଏଠାରେ ଥିବା ଅଟୋମେଟିକ ଜେନେରେଟର ମଧ୍ୟ ଷ୍ଟାର୍ଟ ହେଉନଥିବା ଅଭିଯୋଗ ହେଉଛି। ଫଳରେ ବିଦ୍ୟୁତ ଗଲେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ଜଳ ଯୋଗାଣ ପାଇଁ ଲଗାଯାଇଥିବା ପାଇପ ଫାଟି ଯାଇଥିବାରୁ ଛାତ ଉପରୁ ପାଣି ଗଳୁଛି।
ଏଥିପାଇଁ ସିଲିଂ ଖସି ପଡୁଥିବା କୁହାଯାଇଛି। କିଛିଦିନ ପୂର୍ବରୁ ସ୍ୱତନ୍ତ୍ର ନବଜାତ ଶିଶୁଯତ୍ନ କେନ୍ଦ୍ର (ଏସଏନସିୟୁ)ରେ ଥିବା କଙ୍ଗାରୁ ମା’ ଯତ୍ନ କେନ୍ଦ୍ରରେ ଥିବା ସିଲିଂ ପଡି ଯାଇଥିଲା। ହେଲେ ସୈାଭାଗ୍ୟବଶତଃ କେହି ସେଠାରେ ଉପସ୍ଥିତ ନଥିଲେ। ସେହିପରି ପ୍ରସବ ପୂର୍ବ ବିଭାଗରେ ଥିବା ବାଥରୁମ ଗୁଡିକରର କାବଟ ଭାଙ୍ଗି ଯାଇଛି। ଫଳରେ ମହିଳାମାନେ ଶୈାଚ ହେବାରେ ଅସୁବିଧା ଭୋଗ କରୁଛନ୍ତି। ଏହି ସମସ୍ୟାର ସମାଧାନ ସହ ଘଟଣାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସଂପର୍କରେ ଡାକ୍ତରଖାନା ମ୍ୟାନେଜର ମାନସ ପଟ୍ଟନାୟକଙ୍କୁ ପଚରାଯିବାରୁ ‘ଆମେ ବିଭାଗୀୟ ଅଧିକାରୀଙ୍କୁ ଏ ସବୁ ବିଷୟରେ ଜଣାଇଛୁ, କିଛି ଦିନ ତଳେ ବର୍ଷା ପବନ ହେବା ବେଳେ ସିଲିଂର ଗୋଟିଏ ଖଣ୍ଡ ପଡ଼ିଥିଲା, ଧୀରେ ଧୀରେ ଏ ଗୁଡ଼ିକ ଖସିବାରେ ଲାଗିଛି’ ବୋଲି ସେ କହିଥିଲେ। େଓ୍ଵରିଂ ଓ ପାଇପଲାଇନରେ ତ୍ରୁଟି ରହିଥିବା ମଧ୍ୟ ସେ ପ୍ରକାଶ କରିଥିଲେ।
Follow Us