ମତାନ୍ତର ଦୂର କରି ଭାଇଚାରା ସୃଷ୍ଟି କରୁଛି ନୂଆଁଖାଇ

 ‘ପ୍ରତିଭା’ କାର୍ଯ୍ୟକ୍ରମରେ ୧୮ ପୁରସ୍କୃତ

ମତାନ୍ତର ଦୂର କରି ଭାଇଚାରା ସୃଷ୍ଟି କରୁଛି ନୂଆଁଖାଇ

ବୀରମହାରାଜପୁର: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟର‌ ଘୋର ଅଭାବ‌ ରହୁଛି। କେହି କାହାକୁ ସମୟ ଦେଉପାରୁ ନାହାନ୍ତି। ଅନେକ ସମୟରେ ଆତ୍ମୀୟସ୍ବଜନଙ୍କ କ୍ଷେତ୍ରରେ ଦୂରତା ବଢୁଛି। ଯେଉଁଥି ପାଇଁ ଅନେକ ପରିବାର ଭିତରେ ସଂପର୍କର ଫାଟ‌ ଦେଖିବାକୁ ମିଳୁଛି। କିନ୍ତୁ ପଶ୍ଚିମ ଓଡ଼ିଶାର ଏଭଳି ଏକ ଗଣ ପର୍ବ ‘ନୂଆଁଖାଇ’ ମତାନ୍ତର ଦୂର କରି ସମସ୍ତଙ୍କୁ ଏକ କରି ଭାଇଚାରା ସୃଷ୍ଟି କରୁଛି ବୋଲି ଅମରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତପକିରଣ ସାହୁ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରୀ ଠାରେ ନୂଆଁଖାଇ ଅବସରରେ ଗୁରୁବାର ଆୟୋଜିତ ‘ପ୍ରତିଭା’ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ସାହୁ ଏହା କହିବା ସହ ପ୍ରତ୍ୟେକ ପିଲାଙ୍କ ଠାରେ ଅନ୍ତର୍ନିହିତ ଗୁଣ ରହିଛି। ଏଭଳି ପ୍ରତିଭାମାନଙ୍କୁ ଖୋଜି ବାହାର କରିବାକୁ ପଡ଼ି। ଏଥି ପାଇଁ ସର୍ବ ପ୍ରଥମେ ଅବିଭାବକଙ୍କୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

ମୁଖ୍ୟବକ୍ତା ଭାବେ ସମାଜସେବୀ ପୀତାମ୍ବର ସାହୁ ଯୋଗଦେଇ କହିଥିଲେ ଯେ, ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ନୁହଁ। ପୂର୍ବ ଓଡ଼ିଶାକୁ ବି ଏହି ପର୍ବ ବ୍ୟାପୀଛି। ନୂଆଁଖାଇ ସହିତ ଆମ ସମାଜ ଜଡ଼ିତ। ବିଦେଶରେ ବସବାସ କରୁଥିବା ପଶ୍ଚିମଓଡ଼ିଶାର ଲୋକେ ମଧ୍ୟ ସେଠାରେ ‘ନୂଆଁଖାଇ’ ପର୍ବ ପାଳନ କରିଥାନ୍ତି। ନୂଆଁଖାଇର ସଂସ୍କୃତି ବହୁ ପୂରାତନ। ଏହି ପର୍ବ କେବେଠାରୁ ଆରମ୍ଭ ହୋଇଥିଲା, ସମସ୍ତଙ୍କୁ ଅଛପା ରହିଛି। କିନ୍ତୁ ଏହା ଏକ ଚା‌ଷୀମାନଙ୍କର ପର୍ବ ହୋଇଥିବାରୁ ପଶ୍ଚିମଓଡ଼ିଶାରେ ଧୂମଧାମରେ ପାଳିତ ହୋଇ ଆସୁଛି। ଚାଷୀମାନେ ନୂଆଁଧାନ ମିଳିବା ପରେ ଏହାକୁ ନିଜର ଇଷ୍ଟ ଦେବୀଙ୍କୁ ଅର୍ପଣ କରିଥାନ୍ତି। ସମାଜରେ ଦେଖାଯାଉଥିବା ଅନେକ ବିବାଦ ନୂଆଁଖାଇରେ ଦୂର ହେଉଛି। ପ୍ରତିଭା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ ଶ୍ରୀ ସାହୁ କହିଥିଲେ ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଅତି ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ସେ ଏଭଳି ଇତିହାସ ରଚି ଯାଇଛନ୍ତି ଯାହାକୁ କ୍ରିକେଟପ୍ରେମୀ ଭୁଲିପାରିବେ ନାହିଁ। ସେହିଭଳି ଗାଁ ଗହଳିରେ ଥିବା ପ୍ରତିଭା ସମ୍ପନ୍ନ ପିଲାମାନେ ନିଜ ପ୍ରତିଭାକୁ ଦେଖାଇବାକୁ ପଡିବ।

publive-image

ସମ୍ମାନନୀୟ ଅତିଥି ଭାବେ ଆଇନଜୀବୀ ବିଦ୍ୟାଧର ସାହୁ ଯୋଗଦେଇ କହିଥିଲେ ଛୋଟ ବୟସରେ ପଢ଼ିବାକୁ ବିଦ୍ୟାଳୟକୁ ଚାଲିଚାଲି ୩ କିମି ରାସ୍ତା ଯିବାକୁ ପଡ଼ୁଥିଲା। ଛତା ନ ଥିଲା କି ଯୋତା ନଥିଲା। ବହୁ ଅସୁବିଧାରେ ସ୍କୁଲକୁ ଯିବାକୁ ପଡ଼ୁଥିଲା। ଗାଁରେ ବିଦ୍ୟୁତ ନ ଥିବାରୁ ଲଣ୍ଠନ, ଡିବିରି ଓ ମହମବତୀ ଲଗାଇ ପଢ଼ିବାକୁ ପଡ଼ୁଥିଲା।  ଆଜିର ଦିନରେ ପିଲାଙ୍କୁ ସାଇକେଲ, ଛତା, ଜୋତା, ବିଦ୍ୟୁତ ଓ ମୋବାଇଲ ଆଦି ସୁବିଧା ମିଳୁଛି। ଭିତ୍ତିଭୂମିର ଯେହେତୁ ଅଭାବ ନାହିଁ, ତେଣୁ ପିଲାମାନେ ଆଗକୁ ବଢ଼ିବାର ବଡ଼ ସୁଯୋଗ ରହିଛି। ପ୍ରତିଭା କାର୍ଯ୍ୟକ୍ରମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ୧୮ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମହେନ୍ଦ୍ର ସାହୁ ଓ ସୁବ୍ରତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାଗତିକା ସାହୁ ଓ ଗଣେଶ ପୂଜା କମିଟିର ସଦସ୍ୟ ସହଯୋଗ କରିଥିଲେ। ପ୍ରଥମ ଥର ପାଇଁ ଏବଂ କମ ସମୟ ମଧ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe