photo by : dnaindia.com
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଝିଟକି ଗାଁର ନାବାଳିକା ମମତାବାଇ ପାଣ୍ଡେ(୭) ହତ୍ୟା ମାମଲାର ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ଦୌରା ଜଜ ରାୟ ପ୍ରକାଶ କରିଛନ୍ତି। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଯୋଗେଶ୍ୱର ପାଣ୍ଡେ(୩୧)କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି।
ଝିଟକି ଗାଁର ଠାକୁରରାମ ପାଣ୍ଡେଙ୍କ ସହିତ ଯୋଗେଶ୍ୱର ପାଣ୍ଡେଙ୍କ ପରିବାରିକ ଶତୃତା ରହିଥିଲା। ଗତ ୨୦୧୨ ଫେବୁଆରି ୨୭ ତାରିଖରେ ମମତା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଯୋଗେଶ୍ୱର ହଠାତ ତାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ମମତାକୁ ରାୟପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରଦିନ ମମତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏନେଇ ବେଲଟୁକୁରୀ ଥାନା ପୁଲିସ (କେସ ନଂ ୩୪/୧୨) ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଯୋଗେଶ୍ୱରକୁ ଗିରଫ କରିଥିଲା।
ଜିଲ୍ଲା ଦୌରା ଜଜ ଅସୀମ ଦଳବେହେରା ରାୟ ପ୍ରକାଶ କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ନାବାଳିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଯୋଗେଶ୍ୱରକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜିଲ୍ଲା ଦୌରା ଜଜ ଶ୍ରୀ ଦଳବେହେରା ଶୁଣାଣି କରିଥିବା ପିପି ନିଦର୍ଶିନୀ ରଥ ସୂଚନା ଦେଇଛନ୍ତି।
Follow Us