ରାସ୍ତା ଅବରୋଧ: ଖଡ଼ିଆଳ-ଭବାନୀପାଟଣା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାସ୍ତା ଅବରୋଧ: ଖଡ଼ିଆଳ-ଭବାନୀପାଟଣା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲ ପଡ଼ା ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଜମି ରହିଥିବାରୁ ତାହାର ପ୍ରତିବାଦ କରି ଗ୍ରାମବାସୀଙ୍କ ତରଫରୁ ଖଡ଼ିଆଳ- ଭବାନୀପାଟଣା ରାଜ୍ୟ ରାଜପଥ ୧୬ ଦୋହେଲ ପଡ଼ା ଛକ ଠାରେ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଏହାଦ୍ବାରା ଯାନବାହନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭାରିଯାନ ସବୁ ରାସ୍ତାରେ ଅଟକି ରହିଛି। କେବଳ ସ୍କୁଲ ବସ ଓ ଆମ୍ବୁଲାନ୍ସକୁ ଛଡ଼ା ଯାଉଛି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା ଏହି ଗ୍ରାମ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷିତ ହୋଇଛି, କିନ୍ତୁ ସମସ୍ୟାର ସମାଧାନ ହେଉନି। ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଦେଢ଼ ଫୁଟର ଆବର୍ଜନା ପାଣି ଜମି ରହିଛି। ଏପରିକି ଏହି ପାଣି ଲୋକଙ୍କ ଘର ଭିତରକୁ ପଶି ଯାଉଛି। ଯିବା ଆସିବାରେ ଅସୁବିଧା ହେଉଛି। ପାଣି ଜମି ରହିବା ଫଳରେ ମଶା ମାଛି ବଢୁଛି ଓ ମ୍ୟାଲେରିଆ, ହଇଜା ହେବାର ସମ୍ଭାବନା ରହିଛି। ପ୍ରଶାସନକୁ ଏନେଇ ବାରମ୍ବାର ଜଣାଇଲେ ମଧ୍ୟ ସମାଧାନ କରାଯାଉନି।

ଏହାର ପ୍ରତିବାଦ କରି ଗ୍ରାମବାସୀଙ୍କ ତରଫରୁ ଆଜି ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଛି। ଗ୍ରାମବାସୀଙ୍କ ସମେତ ନିଖିଲ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ନୂଆପଡ଼ା ଜିଲ୍ଲା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖଡ଼ିଆଳ ତହସିଲଦାର ତଥା ଇନ୍ ଚାର୍ଜ ବିଡ଼ିଓ ନରସିଂହ ଗାଡବା ଆସି ଲୋକଙ୍କ ସହ ଆଲୋଚନା କରିଥିଲେ ଓ ସମାଧାନର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପରେ ରାସ୍ତା ପରିଦର୍ଶନ କରି ତହସିଲଦାର ଡିମାରକେସନ୍ କରାଯିବ ଓ ଜବରଦଖଲକାରୀଙ୍କୁ ହଟାଯାଇ ରାସ୍ତା ଓ ଡ୍ରେନ ନିର୍ମାଣ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe