ନୂଆପଡ଼ା: ନୂଆପଡ଼ା ବ୍ଲକ୍ ପରକୋଡ଼, ବିଶୋରା, ବେଲଟୁକୁରୀ, କାଦୋମେରୀ ପଞ୍ଚାୟତର ଚାଷୀମାନେ ଗତ ଦୁଇବର୍ଷ ହେଲା ଗଭୀର ନଳକୂଅ ଖୋଳାଇଛନ୍ତି। ହେଲେ ଆଜି ଯାଏ ବିଜୁଳି ସଂଯୋଗ ହୋଇନଥିବାରୁ ଶତାଧିକ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ସମାଧାନ ପାଇଁ ସେମାନେ ସୋମବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
ସେମାନଙ୍କ ଅଭିଯୋଗ ଅନୁସାରେ, ପରକୋଡ, ବିଶୋରା, ବେଲଟୁକୁରୀ, କାଦୋମେରୀ ପଞ୍ଚାୟତର ଶତାଧିକ ଚାଷୀ ଉଠା ଜଳସେଚନ ବିଭାଗ ଅଧୀନରେ ଗଭୀର ନଳକୂଅ ପାଇଁ ଆବେଦନ କରିଥିଲେ। ପରେ ବିଭାଗ ତରଫରୁ ଗଭୀର ନଳକୂଅ ଖନନ କରାଯାଇଥିଲା। ଏଥିରେ ସଂପୃକ୍ତ ଠିକାଦାର ବିଜୁଳି ବ୍ୟବସ୍ଥା ମଧ୍ୟ କଲେ। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ଦୁଇ ବର୍ଷ ପରେ ମଧ୍ୟ ବିଜୁଳି ସଂଯୋଗ ହୋଇ ପାରୁନାହିଁ। ଏବେ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହେତୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଚାଷଜମି ଫାଟି ଆଁ କଲାଣି। ଏବେ ଧାନ ଓ ଅଣଧାନ ଜାତୀୟ ଫସଲ ମରିବାକୁ ବସିଲାଣି। ଏବେ ଗଭୀର ନଳକୂଅରୁ ପାଣି ମଡ଼ାଇ ଫସଲକୁ ବଞ୍ଚାଇବାକୁ ଚାଷୀମାନେ ଭରସା କରିଛନ୍ତି। ହେଲେ ବିଜୁଳି ସଂଯୋଗ ନଥିବାରୁ ନିରାଶ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆଜି ଚାଷୀନେତା ଚତୁର୍ଭୁଜ ଶର୍ମା, ନରୋତ୍ତମ ଦଣ୍ତସେନା, ଲାଲାରାମ ସାହୁଙ୍କ ସହ ଚନ୍ଦ୍ରକାନ୍ତ ଚନ୍ଦ୍ରକାର, ରାଜା ଦେୱାଙ୍ଗନ, ଖେମ ଦେୱାଙ୍ଗନ, ସଚିନ ଦେୱାଙ୍ଗନ, ଉଭା ଦଣ୍ତସେନା, ରେଖାନ ପାଣ୍ଡେ, ପ୍ରତାପ ଦଣ୍ତସେନା, ପ୍ରେମ ଦଣ୍ତସେନା, ଗୋପାଳ ରାଉତ, ଅମର ପାଣ୍ଡେ, ଲବ ପଟେଲ, ମିନା ପଟେଲ, ପାରାମ ସାହୁ, ବୈଶାଖୁ ପଟେଲ, କୃପାରାମ ସତନାମୀ, ଉତ୍ତର ମାଝୀ ପ୍ରମୁଖ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଚାଲିଥିବା ଅଭିଯୋଗ ପ୍ରକୋଷ୍ଠକୁ ଆସି ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଦାବିପତ୍ର ଦେଇଥିଲେ। ଜିଲ୍ଲାପାଳ ୨ରୁ ୩ ଦିନ ଭିତରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସେମାନେ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us