ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡିଆଳଠାରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକକୁ ବନ୍ଦ ଡାକରା ଦିଆଯାଇଛି। ଆଜି ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ତିନି ବ୍ଲକକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତିନୋଟି ବ୍ଲକରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରହିଛି। ସହରଗୁଡ଼ିକର ମୁଖ୍ୟ ସ୍ଥାନରେ ନାଗରିକ ମଞ୍ଚର କର୍ମକର୍ତ୍ତା ରାସ୍ତା ଅବରୋଧ କରିବା ସହ ଖଡ଼ିଆଳଠାରେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ସ୍ଥାପନ ପାଇଁ ଦାବି କରିଛନ୍ତି।
ମିଳିତ ନାଗରିକ ମଞ୍ଚ ଦୀର୍ଘ ବର୍ଷ ଧରି ଅତିରିକ୍ତ ଜିଲ୍ଲା ଜଜ ସ୍ଥାପନ ନେଇ ଦାବି କରି ଆସୁଛନ୍ତି। କିନ୍ତୁ ସରକାର ଖଡ଼ିଆଳ ପାଇଁ ବୈମାତୃକ ଭାବ ପୋଷଣ କରି ଏ ଡି ଜେ କୋର୍ଟ ସ୍ଥାପନ କରିବାକୁ ଧ୍ୟାନ ଦେଉନଥିବା ମିଳିତ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କୋର୍ଟ ସ୍ଥାପନ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
Follow Us