ଭଡ଼ା ନେବା ବାହାନାରେ ଗାଡ଼ି ଓ ମାଲିକଙ୍କୁ ଅପହରଣ ଉଦ୍ୟମ

Advertisment
ଭଡ଼ା ନେବା ବାହାନାରେ ଗାଡ଼ି ଓ ମାଲିକଙ୍କୁ ଅପହରଣ ଉଦ୍ୟମ

ମ.ରାମପୁର: ମଙ୍ଗଳବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ରୁ ଭଡ଼ାରେ ଗାଡ଼ି ଆଣି ଗାଡ଼ି ସହ ମାଲିକଙ୍କୁ ୩ ଜଣ ଯୁବକ ଅପହରଣ ଉଦ୍ୟମ କରିଥିଲେ। ବୁଧବାର କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ସଂପୃକ୍ତ ଗାଡ଼ି ମାଲିକଙ୍କୁ ଉଦ୍ଧାର କରାଯାଇଥିବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମଙ୍ଗଳବାର ସଂଧ୍ୟାରେ ୩ ଜଣ ଯୁବକ ବିଜୟନଗରମ୍‌ର ଗାଡ଼ି ସତ୍ୟ ନାରାୟଣ ପି(୪୨)ଙ୍କ ଗାଡ଼ିକୁ ଭଡ଼ାରେ ଆଣିଥିଲେ। ସତ୍ୟ ନାରାୟଣ ନିଜେ ଗାଡ଼ିର ଚାଳକ ଥିଲେ। ରାୟଗଡ଼ା ଜିଲ୍ଲା ନିକଟସ୍ଥ ଏକ ଗ୍ରାମରେ ଛାଡ଼ିବାକୁ କହି ସେମାନେ କହିଥିଲେ। ଅଧାବାଟରେ ଗାଡ଼ିମାଲିକଙ୍କୁ ପିସ୍ତଲ ଦେଖାଇ ତାଙ୍କ ମୋବାଇଲ ଫୋନ, ଏଟିଏମ ସହ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ।

ଏଥି ସହ ତାଙ୍କୁ ନିସ୍ତୁକ ମାଡ଼ମାରି ମୁହଁରେ କଳାପଟି ସହ ହାତଗୋଡ଼ ବାନ୍ଧି ଦେଇ ଗାଡ଼ି ପଛ ସିଟରେ ବସାଇ ଦେଇ ଅପହରଣକାରୀ ମାନେ ନିଜେ ଗାଡ଼ି ଧରି ଓଡ଼ିଶା ପଟେ ପଳାଇ ଆସିଥିଲେ। ବୁଧବାର ସକାଳେ ମ.ରାମପୁର ଚାରିଛକ ମାଛିବନ୍ଧ ନିକଟସ୍ଥ ଏକ ପେଟ୍ରୋଲ ଟାଙ୍କିରେ ତେଲ ପକାଇବା ପରେ ଟଙ୍କା ନଦେଇ ପଳାଇ ଯାଉଥିବା ବେଳେ ପେଟ୍ରୋଲ ପମ୍ପର ସେଲସମ୍ୟାନ୍‌ ହଠାତ ଗେଟ ଖୋଲି ଦେଇଥିଲେ। ଏହି ସମୟରେ ସେ ଗାଡ଼ି ପଛ ସିଟରେ ଜଣଙ୍କୁ ହାତ ଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ।

ତେବେ ଅପହରଣକାରୀମାନେ ସେଠାରୁ ଅତର୍କିତ ଭାବରେ ବଲାଙ୍ଗିର ରାସ୍ତାରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେଲସମ୍ୟାନ ଜଣକ ତୁଜୁଙ୍ଗ ଗ୍ରାମର ସଂପର୍କୀୟଙ୍କୁ ଫୋନ କରି ଘଟଣା ସଂପର୍କରେ କହିଥିଲେ। ଫଳରେ ତୁଜୁଙ୍ଗ ରାସ୍ତାରେ ଥିବା ଗ୍ରାମବାସୀ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିିଥିଲେ ସୁଦ୍ଧା ଗାଡ଼ିଟି ଦ୍ରୁତ ଗତିରେ ଆଗକୁ ମାଡ଼ି ଯାଇଥିଲା। ପରେ ଗ୍ରାମବାସୀ ପିଛା କରିବାରୁ ଅପହରଣକାରୀମାନେ ଭୟରେ ମାଣିଙ୍ଗନିଲା ନିକଟରେ ଜଙ୍ଗଲରାସ୍ତାରେ କିଛି ବାଟ ଯାଇ ଗାଡ଼ି ସହ ମାଲିକଙ୍କୁ ଛାଡ଼ିଦେଇ ଜଙ୍ଗଲ ଭିତରକୁ ଦୌଡ଼ି ଦୌଡ଼ି ପଳାଇ ଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଗାଡ଼ି ସହ ମାଲିକ ସତ୍ୟ ନାରାୟଣଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe